ଭୁବନେଶ୍ୱର,୦୭/୦୭: ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ୱରସ୍ଥିତ ଭକ୍ତକବି ମଧୁସୂଦନ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଜ୍ୟସ୍ତରୀୟ ୭୬ତମ ବନ ମହୋତ୍ସବ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଲେ, ଆମର ସୌଭାଗ୍ୟ ଯେ ଏଭଳି ଏକ ବିଦ୍ୟାଳୟରେ ଉପସ୍ଥିତ ରହି ବନ ମହୋତ୍ସବ ପାଳୁଛୁ । ବୃକ୍ଷ ରୋପଣ ବାର୍ତ୍ତା ଏହି ଶ୍ରୀଲିଙ୍ଗରାଜଙ୍କ ମାଟିରୁ ସାରା ଓଡିଶାକୁ ଯିବ । ପରିବେଶର ସୁରକ୍ଷା ଆମ ସଭିଙ୍କ ଦାୟିତ୍ୱ । ହେଲେ କ୍ଷୋଭର ବିଷୟ ଜଙ୍ଗଲ ନଷ୍ଟ ହେଉଛି । ଏଥି ଯୋଗୁଁ ପରିବେଶର ସନ୍ତୁଳନ ବିଗୁଡୁଛି । ଗ୍ଲୋବାଲ ୱାର୍ମିଙ୍ଗ ବଢୁଛି । ଋତୁ ଚକ୍ର ବଦଳୁଛି । ତେଣୁ ଏସବୁକୁ ରୋକିବାକୁ ହେଲେ ବ୍ୟାପକ ବୃକ୍ଷ ରୋପଣର ଆବଶ୍ୟକ ରହିଛି । ମା'ମାନେ ହେଉଛନ୍ତି ପ୍ରକୃତିର ରକ୍ଷକ । ସେମାନେ ଘର ବାହାରେ ତୁଳସୀ ଓ ବେଲ ଗଛ ଲଗାଇଥାନ୍ତି । ଏବେ ରାଜ୍ୟରେ ଜଙ୍ଗଲ ବୃଦ୍ଧି ପାଇଛି । ଏଥିପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ । ଏଣୁ ଆଜି ସଂକଳ୍ପ ନେବା ଘର ବାହାରେ ଆମେ ଗୋଟିଏ ଗୋଟିଏ ଗଛ ଲଗାଇବା । ଗତବର୍ଷ ୬ କୋଟିରୁ ଅଧିକ ଗଛ ଲଗାଇଛୁ । ଚଳିତବର୍ଷ ୭ କୋଟି ୫୦ ଲକ୍ଷ ଗଛ ଲଗାଇବୁ । ଆମ ସରକାର ଏବେ ଜଙ୍ଗଲ ନିଆଁକୁ ରୋକିବାକୁ କୃତ୍ରିମ ବୁଦ୍ଧିମତାର ସାହାଯ୍ୟ ନେଇଛି । ହେଲେ ଏଥିପାଇଁ ଜଙ୍ଗଲ ପାଖରେ ରହୁଥିବା ଗ୍ରାମବାସୀଙ୍କ ଦାୟିତ୍ୱ ରହିଛି । ସେହିପରି ବଜ୍ରପାତ ରୋକିବା ପାଇଁ ଏବର୍ଷ ୧୮ ଲକ୍ଷ ତାଳ ଗଛ ଲାଗିବ । ଏଥିସହ 'ଏକ ସୁଭଦ୍ରା ଏକ ଗଛ ' ଅଭିଯାନକୁ ମଧ୍ୟ ବ୍ୟାପକ କରାଯିବ ।
ଏହି ମହୋତ୍ସବ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ଲିଙ୍ଗରାଜଙ୍କ ବସ୍ତ୍ର ପ୍ରଦାନ କରାଯାଇଥିଲା । ବ୍ରାହ୍ମଣ ନିଯୋଗ ଓ ବଡ଼ୁ ନିଯୋଗର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉପସ୍ଥିତ ରହି କହିଲେ, ଜଳ, ଜଙ୍ଗଲ ଓ ଜମି ଆମପାଇଁ ମୂଲ୍ୟବାନ । ସେଥିପାଇଁ ଆମେ ଜଙ୍ଗଲ ସୃଷ୍ଟି କରୁଛୁ । ପ୍ରାକୃତିକ ବିପର୍ଯ୍ୟୟକୁ ଆଖିରେ ରଖି ସମୁଦ୍ର କୂଳରେ ହେନ୍ତାଳ ଓ ଝାଉଁ ଗଛ ଲଗାଉଛୁ । ଓଡିଶାକୁ ସବୁଜ ବନାନୀ କରିବୁ । ଆଜି ବୃକ୍ଷ ରୋପଣ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । 'ଏକ୍ ପେଡ ମା କେ ନାମ୍' ସେଥିପାଇଁ ସହାୟକ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ମୃତ୍ୟଞ୍ଜୟ ରଥ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।