ଭୁବନେଶ୍ୱର,୨୨/୦୮: ରାଜଧାନୀରେ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଘର ତୋଳିବାର ସ୍ୱପ୍ନ ପୂରଣ ହେବ । ସରକାର ସ୍ୱଳ୍ପ ମୂଲ୍ୟରେ ଯୋଗାଇ ଦେବେ ଘର । ଖାଲି ଘର ନୁହେଁ, କମ ଦରରେ ଭଡ଼ା ଘର ବି ଯୋଗାଇ ଦେବେ । ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି ।
ମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱରରେ ସାଧାରଣ ଲୋକେ ଘର ଖଣ୍ଡିଏ ନିର୍ମାଣ କରିବା ସମ୍ଭବ ହେଉନି । ଏନେଇ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏବଂ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ନିଗମ (ଓଏସ୍ଏଚ୍ବି) ପକ୍ଷରୁ ରାଜଧାନୀରେ ଅଧିକ ସଂଖ୍ୟର ଘର ନିର୍ମାଣ କରି ଯୋଗାଇ ଦିଆଯିବ । ପିପିପି ମୋଡ୍ରେ ଘର ତିଆରି କରିବାକୁ ସରକାର ସ୍ଥିର କରିଛନ୍ତି । ଘର ତିଆରି ପାଇଁ ଟେଣ୍ଡର ଆହ୍ୱାନ କରାଯିବ । କୋଅପରେଟିଭ ବ୍ୟାଙ୍କ ସହ ମଧ୍ୟ ସହବନ୍ଧିତ ହେବେ ସରକାର । କୋଅପରେଟିଭ ବ୍ୟାଙ୍କ ଘର ଗୁଡ଼ିକର ରକ୍ଷଣାବେକ୍ଷଣ କରିବା ସହ ସୁଲଭ ମୂଲ୍ୟରେ ଋଣ ଯୋଗାଇଦେବ । ପ୍ରାଥମିକ ଭାବେ ଏଭଳି ଗୃହ ନିର୍ମାଣ ପାଇଁ ଭୁବନେଶ୍ୱରର ଦୁଇଟି ଜାଗାକୁ ସରକାର ଚିହ୍ନଟ କରିଛନ୍ତି । ଗାଡ଼କଣରେ ୫ ଏକର ଜାଗା ଚିହ୍ନଟ କରାଯାଇଛି । ସେହିପରି ଘାଟିକିଆରେ ମଧ୍ୟ ଜାଗା ଚିହ୍ନଟ ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମାଗଣାରେ ଜାଗା ଯୋଗାଇ ଦେବାକୁ ନଗର ଉନ୍ନୟନ ବିଭାଗ ଚିଠି କରିବ ।
ଏମ୍ଆଇଜି, ଏଲ୍ଆଇଜି, ଏଲ୍ଆଇଜି -୧, ଏମ୍ଆଇଜି-୨ ଆଦି ୪ କିସମର ଘର ତିଆରି କରିବେ ସରକାର । ୧୫ ଲକ୍ଷରୁ ୫୦ ଲକ୍ଷ ଟଙ୍କା ଭିତରେ ଏହି ସବୁ ଘର ମିଳିବ । ଫଳରେ ସ୍ୱଳ୍ପ ଆୟକାରୀ ତଥା ମଧ୍ୟବିତ୍ତ ପରିବାରର ସହର ଭିତରେ ଘର ସ୍ୱପ୍ନ ପୂରଣ ହେବ । ଲଟେରି ମାଧ୍ୟମରେ ଘର ଆବଣ୍ଟନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ଧନୀ ଲୋକମାନେ ଏହି ଘର ପାଇଁ ଆବେଦନ କରିପାରିବେନି ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ ସହରକୁ ବସ୍ତିଶୂନ୍ୟ କରିବା ପାଇଁ ଯୋଜନା ଆଣିବାକୁ ଯାଉଛନ୍ତି ସରକାର । ଏଥିଲାଗି ଭୁବନେଶ୍ୱରରେ ୨୫ ହଜାର ନୂଆ ଆବାସ ନିର୍ମାଣ କରାଯିବ । ମିଳିତ ଭାବେ ବିଡିଏ ଓ ବିଏମ୍ସି ୯୦ ଦିନ ଭିତରେ ଏଥିଲାଗି ଜାଗା ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ, କଟକ ମହାନଗର ନିଗମ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ରାଜ୍ୟ ସରକାର ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବେ । ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ଏବଂ ଉନ୍ନୟନ କର୍ତ୍ତୃପକ୍ଷ ମିଶି ଏହି ସବୁ ଘର ତିଆରି କରିବେ ।