ଦାରିଙ୍ଗବାଡି,୧୦/୬ : ଗତ ୩ତାରିଖ ଦିନ କିରିକୁଟି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ବନ୍ଦ ରହିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ତତପର ହୋଇଥିଲା ସ୍ବାସ୍ଥ୍ୟ ବିଭାଗ । ଆରୋଗ୍ୟ କେନ୍ଦ୍ର ବନ୍ଦ ଘଟଣାରେ କିରିକୁଟି ସିଏଚଓଙ୍କ ଦରମା ବନ୍ଦ ସହ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଗୋଷ୍ଠୀ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼ ଜାକେଶ ସାମନ୍ତରାୟ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ କିରିକୁଟି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ମାସକ ମାଧ୍ୟମରେ ମାତ୍ର ୨ ଦିନରୁ ୫ଦିନ ଖୋଲା ହେଉଥିବାବେଳେ ବାକି ସମୟ ତାଲା ଝୁଲି ରହୁଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ତାଲା ଝୁଲି ରହୁଥିବା ଫଳରେ ପ୍ରତ୍ୟେକ ଦିନ ଏକାଧିକ ରୋଗୀ ଆସି ଫେରିକି ଯାଉଥିଲେ । ଗାଁ ପାଖରେ ସ୍ବାସ୍ଥ୍ୟକେନ୍ଦ୍ର ଥାଇ ସୁଦ୍ଧା ଲୋକେ ସ୍ବାସ୍ଥ୍ୟ ସେବା ପାଉ ନ ଥିବା ଫଳରେ ୫କିଲୋ ମିଟର ବାଟ ସିମନବାଡ଼ି ସ୍ବାସ୍ଥ୍ୟକେନ୍ଦ୍ରରୁ ସ୍ବାସ୍ଥ୍ୟ ସେବା ପାଉଥିଲେ । ଫଳରେ ରୋଗୀମାନେ ସାମାନ୍ୟ ରୋଗ ପାଇଁ ମଧ୍ୟ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା ।