ବାଙ୍କୀ, ୧୨।୬ ଢ଼ାବାରେ ଖାଇବାକୁ ନେଇ ବଚସା ପରେ ମାରପିଟ୍। ଏଥିରେ ହୋଟେଲ ମାଲିକ ଆକ୍ରମଣରେ ଗ୍ରାହକ ମୃତ। ଏଥିସହ ଜଣେ ଆହତ ହୋଇଛି। ଯାହାକୁ ନେଇ ବାଙ୍କୀ - କଟକ ମୁଖ୍ୟ ରାସ୍ତା ଅବରୋଧ ହୋଇଛି। ଏମିତି ସ୍ଥିତି ଦେଖିବାକୁ ମିଳିଛି ଗୁରୁବାର ସନ୍ଧ୍ୟାରେ ବାଙ୍କୀ ଥାନା ଅଧୀନରେ ରହିଥିବା ଭଗିପୁର ଗ୍ରାମରେ। ମୃତକ ଜଣକ ହେଲେ ଭାଗିପୁର ଗ୍ରାମର ସୁଦାମ ନାୟକ ।
ଭାଗିପୁର ଗ୍ରାମର ସୁଦାମ ନାୟକ ଓ ମନୋଜ ନାୟକ ଭଗିପୁର ଛକରେ ଥିବା ହୋଟେଲ ହଟ୍ ସେଭେନ ଢାବାକୁ ଖାଇବାକୁ ଯାଇଥିଲେ। ସେଠାରେ ଖାଇବାକୁ ନେଇ ଢାବାରେ ମାଲିକ ସନ୍ତୋଷ ସାହୁଙ୍କ ସହ ସୁଦାମ, ମନୋଜଙ୍କ ବଚସା ହୋଇଥିଲା। ବଚସା ଉଗ୍ର ରୂପ ନେଇଥିଲା। ଢ଼ାବା ମାଲିକ ସନ୍ତୋଷ ଓ ତାଙ୍କର କିଛି ସହଯୋଗୀ ମିଶି ବିଭିନ୍ନ ମରଣାସ୍ତ୍ରରେ ସୁଦାମ ଓ ମନୋଜଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ସୁଦାମଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକ କଟକ ବଡ଼ମେଡିକାଲ ନେଇଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସୁଦାମଙ୍କ ମୃତ୍ୟୁ ହୋଇଥିଲା। ଗ୍ରାମବାସୀ ଖବର ପାଇବା ପରେ ବାଙ୍କୀ ମୁଖ୍ୟ ରାସ୍ତାକୁ ଅବରୋଧ କରିବା ସହ ସନ୍ତୋଷଙ୍କ ହୋଟେଲକୁ ସମ୍ପୂର୍ଣ୍ଣ ଭାବେ ନିଆଁ ଲଗାଇ ଜାଳିଦେଥିଲେ। ରାସ୍ତା ରୋକ ପାଇଁ ଉଭୟ ପାର୍ଶ୍ଵରେ ସହ ସହ ଗାଡ଼ି ଅଟକି ରହିଥିଲା। ରାତିରେ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ସାହୁକୁ ବାଙ୍କୀ ଥାନା ଅଧିକାରୀ ଦିଲୀପ କୁମାର ମର୍ଦ୍ଦରାଜ ଭୂୟାଁ ଚନ୍ଦକା ଜଙ୍ଗଲରୁ ଗିରଫ କରିଛନ୍ତି। ଆଉ ଜଣେ ଅଭିଯୁକ୍ତ ଫେରାର ରହିଛି। ମୃତକ ପରିବାର ପକ୍ଷରୁ କୌଣସି ଏତଲା ଦିଆଯାଇ ନାହିଁ।