ଭୁବନେଶ୍ୱର, ୨।୬ : ରାଜ୍ୟରେ ବଢ଼ି ଚାଲିଛି ନାରୀ ନିର୍ଯାତନା । ଏନସିଆରବି ମଧ୍ୟ ନାରୀ ନିର୍ଯାତନା ବଢ଼ିବା ନେଇ ତାଗିଦ୍ କରିଛନ୍ତି । ହେଲେ ରାଜ୍ୟରେ ମହିଳା କମିଶନ ନାହାନ୍ତି । ନାରୀ ହିଂସା ନେଇ ବିଜେଡିକୁ ଘେରୁଥିବା ବିଜେପି ମହିଳା କମିଶନ ନିଯୁକ୍ତି କରୁନି । କମିଶନର କୋଣସି ସଦସ୍ୟ ମଧ୍ୟ ନାହାନ୍ତି । ରାଜ୍ୟ ସରକାର ଏକଛତ୍ରବାଦ ଶାସନ ଚଳାଇଛନ୍ତି ।
ସେହିପରି ରାଜ୍ୟରେ ଶିଶୁ ନିଖୋଜ ସଂଖ୍ୟା ବଢ଼ି ଚାଲିଛି । ତଥାପି ଗତ ମାର୍ଚ୍ଚରୁ ଶିଶୁ ସୁରକ୍ଷା ଆୟୋଗ ପଦବୀ ଖାଲି ପଡ଼ିଛି । ଲୋକାଯୁକ୍ତ ବି ନିଯୁକ୍ତି ହେଉନି । କେମିତି ଚାଲିବ ଶାସନ ? ଲୋକଙ୍କ ସରକାର କହୁଥିବା ଏ ରାଜ୍ୟ ସରକାର ରାଜ୍ୟରେ ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥାକୁ ପଙ୍ଗୁ କରି ଦେଇଛନ୍ତି । ମାସେ ଭିତରେ ସମସ୍ତ ଅର୍ଦ୍ଧ ନ୍ୟାୟିକ ପଦବୀ ପୂରଣ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି। ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବୀ ନିଶିକାନ୍ତ ମିଶ୍ର ଏହି ଦାବି କରିଛନ୍ତି ।
ସେହିପରି କଂଗ୍ରେସର ନାରୀ ନେତ୍ରୀ ତଥା ସୂଚନା ଅଧିକାର କର୍ମୀ ମନୀଷା ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ୩ ପ୍ରଶ୍ନ ପଚାରିଛନ୍ତି । ସରକାର ଆଇନକୁ ସମ୍ମାନ ଦିଅନ୍ତି କି ନାହିଁ ? ସରକାର କାହିଁକି ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା ପାଇଁ ସଚେତନ ନାହାନ୍ତି ? ଏ ସରକାର ଲୋକଙ୍କ ସରକାର କହିବା କେବଳ ଡିଣ୍ଡିମ । ତେବେ ତୁରନ୍ତ ନିଯୁକ୍ତି ନହେଲେ ଆନ୍ଦୋଳନ ହେବ ବୋଲି ମନୀଷା ଚେତାବନୀ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ବିଶ୍ଵବିଦ୍ୟାଳୟ ପୂର୍ବତନ ସଭାପତି ହିମାଂଶୁ ଲେଙ୍କା ଉପସ୍ଥିତ ରହି ରାଜ୍ୟରେ ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ।