ଭାରତରେ ପ୍ରାଚୀନ କାଳରୁ ହିଁ ସମବାୟର ଏକ ସମୃଦ୍ଧ ଇତିହାସ ରହିଆସିଛି । ଏହାର ସଂକେତ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରୁ ମଧ୍ୟ ଆମମାନଙ୍କୁ ପ୍ରାପ୍ତ ହୋଇଥାଏ । ଦକ୍ଷିଣ ଭାରତରେ ମଧ୍ୟ ‘ନିଧି’ର ପ୍ରାଚୀନ ସମବାୟ ବିତ୍ତୀୟ ବ୍ୟବସ୍ଥାର ଝଲକ ପ୍ରଦାନ କରିଥାଏ । ପାଶ୍ଚାତ୍ୟ ଚିନ୍ତାଧାରାରେ ପ୍ରଭାବିତ ହୋଇ କିଛି ଅର୍ଥଶାସ୍ତ୍ରୀ ଏକବିଂଶ ଶତାବ୍ଦୀର ପ୍ରାରମ୍ଭ କାଳରେ ହିଁ ଏଭଳି ଚର୍ଚ୍ଚା ଆରମ୍ଭ କରିଥିଲେ ଯେ ସମବାୟ ବିଚାରଧାରା ଆଧୁନିକ ଯୁଗ ପାଇଁ ଅନୁପଯୁକ୍ତ ।
ସମବାୟ ଏଭଳି ଏକ ବ୍ୟବସ୍ଥା ଯାହା ସମାଜରେ ଆର୍ଥିକ ଭାବରେ ଆକାକ୍ଷା ଲୋକମାନଙ୍କୁ କେବଳ ସମୃଦ୍ଧ କରି ନଥାଏ ଅପର ପକ୍ଷେ ସେମାନଙ୍କୁ ଅର୍ଥ ବ୍ୟବସ୍ଥାର ମୁଖ୍ୟଧାରାର ଅଂଶବିଶେଷ ଭାବରେ ଉପସ୍ଥାପନ କରିଥାଏ । ସମବାୟ ଧନୀ କିମ୍ବା ଗରିବ ସବୁ ଲୋକଙ୍କ ସମୃଦ୍ଧି ନିମନ୍ତେ ଏକ ବିରାଟ ସାଧନ । ସମବାୟ ମାଧ୍ୟମରେ ଭାରତ ଏହି ଲକ୍ଷ୍ୟକୁ ପୂରଣ କରିବା ଦିଗରେ ନିରନ୍ତର ଭାବେ ଆଗକୁ ଅଗ୍ରସର ହୋଇ ଚାଲିଛି ।
ଆମ ଦେଶରେ ସମବାୟର ଏକ ବିସ୍ତୃତ ପରମ୍ପରା ରହିଆସିଛି, କିନ୍ତୁ ଦେଶ ସ୍ୱାଧୀନତା ଲାଭ କରିବା ପୂର୍ବରୁ ସମବାୟ ବ୍ୟବସ୍ଥା ଯେଉଁଭଳି ଭାବରେ ଆର୍ଥିକ ଆନ୍ଦୋଳନର ମାଧ୍ୟମ ପାଲଟିଥିଲା, ଏହାକୁ ଅଧିକ ଶକ୍ତି ପ୍ରଦାନ କରିବା ଏବଂ ସାମର୍ଥ୍ୟର ସହିତ ଆଗକୁ ବଢ଼ାଇବା କାର୍ଯ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ କାର୍ଯ୍ୟକାଳରେ ଆରମ୍ଭ କରାଯାଇଛି । ୨୦୨୧ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମବାୟକୁ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଭାବରେ ସ୍ଥାପନ କରି ସମବାୟ ପାଇଁ ପୂର୍ବରୁ ବନ୍ଦ୍ ଥିବା ସମସ୍ତ ଦ୍ୱାର ଉନ୍ମୋଚନ କରିଦେଇଥିଲେ । ବିଗତ ତିନି ବର୍ଷ ମଧ୍ୟରେ ଦେଶରେ ସମବାୟ ଆନ୍ଦୋଳନକୁ ଅଧିକ ମଜଭୁତ କରିବା ସକାଶେ ଯେତେ ଯେତେ ପଦକ୍ଷେପ ଗ୍ରହଣ କରାଯାଇଛି, ସେଥିରୁ ଭାରତ ଅନ୍ୟ କ୍ଷେତ୍ରଗୁଡ଼ିକ ସହିତ ସମବାୟ କ୍ଷେତ୍ରରେ ସୁଦ୍ଧା ‘ବିଶ୍ୱମିତ୍ର’ ଭାବେ ମୁଣ୍ଡ ଟେକିବା ଦିଗରେ ଆଗକୁ ବଢ଼ିବାରେ ଲାଗିଛି ।
ବର୍ତ୍ତମାନ ଭାରତର ସମବାୟ ଆନ୍ଦୋଳନ ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଯାଉଛି । ଦେଶ ୨୦୨୪ ମସିହା ନଭେମ୍ବର ୨୫- ୨୬ ତାରିଖ ଦିନ ଦିଲୀ୍ଲରେ ‘ଅନ୍ତରାଷ୍ଟ୍ରୀୟ ସମବାୟ ଗଠବନ୍ଧନ (ଆଇ. ସି. ପି.) ମହାସଭା’ ଏବଂ ବୈଶ୍ୱିକ ସମ୍ମିଳନୀର ଆୟୋଜନ କରିବାକୁ ପ୍ରସ୍ତୁତ ହୋଇଛି । ଆଇ. ସି.ପି.ର ୧୩୦ ବର୍ଷ ଇତିହାସରେ ଏହା ପ୍ରଥମ ସୁଯୋଗ ଯେତେବେଳେ ଭାରତ ଏଭଳି ବୈଶ୍ୱିକ ସମବାୟ ସମ୍ମିଳନୀର ଆୟୋଜନ କରୁଛି । ଏହି ସମ୍ମିଳନୀର ଆୟୋଜନ ସହିତ ମିଳିତ ଜାତିସଂଘ ଅନ୍ତରାଷ୍ଟ୍ରୀୟ ସମବାୟ ବର୍ଷ ୨୦୨୫ର ମଧ୍ୟ ଶୁଭାରମ୍ଭ ଘଟିବ । ଆଇ.ସି.ପି. ମହାସଭା ଏବଂ ବୈଶ୍ୱିକ ସମ୍ମିଳନୀର ଆୟୋଜନ ବୈଶ୍ୱିକ ସମବାୟ ଆନ୍ଦୋଳନରେ ଭାରତର ନେତୃତ୍ୱକୁ ସ୍ୱୀକାର କରିବା ପ୍ରତୀକ ବୋଲି ବିବେଚନା କରାଯାଇପାରେ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର ସରକାର ଗଠିତ ହେବା ପରଠାରୁ ନିରନ୍ତର ଭାବରେ ସମାଜର ପଛୁଆ ବର୍ଗ, ଅତି ପଛୁଆ ବର୍ଗ, ଗରିବ ଏବଂ ବିକାଶ ଦୌଡ଼ରେ ପଛରେ ପଡ଼ିଯାଇଥିବା ଲୋକମାନଙ୍କ ଉତ୍ଥାନ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଚାଲିଛି । ମୋଦୀ ସରକାର ଏକଥାକୁ ସ୍ୱୀକାର କରନ୍ତି ଯେ ଏହି ପରିବର୍ତ୍ତନ ସମବାୟ ଆନ୍ଦୋଳନକୁ ମଜଭୁତ କରିବା ବିନା ଏହା କଦାପି ସମ୍ଭବପର ହୋଇପାରିବ ନାହିଁ । ଏହି ଆୟୋଜନ ଏଭଳି ଏକ ସମୟରେ ହେଉଛି ଯେତେବେଳେ ଭାରତ ସମବାୟ ଆନ୍ଦୋଳନର ପୁନରୁତ୍ଥାନ ଦିଗରେ ଆଗକୁ ଅଗ୍ରସର ହେବାକୁ ଆରମ୍ଭ କରିଛି । ଦୁର୍ବଳ ପଡ଼ିଯାଇଥିବା ସମବାୟ ସଂସ୍ଥାଗୁଡ଼ିକର ସଶକ୍ତୀକରଣ ଠାରୁ ଆରମ୍ଭ କରି ବ୍ୟାପାରକୁ ସରଳ କରିବା, ସମବାୟ ସମିତିଗୁଡ଼ିକର ପାରଦର୍ଶିତା ଏବଂ ପ୍ରତିସ୍ପର୍ଦ୍ଧା ବୃଦ୍ଧି କରିବା ନିମନ୍ତେ ମଜଭୁତ ପ୍ରଶାସନିକ, ନୀତିଗତ ଏବଂ ଆଇନଗତ ପ୍ରାବଧାନମାନ ଗ୍ରହଣ କରାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ‘ସହକାର ସେ ସମୃଦ୍ଧି’ର ମନ୍ତ୍ର ଆମମାନଙ୍କୁ ଦେଇଛନ୍ତି ଯାହାର ଉଦ୍ଦେଶ୍ୟ ହେଲା ଦେଶର ସମବାୟ ସଂସ୍ଥାମାନଙ୍କୁ ଆତ୍ମନିର୍ଭରଶୀଳ ଏବଂ ସ୍ୱାବଲମ୍ବୀ କରିବା । ଦେଶରେ ସମବାୟ ତନ୍ତ୍ର ଅବା ବ୍ୟବସ୍ଥାର ବିସ୍ତାର ଘଟାଇ ଏକ ନୂତନ ଆର୍ଥିକ ମଡେଲ ଠିଆ କରିବା ଦିଗରେ କାର୍ଯ୍ୟ ଜାରି ରହିଛି । ଏହା ଭାରତର ଅର୍ଥ ବ୍ୟବସ୍ଥାକୁ ପାଞ୍ଚ ଟ୍ରିଲିଅନ୍ ଡଲାର ଅର୍ଥନୀତି ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ସଂକଳ୍ପକୁ ସାକାର କରିବା ଦିଗରେ ସହାୟକ ହେବ । ବିଶ୍ୱର ଅନ୍ୟ ରାଷ୍ଟ୍ରମାନଙ୍କ ନିମନ୍ତେ ଏହା ଏକ ବିକାଶ ମଡେଲ ଭାବରେ ଉଭା ହୋଇପାରିବ ।
ଭାରତରେ ପ୍ରାଚୀନ କାଳରୁ ହିଁ ସମବାୟର ଏକ ସମୃଦ୍ଧ ଇତିହାସ ରହିଆସିଛି । ଏହାର ସଂକେତ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରୁ ମଧ୍ୟ ଆମମାନଙ୍କୁ ପ୍ରାପ୍ତ ହୋଇଥାଏ । ଦକ୍ଷିଣ ଭାରତରେ ମଧ୍ୟ ‘ନିଧି’ର ପ୍ରାଚୀନ ସମବାୟ ବିତ୍ତୀୟ ବ୍ୟବସ୍ଥାର ଝଲକ ପ୍ରଦାନ କରିଥାଏ । ପାଶ୍ଚାତ୍ୟ ଚିନ୍ତାଧାରାରେ ପ୍ରଭାବିତ ହୋଇ କିଛି ଅର୍ଥଶାସ୍ତ୍ରୀ ଏକବିଂଶ ଶତାବ୍ଦୀର ପ୍ରାରମ୍ଭ କାଳରେ ହିଁ ଏଭଳି ଚର୍ଚ୍ଚା ଆରମ୍ଭ କରିଥିଲେ ଯେ ସମବାୟ ବିଚାରଧାରା ଆଧୁନିକ ଯୁଗ ପାଇଁ ଅନୁପଯୁକ୍ତ । ଏହାର ସମୟ ଅତିକ୍ରାନ୍ତ ହୋଇସାରିଛି । ମୁଁ ଏଠାରେ ଏହା ସ୍ପଷ୍ଟ କରିବାକୁ ଚାହେଁ ଯେ ଭାରତ ଭଳି ୧୪୦ କୋଟି ଜନସଂଖ୍ୟାବିଶିଷ୍ଟ ଏକ ରାଷ୍ଟ୍ର ପାଇଁ ତିନି କୋଟି, ପାଞ୍ଚ କୋଟି କିମ୍ବା ୧୦ କୋଟି ଜନସଂଖ୍ୟାଯୁକ୍ତ ଦେଶର ଆର୍ଥିକ ମଡେଲ କଦାପି ଉପଯୁକ୍ତ ହୋଇ ନପାରେ ।
ଦେଶକୁ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ କରିବା ସକାଶେ, ଆର୍ଥିକ ବିକାଶର ସମସ୍ତ ମାନକରେ ବୃଦ୍ଧି ଘଟାଇବା ସହିତ ଏହା ମଧ୍ୟ ଆବଶ୍ୟକ ଯେ ୧୪୦ କୋଟି ଲୋକଙ୍କର ସମୃଦ୍ଧି ଘଟୁ, ସମସ୍ତ ନାଗରିକଙ୍କୁ କାମ ମିଳୁ ଏବଂ ସେମାନଙ୍କୁ ସମ୍ମାନର ସହିତ ବଞ୍ଚିବାର ଅଧିକାର ପ୍ରାପ୍ତ ହେଉ। ଏହା କେବଳ ସମବାୟ ବ୍ୟବସ୍ଥା ମାଧ୍ୟମରେ ହିଁ ସମ୍ଭବପର ହୋଇପାରିବ । ଦେଶର ଇତିହାସରେ ଏହାର ଅନେକ ଉଦାହରଣ ଦେଖିବାକୁ ମିଳିବ । ଅହମ୍ମଦାବାଦ ଜିଲ୍ଲା ସମବାୟ ବ୍ୟାଙ୍କ୍ ବିଗତ ୧୦୦ ବର୍ଷ ମଧ୍ୟରେ ୧୦୦ କୋଟି ଟଙ୍କାର ଲାଭ ଉପାର୍ଜନ କରିପାରିଛି। ବ୍ୟାଙ୍କ ଯେ କେବଳ ନିଜର ଏନ.ପି.ଏ.କୁ ଶୂନ ରଖିବାରେ ସଫଳ ହୋଇଛି ତାହା ନୁହେଁ, ଅପରପକ୍ଷେ ଏହି ବ୍ୟାଙ୍କ୍ ନିକଟରେ ବର୍ତ୍ତମାନ ୬,୫୦୦ କୋଟି ଟଙ୍କାରୁ ଅଧିକ ଜମାରାଶି ମହଜୁଦ ରହିଛି । ‘ଅମୁଲ’କୁ ମଧ୍ୟ ସମବାୟ ଆନ୍ଦୋଳନର ଏକ ଉଲ୍ଲେଖନୀୟ ଉଦାହରଣ ଭାବେ ଗ୍ରହଣ କରାଯାଇପାରେ । ବର୍ତ୍ତମାନ ଏଥିରୁ ୩୫ ଲକ୍ଷ ପରିବାର ନିଜର ସମ୍ମାନ ଓ ରୋଜଗାର ପ୍ରାପ୍ତ ହୋଇପାରିଛନ୍ତି ଏବଂ ଏହିସବୁ ପରିବାରର ମହିଳାମାନେ ସମାଜର ଆଗ ଧାଡ଼ିରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ପରିଣାମ ସ୍ୱରୂପ, ଆଜି ‘ଅମୁଲ’ ସମବାୟ ସଂସ୍ଥାର ବାର୍ଷିକ କାରବାର ୮୦,୦୦୦ କୋଟି ଟଙ୍କାରେ ପହଞ୍ଚିଛି ।
ସବୁଠାରୁ ଉଲ୍ଲେଖନୀୟ କଥାଟି ହେଲା, ଏହିସବୁ ମହିଳାମାନଙ୍କ ମଧ୍ୟରୁ କେହି ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିରେ ୧୦୦ ଟଙ୍କାରୁ ଅଧିକ ପୁଞ୍ଜି ନିବେଶ କରି ନଥିଲେ । ସମବାୟ ଆନ୍ଦୋଳନକୁ ଅଧିକ ଶକ୍ତି ପ୍ରଦାନ କରିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗ ଦର୍ଶନରେ ସରକାର ୬୦ରୁ ଅଧିକ ଉପକ୍ରମରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଦଶନ୍ଧି ଦଶନ୍ଧି ଧରି ଅବହେଳାର ଶିକାର ଏବଂ ପ୍ରଶାସନିକ ସ୍ଥାଣୁତା ଯୋଗୁ ଅଧିକାଂଶ ପ୍ରାଥମିକ କୃଷି ଋଣ ସମିତି (ପାକ୍ସ) ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ନିଷ୍କ୍ରିୟ ହୋଇ ପଡ଼ିଥିଲେ । ସରକାର ଏହିସବୁ ପ୍ରାଥମିକ କୃଷି ଋଣ ସମିତିମାନଙ୍କ କାର୍ଯ୍ୟକ୍ଷେତ୍ରର ବିସ୍ତାରଣ ସହିତ ସେମାନଙ୍କୁ ଆର୍ଥିକ ରୂପେ ବ୍ୟବହାର୍ଯ୍ୟ କରିବା ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏଥି ନିମନ୍ତେ ନୂଆ ବାଇ-ଲ’ ଆପଣାଯାଇ ଏବେ ପି.ଏ.ସି.ଏସ. ଡାଏରୀ, ମତ୍ସ୍ୟ ପାଳନ, ଖାଦ୍ୟାନ୍ନ ଭଣ୍ଡାରଣ, ଜନ ଔଷଧି କେନ୍ଦ୍ର ଭଳି ୩୦ରୁ ଅଧିକ ବିବିଧ କ୍ଷେତ୍ରର ବ୍ୟାବସାୟିକ ଗତିବିଧି ସଞ୍ଚାଳନ କରିବାରେ ସକ୍ଷମ ହୋଇପାରିଛନ୍ତି । ତିନିଗୋଟି ରାଷ୍ଟ୍ରୀୟ ସ୍ତରର ଏକାଧିକ-ରାଜ୍ୟିୟ ସମବାୟ ସମିତିମାନ ଗଠନ କରିବା ଫଳରେ ସମବାୟ ଆନ୍ଦୋଳନ ଅଧିକ କ୍ଷେତ୍ରୀୟ ହେବା ସହିତ ଏହାର ପରିସର ମଧ୍ୟ ବ୍ୟାପକ ହୋଇପାରିଛି ।
ରାଷ୍ଟ୍ରୀୟ ସମବାୟ ରପ୍ତାନୀ ଲିମିଟେଡ୍ରେ ବିଦେଶୀ ବଜାର ପର୍ଯ୍ୟନ୍ତ ସମବାୟ ଉତ୍ପାଦକୁ ପହଞ୍ଚାଯିବା ବ୍ୟବସ୍ଥାକୁ ସୁଗମ କରାଯାଇପାରିଛି । ସେହିଭଳି ରାଷ୍ଟ୍ରୀୟ ସମବାୟ ଜୈବିକ ଲିମିଟେଡ୍ ଜୈବ ପ୍ରମାଣୀକରଣ ଏବଂ ବଜାରର ମଜଭୁତ ମଞ୍ଚ ପ୍ରସ୍ତୁତ କରିଛି । ଭାରତୀୟ ବିହନ ସମବାୟ ସମିତି ଲିମିଟେଡ୍ ଉନ୍ନତ କିଷମର ବିହନମାନ ସୁଲଭ ମୂଲ୍ୟରେ ପ୍ରାପ୍ତ ହେବା କାର୍ଯ୍ୟକୁ ସୁନିଶ୍ଚିତ କରିଛି । ଆର୍ଥିକ ସହାୟତା, କର ରିହାତି ଏବଂ ଇଥାନୋଲ ମିଶ୍ରଣ କାର୍ଯ୍ୟକ୍ରମ ଦ୍ୱାରା ସମବାୟ ଚିନିକଳଗୁଡ଼ିକ ଅଧିକ ସମୃଦ୍ଧ ହେବାରେ ଲାଗିଛନ୍ତି । ସମବାୟ ବ୍ୟାଙ୍କ୍ମାନଙ୍କରେ ଅର୍ଥ ଜମା ଉପରେ ମଧ୍ୟ ଅଧିକ ଜୋର୍ ଦିଆଯାଉଛି । ରାଷ୍ଟ୍ରୀୟ ସମବାୟ ଡାଟାବେସ୍ ମାଧ୍ୟମରେ ସମବାୟ ସମିତିଗୁଡ଼ିକୁ ପାରଦର୍ଶୀ କରିବା ଏବଂ ପ୍ରକ୍ରିୟାକୁ ସହଜସାଧ୍ୟ କରିବା ଦ୍ୱାରା ଦେଶର ସମବାୟ ଦୃଷ୍ଟିରୁ ସ୍ୱଳ୍ପ ବିକଶିତ କ୍ଷେତ୍ରମାନଙ୍କରେ ସମବାୟ ସମିତିଗୁଡ଼ିକ ଏବେ ପହଞ୍ଚି ପାରିଛନ୍ତି । ଏହା ବ୍ୟତୀତ, ସରକାର ଏକ ସମଗ୍ର ଏବଂ ବ୍ୟାପକ ନୂତନ ରାଷ୍ଟ୍ରୀୟ ସମବାୟ ନୀତି ଉପରେ ମଧ୍ୟ କାର୍ଯ୍ୟ କରୁଛନ୍ତି ।
ଆଇ.ସି.ଏ. ମହାସଭା ଏବଂ ବୈଶ୍ୱିକ ସମ୍ମିଳନୀ ୨୦୨୪ର ମଞ୍ଚ ଭାରତର ସମବାୟ ଆନ୍ଦୋଳନ ଦ୍ୱାରା ଆର୍ଥିକ ସମାଯୋଜନକୁ ପ୍ରୋତ୍ସାହନ ପ୍ରଦାନ କରି, ଆର୍ଥିକ ସଶକ୍ତୀକରଣ, ଲିଙ୍ଗଗତ ସମାନତାକୁ ସୁନିଶ୍ଚିତ କରିବା ଏବଂ ମିଳିତ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ (ଏସ. ଡି.ଜି) ଲକ୍ଷ୍ୟ ହାସଲ କ୍ଷେତ୍ରରେ ଭାରତର ଅଭୂତପୂର୍ବ ପ୍ରୟାସଗୁଡ଼ିକୁ ବିଶେଷ ଭାବରେ ଉଲ୍ଲେଖ କରୁଛନ୍ତି । ଏହି ସମ୍ମିଳନୀର ଏକ ମୁଖ୍ୟ କାର୍ଯ୍ୟସୂଚୀ ହେଲା ଏଭଳି ଏକ ପାରିସ୍ଥିତିକୀ ବ୍ୟବସ୍ଥାର ଗଠନ କରିବା, ଯାହା ସମବାୟ ସମିତିମାନଙ୍କୁ ଉତ୍ପନ୍ନ ସମସ୍ୟା ଓ ପ୍ରତିବନ୍ଧକକୁ ସାମ୍ନା କରିବା ଏବଂ ସକଳ ପ୍ରକାର ସୁଯୋଗର ଉପଯୋଗ ନିମନ୍ତେ ସଶକ୍ତ କରାଯାଇପାରିବ ।
ଆଜି ଯେତେବେଳେ ଏହି ଐତିହାସିକ ସମ୍ମିଳନୀର ଆୟୋଜନ ବ୍ୟବସ୍ଥା ଭାରତ କରିବାକୁ ଯାଉଛି, ମୁଁ ବିଶ୍ୱର ବିଭିନ୍ନ ସ୍ଥାନର ସମବାୟ ନେତୃବୃନ୍ଦ, ନୀତି ନିର୍ମାତାମାନଙ୍କୁ ଏବଂ ମାନବ ବିକାଶର ପକ୍ଷଧରମାନଙ୍କୁ ଆହ୍ୱାନ ଜଣାଉଛି । ଆସନ୍ତୁ! ଆମେ ବିଶ୍ୱ ସମବାୟ ଆନ୍ଦୋଳନକୁ ଆହୁରି ମଜଭୁତ କରିବା ନିମନ୍ତେ - ଶିଖିବା, ପରସ୍ପର ମଧ୍ୟରେ ଭାବ ବିନିମୟ କରିବା ଏବଂ ସମବାୟର ଭାବନା ସହିତ ଏକଜୁଟ ହେବା । ‘ସମବାୟରୁ ସମୃଦ୍ଧି’ ପ୍ରତି ଭାରତର ପ୍ରତିବଦ୍ଧତା ସାମୂହିକ ସମୃଦ୍ଧି, ନିରନ୍ତରତା ଏବଂ ବାସ୍ତବ ଲକ୍ଷ୍ୟ ହାସଲ କରାଯାଇଥିବା ପ୍ରଗତି ଭଳି ମୂଲ୍ୟ ଉପରେ ଆଧାରିତ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସଂକଳ୍ପ ଗ୍ରହଣ କରିବା ।