ବଲାଙ୍ଗିର,୧୭/୦୬: ମଙ୍ଗଳବାର ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ। ସେ ସ୍ଥାନୀୟ ପଥରଚେପା ପଡ଼ିଆରେ ହେବାକୁଥିବା ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ଯୋଗଦେବେ । ଚାଷୀଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଯୋଜନା ଏବଂ ଉପଲବ୍ଧି ସମ୍ପର୍କରେ କହିବେ । ସେଥିପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ଚାଲିଥିବା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅପରପକ୍ଷେ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି ଶିବିର ଉତ୍ସାହିତ ହୋଇଥିବା ଦେଖାଦେଇଛି । ଜିଲ୍ଲାକୁ କିଛି ବଡଭେଟି ମିଳିପାରେ ବୋଲି ଆଶା କରାଯାଉଛି । ମଙ୍ଗଳବାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କ ସମେତ ଅନ୍ୟ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ରହିବେ ।
ମଙ୍ଗଳବାର ସକାଳ ୯.୪୦ରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ସ୍ୱତନ୍ତ୍ର ବିମାନ ଯୋଗେ ତୁଷୁରା ଏୟାରଷ୍ଟ୍ରିପରେ ପହଞ୍ଚିବେ । ସେଠାରୁ ସେ କାର ଯୋଗେ ପଥରଚେପା ସ୍ଥିତ ସମାବେଶ ସ୍ଥଳକୁ ପହଞ୍ଚିବେ । ସେଠାରେ ପ୍ରାୟ ୨ଘଣ୍ଟାର କାର୍ଯ୍ୟକ୍ରମ ପରେ ୧ଟାରେ ପୁଣି ତୁଷୁରା ଏୟାରଷ୍ଟ୍ରିପ ଅଭିମୁଖେ ଫେରିଆସିବେ । ଶେଷରେ ୧ଟା ୫୦ରେ ପୁଣି ସେ ବିମାନଯୋଗେ ଭୁବନେଶ୍ୱରକୁ ଫେରିଯିବେ ।
ସୋମବାର ଦିନତମାମ ପ୍ରଶାସନ ଓ ପୁଲିସ ସମସ୍ତ ବ୍ୟବସ୍ଥା ନିରୀକ୍ଷଣ କରିଛି । ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ସମେତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଓମଫେଡ ଏମଡି ବିଜୟ ଅମୃତ କୁଲାଙ୍ଗେ ପ୍ରମୁଖ କାର୍ଯ୍ୟକ୍ରମସ୍ଥଳ ବୁଲି ଦେଖିଛନ୍ତି । ସେହିପରି କାର୍ଯ୍ୟକ୍ରମସ୍ଥଳରେ ଚାଷୀମାନଙ୍କୁ ସଚେତନ କରିବା ପାଇଁ ପ୍ରଦର୍ଶନୀ ଷ୍ଟଲଗୁଡ଼ିକ ଖୋଲାଯାଇଛି । ଏସମ୍ପର୍କରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କୁ ପଚାରିବାରୁ ସେ କହିଥିଲେ ଯେ, ରାଜ୍ୟସ୍ତରୀୟ କୃଷି ସମାବେଶରେ ପ୍ରାୟ ୧୫ହଜାରରୁ ଊଦ୍ଧ୍ୱର୍ ଜିଲ୍ଲା ଓ ଜିଲ୍ଲାବାହାରର ଚାଷୀ ଯୋଗଦେବେ । କାର୍ଯ୍ୟକ୍ରମରେ କେତେକ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ । ଚାଷୀଙ୍କ ବସିବା, ଖାଇବା, ପାର୍କିଂ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ପାଣିପାଗକୁ ନଜରରେ ରଖି ଉଭୟ ବସିବା ଏବଂ ଷ୍ଟଲଗୁଡ଼ିକରେ ୱାଟରପ୍ରୁଫିଂ ବ୍ୟବସ୍ଥା କରାଯାଇଛି । ଆବଶ୍ୟକସ୍ଥଳେ ପେଭର ବ୍ଲକ ପକାଯାଇଛି । ତେଣୁ ଆଶା ଶାନ୍ତିଶୃଙ୍ଖଳାର ସହ କାର୍ଯ୍ୟକ୍ରମ ସରିବ । ସେହିପରି ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଟିମ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି ।
ସେହିପରି କାରକେଡ ରିହରର୍ସଲ ଏବଂ ପୁଲିସର ପ୍ରସ୍ତୁତି ବୈଠକ ସରିଛି । ଏନେଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ସୁରକ୍ଷା ବ୍ୟବସ୍ଥା ନିରୀକ୍ଷଣ କରି ଶାନ୍ତିଶୃଙ୍ଖଳା ପରିଚାଳନା ପାଇଁ ୨୦ପ୍ଲାଟୁନ ଫୋର୍ସ, ୧୧୦ ଅଫିସର ମୁତୟନ ରହିବେ ବୋଲି କହିଛନ୍ତି । ଭିଡ଼ ନିୟନ୍ତ୍ରଣ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି ।