ପ୍ରମୂଖ ଖବର
  • ବିଧାନସଭାରେ ମୋବାଇଲ୍ ପ୍ରବେଶ ଉପରୁ ହଟିଲା କଟକଣା, ସାମ୍ବାଦିକଙ୍କ ସହ ଆଲୋଚନା ପରେ ବାଚସ୍ପତିଙ୍କ ନିଷ୍ପତ୍ତି
  • ||
  • ଭରତପୁର ଥାନା ମାମଲା: ସରକାରଙ୍କୁ ୨୮୨ ଫର୍ଦ୍ଦର ରିପୋର୍ଟ ଦେଲେ ତଦନ୍ତ କମିଶନ ଅଧ୍ୟକ୍ଷ
  • ||
  • ଭଦ୍ରକ : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବାଇକ୍, ୨ ଯୁବକ ମୃତ
  • ||
  • ଦିଗପହଣ୍ଡିରେ ଟ୍ରାକ୍ଟର-ସ୍କୁଲ ବସ୍ ମୁହାଁମୁହିଁ ଧକ୍କା: ୫ ଛାତ୍ର ଆହତ, ଚାପି ହୋଇ ରହିଗଲେ ବସ୍‌ ଚାଳକ
  • ||
  • ବୁଧବାର ମହାଖଳାରେ ରୁକୁଣା କାଠ ଅନୁକୂଳ ପୂଜା, ରଥ ନିର୍ମାଣରେ ନିୟୋଜିତ ହେବେ ୭୦ ଜଣ କାରିଗର
  • ||
  • ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଆଜି ହାଇକୋର୍ଟରେ ହେବ ଶୁଣାଣି
  • ||
  • ଆସିଲା ଡଲଫିନ୍ ଗଣନା ରିପୋର୍ଟ: ଶୀର୍ଷରେ ରାଜନଗର, ଦ୍ୱିତୀୟରେ ଚିଲିକା
  • ||
  • ଓଡ଼ିଶା ଗସ୍ତ‌ରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,୨୪ରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ଷ୍ଟିଲ୍‌ ସିଟିରେ ଗର୍ଜିଲା ପୋଲିସର ବନ୍ଧୁକ, ଏନ୍‌କାଉଣ୍ଟରରେ ଘାଇଲା ହେଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ
  • ||
  • ରାଜ୍ୟରେ ଆହୁରି ୩ ଦିନ କଲବଲ କରିବ ତାତି, ୪୦ ଟପିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ବଢ଼ିଚାଲିଛି ସାଇବର ଠକଙ୍କ ଦୌରାତ୍ମ୍ୟ, ବର୍ଷକରେ ଲୁଟିଛନ୍ତି ୩ ଗୁଣା ଅଧିକ

Published By : Prameya | March 11, 2025 8:21 AM

ଭୁବନେଶ୍ୱର, ୧୧/୦୩ : ବଢ଼ିଚାଲିଛି ସାଇବର ଅପରାଧୀଙ୍କ ଦୌରାତ୍ମ୍ୟ। ବର୍ଷକରେ ଲୁଟିଛନ୍ତି ୩ ଗୁଣା ଅଧିକ। ଓଡ଼ିଶାରେ ରୁଜୁ ହୋଇଥିବା ମାମଲା ମୁତାବକ, ୨୦୨୩ରେ ୪୭.୭୫ କୋଟି ଟଙ୍କାର ଠକେଇ ହୋଇଥିଲା। ୨୦୨୪ରେ ଠକେଇ ପରିମାଣ ତିନି ଗୁଣରୁ ଅଧିକ ଟପିଯାଇଛି। ରାଜ୍ୟରୁ ମୋଟ ୧୫୩.୧୬ କୋଟି ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ। ଖାଲି ସେତିକି ନୁହେଁ, ବର୍ଷକରେ ଅଭିଯୋଗକାରୀଙ୍କ ସଂଖ୍ୟା ୧୪୦ ପ୍ରତିଶତ ବଢ଼ିଛି। ୨୦୨୩ରେ ୧୮,୦୮୧ଜଣ ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ (ଏନ୍‌ସିଆର୍‌ପି) ରେ ଅଭିଯୋଗ କରିଥିବା ବେଳେ ଗତବର୍ଷ ଅଭିଯୋଗକାରୀଙ୍କ ସଂଖ୍ୟା ୪୩,୭୪୦କୁ ବଢ଼ିଛି। ବିଧାନସଭାରେ ରାଜ୍ୟ ସରକାର ଏହି ତଥ୍ୟ ଦେଇଛନ୍ତି।

ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସାଇବର ଠକେଇ ସହ ବ୍ୟାଙ୍କ ଜାଲିଆତିରେ ଡିଜିଟାଲ ଠକେଇ ନେଇ ୨ ବର୍ଷର ସୁବିସ୍ତୃତ ରିପୋର୍ଟ ରାଜ୍ୟ ସରକାରଙ୍କୁ ମାଗିଥିଲେ । ଗୃହ ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉତ୍ତର ଅନୁସାରେ, ବିଭିନ୍ନ ଥାନାରେ ୨୦୨୩ରେ ମୋଟ ୧୩୬୨ ମାମଲା ରୁଜୁ କରାଯାଇଥିଲା । ଠକେଇ ହୋଇଥିବା ୪୭ କୋଟି ୭୫ ଲକ୍ଷ ୯୯ ହଜାର ୭୯୬ ଟଙ୍କାରୁ ମାତ୍ର ୧ କୋଟି ୫୨ ଲକ୍ଷ ୫୯ହଜାର ୯୬୫ ଟଙ୍କା ଉଦ୍ଧାର କରାଯାଇ ପାରିଛି। ଅତିରିକ୍ତ ୨.୨୭ କୋଟି ଟଙ୍କାକୁ ପୁଲିସ ଅଚଳ କରିପାରିଛି । ବାକି ୪୩ କୋଟି ଟଙ୍କା ଫେରାଇ ଆଣିବାରେ ବିଫଳ ହୋଇଛି ପୁଲିସ। 

ଗତବର୍ଷ ସାଇବର ଠକ ମୋଟ ୧୫୫୩ଟି ମାମଲାରେ ୧୫୩ କୋଟି ୧୬ ଲକ୍ଷ ୪ ହଜାର ୯୩୪ ଟଙ୍କା ରାଜ୍ୟରୁ ଲୁଟି ନେଇଥିଲେ। ସେଥିରୁ ମାତ୍ର ୧ କୋଟି ୯୯ ଲକ୍ଷ ଟଙ୍କା ପୁଲିସ ଫେରାଇ ଆଣି ପାରିଛି । ଅତିରିକ୍ତ ୮ କୋଟି ୫୩ ଲକ୍ଷ ୪୪ ହଜାର ୬୧୮ ଟଙ୍କାର କାରବାରକୁ ପୁଲିସ ଅଚଳ କରିପାରିଛି । ବଳକା ୧୪୨ କୋଟି ଟଙ୍କାକୁ ଅଦୃଶ୍ୟ ଜଗତର ଠକମାନେ ହଜମ କରିଦେଇଛନ୍ତି । ବର୍ଷକ ଭିତରେ ସାଇବର ଠକେଇ ମାମଲା ସଂଖ୍ୟା ୧୪.୦୨% ବୃଦ୍ଧି ପାଇଛି । ୨ ବର୍ଷରେ ମାତ୍ର ୩୪୪ଜଣ ସାଇବର ଠକଙ୍କୁ ଗିରଫ କରାଯାଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ ଜାନୁଆରୀ ମାସ ଶେଷ ସୁଦ୍ଧା ସାଇବର ଠକ ମୋଟ ୨୦ କୋଟି ୭୪ ଲକ୍ଷ ୯୨ ହଜାର ୫୫୫ ଟଙ୍କା ଠକି ନେଲେଣି । ସାରା ରାଜ୍ୟରେ ୧୧୫ଟି ମାମଲା ରୁଜୁ ହୋଇଥିବା ବେଳେ ୭ ଜଣଙ୍କୁ ଗିରଫ କରାଯାଇଛି । 

ଏ ତ ଗଲା ଥାନାରେ ରୁଜୁ ହୋଇଥିବା ମାମଲାର ତଥ୍ୟ । ଏନ୍‌ସିଆର୍‌ପି ତଥ୍ୟ ଦର୍ଶାଉଛି, ୨୦୨୩ରେ ମୋଟ ଆର୍ଥିକ ଠକେଇ ପରିମାଣ ୭୯.୬୬ କୋଟି ଟଙ୍କା ଥିଲା । ଗତବର୍ଷ ଏହା ବଢ଼ି ୪୧୫.୯୦ କୋଟି ଟଙ୍କାରେ ପହଞ୍ଚିଛି । ଆଉ ଏଥିରୁ ମାତ୍ର ୧୦ ଭାଗ ଅର୍ଥ ଆଦାୟ କିମ୍ବା ଜବତ କରାଯାଇ ପାରିଛି । ଚଳିତ ଆର୍ଥିକ ବର୍ଷରେ ଜାନୁଆରୀ ଶେଷ ସୁଦ୍ଧା ୪୩୧୪ଜଣ ଏନ୍‌ସିଆର୍‌ପିରେ ସାଇବର ଠକେଇ ନେଇ ଅଭିଯୋଗ କରିଛନ୍ତି । ସେମାନଙ୍କଠାରୁ ୪୧ କୋଟି ଟଙ୍କା ଠକେଇ ହୋଇଛି । 

ସୂଚନାଯୋଗ୍ୟ, କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ସମନ୍ୱୟରେ ଗଢ଼ାଯାଇଥିବା ସାଇବର ହେଲ୍ପଲାଇନ ନଂ ୧୯୩୦ରେ ହୋଇଥିବା ଠକେଇଜନିତ ଅଭିଯୋଗ ତଥ୍ୟ ଏନ୍‌ସିଆର୍‌ପିରେ ଅନ୍ତର୍ଭୁକ୍ତ ଅଛି । ବର୍ତ୍ତମାନ ରାଜ୍ୟର ୧୪ଟି ପୁଲିସ୍‌ ଜିଲ୍ଲାରେ ସାଇବର ଥାନା ସ୍ଥାପନ କରାଯାଇଛି । ସମସ୍ତ ପୁଲିସ୍‌ ଜିଲ୍ଲାରେ ସାଇବର ସେଲ ଗଢ଼ାଯାଇଛି । ଭୁବନେଶ୍ୱରରେ କ୍ରାଇମବ୍ରାଞ୍ଚର ସାଇବର କମ୍ପେ୍ଲକ୍ସର ୬ଟି ସମାନ୍ତରାଳ ଲାଇନ ସହ ୩ଟି ସିଫ୍ଟରେ ବର୍ଷ ତମାମ କାମ କରୁଛି । ଗତବର୍ଷ ନୂଆ ଫୋରେନ୍ସିକ ଏକ୍ସଆର୍‌ୱାଇ, ମୋବାଇଲ୍‌ ଫୋରେନ୍ସିକ, ଇମେଲ ଆନାଲାଇଜର, ଡିଭିଆର ଏକ୍‌ଜାମିନର, କ୍ରାଇମ୍‌ ଓଏସ୍‌, ଆଇଏକ୍ୟୁଟି, ଆଇ ନାଇନ୍‌ ସିଡିଆର୍‌ ଆନାଲାଇଜର ସଫ୍ଟୱେର ଭଳି ଉପକରଣଗୁଡି଼କ କିଣାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.