ଭୁବନେଶ୍ୱର, ୨୯।୧୨: ଦକ୍ଷିଣ ଓଡ଼ିଶାର କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ମାଲକାନଗିରିର ଗୋଟିଏ ଦୁଇଟି ଜାଗାରେ ରବିବାର ହାଲୁକା ବର୍ଷା ହୋଇପାରେ । ପଶ୍ଚିମା ବାୟୁ ପ୍ରଭାବରେ ଏଭଳି ବର୍ଷା ସମ୍ଭାବନା ଅଛି । ଶନିବାର ସନ୍ଧ୍ୟା ସୁଦ୍ଧା ରାଜ୍ୟର କୌଣସି ସ୍ଥାନରେ ବର୍ଷା ହୋଇନଥିବାରୁ ଚାଷୀକୂଳ ଆଶ୍ୱସ୍ତ ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ରବିବାର ୪ଟି ଜିଲ୍ଲାକୁ ବାଦ୍ ଦେଲେ ସବୁଠି ପାଗ ଶୁଖିଲା ରହିବ । ୨ ଦିନ ପରେ ରାଜ୍ୟରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ କମିପାରେ । ବିଦାୟୀ ବର୍ଷ ୨୦୨୪ର ଶେଷ ରାତି (୩୧ ତାରିଖ)ରୁ ରାଜ୍ୟରେ ଥଣ୍ଡା ପ୍ରକୋପ ବଢ଼ିପାରେ । ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ବିଶେଷଜ୍ଞଙ୍କ କହିବାନୁସାରେ ଭାରତର ପୂର୍ବଭାଗରେ ଥିବା ଗୁରୁଚାପ ବଳୟର ପଶ୍ଚିମା ଗତି ଯୋଗୁ ୩୦ ତାରିଖରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ପବନ ପ୍ରବାହ ବଢ଼ିବ । ଏହା ପ୍ରଭାବରେ ରାତି ତାପମାତ୍ରା କମିବ । ଜାନୁଆରୀ ପ୍ରଥମ ସପ୍ତାହରେ ରାଜ୍ୟରେ ଶୀତ ପ୍ରକୋପ ଜାରି ରହିବ ।
ଅନୁମାନ କରାଯାଉଛି ଯେ, ଡିସେମ୍ବର ୩୧ ରାତିରେ ଭୁବନେଶ୍ୱର ତାପମାତ୍ରା ୧୩ ଡିଗ୍ରୀ ସେଲସିୟସକୁ ଖସିପାରେ । ଶୁକ୍ରବାର ରାତିରେ ଥିଲା ୧୪.୪ ଡିଗ୍ରୀ । ଫୁଲବାଣୀ ତାପମାତ୍ରା ୧୦ ଡିଗ୍ରୀ ପାଖାପାଖି ରହିପାରେ । ପୂର୍ବରୁ ଅନୁମାନ କରାଯାଇଥିଲା, ଶନିବାର ଓ ରବିବାର ପଶ୍ଚିମ ଏବଂ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପାଗ ମେଘୁଆ ସହ ହାଲୁକା ବର୍ଷା ହୋଇପାରେ । ମାତ୍ର ଶନିବାର ପ୍ରାୟତଃ ପାଗ ଶୁଖିଲା ରହିଥିଲା । ଅଳ୍ପ କିଛି ସ୍ଥାନରେ ଆଂଶିକ ମେଘୁଆ ଥିଲା । ମାତ୍ର ବର୍ଷା ନେଇ ସନ୍ଧ୍ୟା ସୁଦ୍ଧା କୌଣସି ରିପୋର୍ଟ ହସ୍ତଗତ ହୋଇନାହିଁ । ବର୍ଷା କମିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ଶୀତ ଅନୁଭୂତ ହୋଇଛି । ଶୁକ୍ରବାର ରାତିରେ ଦାରିଙ୍ଗିବାଡ଼ି ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ୍ ଥିବାବେଳେ ଫୁଲବାଣୀ, କୋରାପୁଟ, ୧୨.୫, ଅନୁଗୁଳ ୧୨.୬, ଭଦ୍ରକ ୧୨.୮, ଢେଙ୍କାନାଳ ୧୩.୬ ଡିଗ୍ରୀ ଥିଲା । ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ରାଉରକେଲା, ଯାଜପୁର, ଝାରସୁଗୁଡ଼ା ଓ କଟକ ତାପମାତ୍ରା ୧୫ ଡିଗ୍ରୀରୁ କମ୍ ଥିଲା ।