ପୁରୀ,୨୧/୭: ଆଜି (ସୋମବାର) ଶ୍ରୀମନ୍ଦିରେ ଚକ୍ରବୁହା ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନଧୂପ ନୀତି ଶେଷ ହେବାପରେ ମଇଲମ ହୋଇ ଶ୍ରୀଜିଉଙ୍କୁ ଖଣ୍ଡୁଆ ପାଟ ପିନ୍ଧାଇ ଆଳତୀ ଓ ସର୍ବାଙ୍ଗ ଆରମ୍ଭ ହୋଇଥାଏ । ଏହାପରେ ଦକ୍ଷିଣ ଘରୁ ମହାଜନ ସେବକଙ୍କ ଦ୍ଵାରା ମଦନ ମୋହନଙ୍କୁ ସିଂହାସନକୁ ଅଣାଯାଏ । ମହାପ୍ରଭୁଙ୍କଠାରୁ ଆଜ୍ଞା ମାଳ ପାଇବା ପରେ ମଦନ ମୋହନ ଏକାଦଶୀ ବେଢ଼ା ପରିକ୍ରମା (ଶ୍ରୀମନ୍ଦିର ଭିତରେ)ରେ ଯାଇଥାନ୍ତି ।
ଏହାପରେ ସୁନା ବେଶରେ ମହାପ୍ରଭୁଙ୍କ ହାତରେ ସୁସଜ୍ଜିତ ସୁନାର ଚକ୍ର (ଚକ୍ର ନାରାୟଣ)ଙ୍କୁ ସିଂହାସନ ନିକଟକୁ ନିଆଯାଇଥାଏ । ମହାପ୍ରଭୁଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ବିମାନ ବଡୁ ସେବକ ମାନଙ୍କ ଦ୍ଵାରା ବିମାନରେ ବିଜେ କରାଜାଇଥାଏ । ଉକ୍ତ ବିମାନକୁ ବିମାନ ବଡୁ ସେବାୟତ ସ୍କନ୍ଦରେ ବହନ କରି ସିଂହଦ୍ଵାର ଦେଇ ଶ୍ରୀନଅର ନିକଟକୁ ଯାଇଥାନ୍ତି । ସେଠାରେ ପନ୍ତିଭୋଗ ହେବା ପରେ, ଶ୍ରୀକ୍ଷେତ୍ରର ପ୍ରାଚୀନ ଚାରି ଆଶ୍ରମ ଯଥା- ମାର୍କଣ୍ଡେୟ, ଅଙ୍ଗିରା, ଭୃଗୁ, କଣ୍ଡୁ ଆଶ୍ରମକୁ ବିଜେ କରିଥାନ୍ତି ।
ପ୍ରତି ଆଶ୍ରମରେ ଶୀତଳ ଭୋଗ, ବନ୍ଦାପନା ହୋଇ ନଗର ପରିକ୍ରମା ପରେ ସୁବର୍ଣ୍ଣ ସୁଦର୍ଶନ ଚକ୍ର ଶ୍ରୀମନ୍ଦିରକୁ ପ୍ରତ୍ୟାଗମନ କରିଥାନ୍ତି । ଏହାକୁ ଚକ୍ରବୁଲା ଏକାଦଶୀ ବୋଲି ମଧ୍ୟ କୁହାଯାଏ । ବର୍ଷରେ ଥରେ ମାତ୍ର ସୁବର୍ଣ୍ଣଚକ୍ର ଶ୍ରୀମନ୍ଦିର ବାହାରକୁ ଏକାକୀ ବିଜେ କରିଥାନ୍ତି । ବର୍ଷର କୁମାର ପୂର୍ଣ୍ଣିମା, ରାଧାଷ୍ଟମୀ ଓ ଗହ୍ମାପୂର୍ଣିମା ଦିନ ଦାରବତନୁ ଚକ୍ରରାଜ ସୁଦର୍ଶନ ଆଶ୍ରମ ଭ୍ରମଣ କରିଥାନ୍ତି ।