ପାଟଣାଗଡ,୦୫/୦୬: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ବଗଲାବନ୍ଦ ଗାଁର ଖଇରପାଲି ପଡା ପଛପଟେ ଥିବା ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତ ଯୁବକ ଜଣକ ହେଲେ ଖଇରପାଲି ପଡାର ପର୍ଶୁରାମ ଧରୁଆଙ୍କ ପୁଅ ଲୋଚନ ଓରଫ୍ ପିଣ୍ଟୁ (୩୫ ବର୍ଷ) । ବାପାଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
ମିଳିଥିବା ସୂଚନା ଅନୁସାରେ, ବୁଧବାର ସକାଳୁ ଲୋଚନ ତାଙ୍କ ଘର ଖପର ଛାଉଣୀ କରୁଥିଲେ। ବିନ୍ଦନପଦର ଗାଁରେ ଥିବା ତାଙ୍କ ବଡ ଶଳା ମଧୁଆଙ୍କ ପୁଅ ପାଟଣାଗଡ଼ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ମଧ୍ୟାହ୍ନ ସମୟରେ ଲୋଚନ ସେମାନଙ୍କ ପାଇଁ ଡାକ୍ତରଖାନାକୁ ଖାଦ୍ୟ ନେଇ ଯାଇଥିଲେ। ପରେ ବଡ ଶଳା ଓ ଜ୍ୱାଇଁ ଦୁହେଁ ମିଶି ଭୋର ସାଢେ ୩ ଟାରେ ଲୋଚନଙ୍କ ଘରେ ପହଞ୍ଚିଥିଲେ। ଘରେ ପହଞ୍ଚିବା ପରେ ତାଙ୍କ ପରିବାରରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ଚାଲିଥିବା ସମୟରେ ପ୍ରାୟେ ସାଢେ ୪ ଟାରେ ଲୋଚନ ଶୌଚ ପାଇଁ ପଡିଆକୁ ଯାଉଛି କହି ସେଠାରୁ ପଳାଇ ଆସିଥିଲେ । ଗୁରୁବାର ସକାଳୁ ଲୋଚନଙ୍କ ମୃତଦେହ ଗଛରେ ଝୁଲୁଥିବା ନେଇ ପରିବାରଲୋକେ ଖବର ପାଇଥିଲେ । ଖବର ପାଇ ପରିବାରଲୋକେ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଏସମ୍ପର୍କରେ ଅବଗତ କରାଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୁଲିସ ।