ବ୍ରହ୍ମପୁର,୧୧/୨ : ଗିରିଜା ରେଷ୍ଟୁରାଣ୍ଟରୁ ମିଳିଲା ମୃତଦେହ । ଟାଉନ ଥାନା ଅର୍ନ୍ତଗତ ଧର୍ମ ନଗର ଗିରିଜା ରେଷ୍ଟୁରାଣ୍ଟ । ଭିତର ପ୍ରଥମ ମହଲାର ଏକ ଅବ୍ୟବହୃତ ବାଥ୍ ରୁମ୍ ଭିତରୁ ଜଣେ କର୍ମଚାରୀଙ୍କ ଗଳିତ ଶବ ଜବତ କରିଛି ପୋଲିସ । ମୃତକ ଜଣଙ୍କ ଗଜପତି ଜିଲ୍ଲା ମୋହନା ବ୍ଲକ ଅଂଚଳର ପ୍ରେମାନନ୍ଦ ମଲିକ( ୨୪) ବୋଲି ଜଣାପଡ଼ିଛି । ସେ ୪ରୁ ୫ଦିନ ପୂର୍ବେ ଗାଁକୁ ଯାଉଥିବା କହି ହୋଟେଲରୁ ଯାଇଥିଲା । ଆଜି ପ୍ରଥମ ମହଲାର ଏକ ଅବ୍ୟବହୃତ ଘରୁ ତା’ର ମୃତଦେହ ଉଦ୍ଧାର ହୋଇଛି।
ପ୍ରକାଶ ଯେ, ବାଥ୍ ରୁମ୍ ରୁ ଦୁର୍ଗନ୍ଧ ବାହାରିଥିଲା। ଫଳରେ କର୍ମଚାରୀମାନେ ତା‘ର କବାଟ ଖୋଲି ଦେଖିଲା ବେଳକୁ ପ୍ରେମାନନ୍ଦର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଟାଉନ ଥାନାରେ ଅଭିଯୋଗ ଦେବା ପରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରେମ ସମ୍ପର୍କକୁ ନେଇ ସେ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ କହୁଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସ୍ଥିତି ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ତେବେ ଏ ସବୁ ଭିତରେ ଉପର ମହଲାରେ ପ୍ରତିଦିନ ଲୋକେ ହୋଟେଲକୁ ଆସନ୍ତି। କିଭଳି ମୃତକ ବିଷୟରେ କେହି ସୁରାକ ପାଇଲେ ନାହିଁ ତାହା ସନ୍ଦେହ ସୃଷ୍ଟି କରୁଛି। କିପରି ଏବଂ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି ତାହା ତଦନ୍ତ ସାପେକ୍ଷ।