ଭୁବନେଶ୍ୱର,୪।୬(ବ୍ୟୁରୋ): ଓଡ଼ିଆ କାରିଗରଙ୍କ ହାତର କମାଲ ଦେଖିବେ ବିଦେଶୀ । କଟକର ତାରକସି କାମ ହେଉ କି ବାଉଁଶ କାମ, ବାଟିକ୍ ଛାପା କାମ, ଗୁଆ କାମ, କଂସା ଓ ପିତ୍ତଳ କାମ ସବୁ ହସ୍ତଶିଳ୍ପ ହାତ ପାହାନ୍ତାରେ ବିଶ୍ୱର ଯେକୌଣସି ସ୍ଥାନରେ ପହଞ୍ଚିବ । ଏଥିପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତଶିଳ୍ପ କ୍ଲଷ୍ଟରରେ ସୁଗମ୍ୟ କେନ୍ଦ୍ର ଖୋଲିବ । ଏହି କେନ୍ଦ୍ରରେ ହସ୍ତତନ୍ତ କାରିଗରମାନଙ୍କୁ ତାଲିମ ମିଳିବ ସହ ଭିତ୍ତିଭୂମିର ସୁବିଧା ମିଳିବ । କ୍ଲଷ୍ଟରୁ ଉତ୍ପାଦିତ ହସ୍ତତନ୍ତ ସାମଗ୍ରୀ ‘ସୃଜନିକା’ ନାମରେ ବ୍ରାଣ୍ଡିଂ କରାଯାଇ ମିଳିବ । ଏଥିପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି ।
ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗ ପକ୍ଷରୁ କାରିଗରମାନଙ୍କ ସୁବିଧାକୁ ଆଖି ଆଗରେ ରଖି କାରିଗରମାନଙ୍କର ସାମଗ୍ରିକ ବିକାଶ ପାଇଁ ସାଧାରଣ ସୁବିଧା କେନ୍ଦ୍ର (ସିଏଫସି) ଏବଂ ହସ୍ତଶିଳ୍ପ ପର୍ଯ୍ୟଟନ କେନ୍ଦ୍ର (ସିଟିସି), କଞ୍ଚାମାଲ ବ୍ୟାଙ୍କ, ମାର୍କେଟିଂ ଆଉଟଲେଟ୍, ଗୋଦାମର ବ୍ୟାଖ୍ୟାନ କେନ୍ଦ୍ର ସବୁ ରହିଛି । ଏହି କେନ୍ଦ୍ର ମାନଙ୍କରୁ କିଭଳି ବୁଣାକାର ଏବଂ କାରିଗରମାନେ ସୁବିଧା ସୁଯୋଗ ପାଇ ପାରିବେ ସେଥିପାଇଁ ନୂଆ ମାର୍ଗଦର୍ଶିକା ସରକାରଙ୍କ ତରଫରୁ ଜାରି କରାଯାଇଛି । ଯେଉଁଥିରେ ସିଏଫସି, ଦକ୍ଷତା ବିକାଶ, ଆଧୁନିକ ଯନ୍ତ୍ରପାତି ମାଧ୍ୟମରେ ପ୍ରଯୁକ୍ତିବିଦ୍ୟା ସହାୟତା, କଞ୍ଚାମାଲ ସହାୟତା, ଲଜିଷ୍ଟିକ୍ ସହାୟତା ପ୍ରଦାନ କରାଯିବ । ଯାହାଦ୍ୱାରା ସେମାନେ ଯୁଗ ସହ ତାଳଦେଇ ନୂଆ ନୂଆ ଉତ୍ପାଦ ତିଆରି କରିବେ, ବଜାର ଚାହିଦା ବୃଦ୍ଧି ପାଇବ । ଯାହାଦ୍ୱାରା ମୂଲ୍ୟଯୁକ୍ତ ଉତ୍ପାଦର ବହୁଳ ଉତ୍ପାଦନ ହେବା ସହିତ ହସ୍ତଶିଳ୍ପ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରାଯିବ । ଏହାକୁ ଠିକ୍ ଭାବରେ ପରିଚାଳନା କରାଯିବା ନେଇ ମାର୍ଗଦର୍ଶିକା ଜାରି କରାଯାଇଛି । ଯାହାକୁ ‘ସୃଜନିକା’ ଦ୍ୱାରା ପରିଚାଳନା କରାଯିବ । ଯାହାଫଳରେ କାରିଗରମାନଙ୍କୁ ଗୋଟିଏ ଛାତ ସବୁ ସୁବିଧା ମିଳିବ । କାରିଗରମାନଙ୍କୁ କାମ କରିବା ପାଇଁ ସ୍ଥାନ ମିଳିବା ସହ କଞ୍ଚାମାଲ ଏବଂ ଉତ୍ପାଦ ଗୁଡ଼ିକ କିଭଳି ସୁବିଧା ଓ ସୁରକ୍ଷିତ ରହିବ ତାହା ନିଶ୍ଚିତ କରିବ ।
ଏହି ସିଏଫସି, ସିଟିସି, ଆରଏମ୍ବି ଗୁଡ଼ିକ ହସ୍ତଶିଳ୍ପ ସମବାୟ ସମିତି (ଏଚ୍ସିଏସ୍), ଉତ୍ପାଦ କମ୍ପାନୀ(ପିସି), ଉତ୍ପାଦ ଗ୍ରୁପ(ପିଜି) ଦ୍ୱାରା ପରିଚାଳିତ ହେବ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟି ଦ୍ୱାରା ଗ୍ରୁପ ତିଆରି ସହିତ ଚୟନ କରାଯିବ । ଯେଉଁ ଜିଲ୍ଲା ମାନଙ୍କରେ ହସ୍ତଶିଳ୍ପ କ୍ଲଷ୍ଟ ଅଛି ଏହି ଗ୍ରୁପ ସେଠାରେ ରହିବ । ଯୋଗ୍ୟତା ମାନଦଣ୍ଡରେ ହିସାବରେ କ୍ଲଷ୍ଟରରେ କାର୍ଯ୍ୟ କରୁଥିବା ହସ୍ତଶିଳ୍ପ ସମବାୟ ସମିତିକୁ ପ୍ରାଥମିକତା ଦିଆଯିବା । ହସ୍ତଶିଳ୍ପ ସାମଗ୍ରୀ ଉତ୍ପାଦନ କମ୍ପାନୀ ଓ ଗ୍ରୁପ ମାନଙ୍କର ସର୍ବନିମ୍ନ ଦୁଇ ବର୍ଷର ଅଭିଜ୍ଞତା ରହିବା ଉଚିତ । ଚୟନ ପାଇଁ ପୂର୍ବ ବର୍ଷରେ ଉତ୍ପାଦର ସର୍ବାଧିକ ବିକ୍ରି ହୋଇଥିବା ଆବଶ୍ୟକ । ସଂସ୍ଥା ର କୌଣସି ଅପରାଧିକ ମାମଲା ରହିନଥିବ । ଏହି ସଂସ୍ଥା ପଞ୍ଜିକରଣ ମଧ୍ୟ ହୋଇଥିବା ଜରୁରୀ । ଯଦି ଏହା ଭିତରୁ କୌଣସିଟି ଯୋଗ୍ୟତା ନଥିବ ତାହାଲେ ନୂଆ ଗ୍ରୁପ ତିଆରି କରାଯିବ । ନହେଲେ କାରିଗରଙ୍କ ଠାରୁ ଏହି ଏମିତି ଗ୍ରୁପ ଗଠନ ପାଇଁ ପଦକ୍ଷେପ ନିଆଯିବ । ଏହି ନୂଆ ଗ୍ରୁପ ଓ କମ୍ପାନୀ ପାଇଁ ବି ନିର୍ଦ୍ଧିଷ୍ଟ ନିୟମାବଳୀ ରହିବ ।
ଜିଲ୍ଲାସ୍ତରରେ ଗଠନ ହେବାକୁ ଥିବା କମିଟିରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ସଦସ୍ୟଙ୍କୁ ଚୟନ କରାଯିବ । ଭିତ୍ତିଭୂମି ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାର ଡିଡିଏଚ୍ ଏବଂ ଏଡିଏଚ୍ ଦାୟିତ୍ୱ ନେବେ । ସମସ୍ତ ଭିତ୍ତିଭୂମି ପ୍ରକଳ୍ପରେ ଗୋଟିଏ ସ୍ୱଚ୍ଛତା ସ୍ତମ୍ଭ ସ୍ଥାପନ କରାଯିବ । ଯାହା ପ୍ରକଳ୍ପର ବିବରଣୀକୁ ପ୍ରଦର୍ଶନ କରିବ । ସମସ୍ତ ସିଏଫସି/ ସିଟିସି ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପ ଓ ଏହିପରି କ୍ଲଷ୍ଟରଗୁଡ଼ିକର ଉତ୍ପାଦିତ ସାମଗ୍ରୀକୁ ‘ସୃଜନିକା’ ନାମରେ ବ୍ରାଣ୍ଡିଂ କରାଯିବ । କାରିଗରମାନଙ୍କ ଦ୍ୱାରା ଉତ୍ପାଦିତ ହସ୍ତଶିଳ୍ପର ବିକ୍ରିବଟା ସେମାନଙ୍କ ରୋଜଗାର ବୃଦ୍ଧି କରିବାରେ ସହାୟକ ହେବ । ‘ସୃଜନିକା’ ମାଧ୍ୟମରେ କାରିଗରଙ୍କ ସାମଗ୍ରୀକୁ ସହଜ ଓ ସୁବିଧାରେ ବିକ୍ରି କରାଯାଇପାରିବ । ପରିଚାଳନା ପାଇଁ ଥିବା ଏଜେନ୍ସିଗୁଡ଼ିକ ମଧ୍ୟ ଉତ୍ପାଦିତ ସାମଗ୍ରୀ ଗୁଡ଼ିକ ଇ-କମର୍ସ ଉପାୟରେ ବିକ୍ରି କରିପାରିବେ । ଯାହାଦ୍ୱାରା କାରିଗରଙ୍କ ପାଇଁ ସେମାନଙ୍କ ଆୟର ଏକ ଉତ୍ସ ସୃଷ୍ଟି କରିପାରିବେ । ଓଏନ୍ଡିସି, ଜେମ୍ ଏବଂ ଅନ୍ୟାନ୍ୟ ଇ-କମର୍ସ ପୋର୍ଟାଲରେ ବିକ୍ରିବଟା କରିବାର ସୁଯୋଗ ସୃଷ୍ଟି କରାଯିବ । ଏଥିପାଇଁ ବିଭାଗ ପ୍ରତ୍ୟେକ ଜିଲ୍ଲାରେ ଜଣେ ମାର୍କେଟିଂ କାର୍ଯ୍ୟନିର୍ବାହୀଙ୍କୁ ନିୟୋଜିତ କରିବାକୁ ଚିନ୍ତା କରୁଛି । ଯିଏ ହସ୍ତଶିଳ୍ପର ବିକ୍ରି ପାଇଁ କାରିଗର ଏବଂ ଏଜେନ୍ସିଗୁଡ଼ିକୁ ମଧ୍ୟ ସୁବିଧା ପ୍ରଦାନ କରିବେ ।