ଭୁବନେଶ୍ୱର, ୭|୧୨(ବ୍ୟୁରୋ): ରୋଗୀଙ୍କ ଆବଶ୍ୟକତାର ୬୪ ପ୍ରତିଶତ ଶଯ୍ୟା ଡାକ୍ତରଖାନାରେ ନାହିଁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖାଲି ପଡ଼ିଛି ୪୦% ଡାକ୍ତର ପଦବି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ୫୮% ଡାକ୍ତର । ନର୍ସ ଓ ଫାର୍ମାସିଷ୍ଟ ବି ଅଭାବ । ଜରୁରି ଔଷଧ ମିଳୁନି । ମେଡିକାଲ କଲେଜ ଓ ହସ୍ପିଟାଲରେ ୪୮% ରୋଗୀ ଶଯ୍ୟାକୁ ଅମ୍ଳଜାନ ଯୋଗାଣ ବ୍ୟବସ୍ଥା ଅଛି । ବାକି ୪୨ ପ୍ରତିଶତ ଶଯ୍ୟାକୁ ମିଳୁନି । ଟ୍ରମା କେୟାର ସେଣ୍ଟର ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହିଁ । ରାଜ୍ୟ ସ୍ୱାସ୍ଥ୍ୟସେବାରେ ଏଭଳି ବିକଳ ଚିତ୍ର ସିଏଜିଙ୍କ ଅଡିଟରେ ଧରା ପଡ଼ିଛି ।
ଦେଶର ୨୧ ବୃହତ୍ ରାଜ୍ୟ ମଧ୍ୟରେ ସ୍ୱାସ୍ଥ୍ୟ ସେବାରେ ଓଡ଼ିଶା ସ୍ଥାନ ତଳ ଆଡ଼ୁ ତୃତୀୟ । କେବଳ ବିହାର ଓ ଉତ୍ତରପ୍ରଦେଶ ଆମ ତଳେ ଅଛନ୍ତି । ରାଜ୍ୟରେ ରୋଗୀଙ୍କ ସଂଖ୍ୟା ହୁ ହୁ ବଢ଼ୁଛି । ଡାକ୍ତରଖାନାରେ କିନ୍ତୁ ଆବଶ୍ୟକତା ଅନୁସାରେ ଶଯ୍ୟା ନାହିଁ । ଜାତୀୟ ସ୍ୱାସ୍ଥ୍ୟ ନୀତି ଅନୁସାରେ ରାଜ୍ୟର ହସ୍ପିଟାଲଗୁଡ଼ିକରେ ୯୧ହଜାରରୁ ଅଧିକ ଶଯ୍ୟା ଦରକାର । ଉପଲବ୍ଧ ଅଛି ମାତ୍ର ୩୨ ହଜାର ୭୬୭ । ୬୪ ପ୍ରତିଶତ ଶଯ୍ୟା ଅଭାବରୁ ହସ୍ପିଟାଲ୍ ଆସୁଥିବା ରୋଗୀମାନେ ଚଟାଣରେ ପଡ଼ି ଛଟପଟ ହେଉଛନ୍ତି । ଶଯ୍ୟା ଅଭାବରୁ ଜରୁରୀକାଳୀନ ଚିକିତ୍ସା ଆବଶ୍ୟକ ଥିବା ରୋଗୀଙ୍କୁ ମଧ୍ୟ ଫେରାଇ ଦିଆଯାଉଛି । ଅସ୍ତ୍ରୋପଚାର ବି ବାତିଲ ହେଉଛି ।
ସ୍ୱାସ୍ଥ୍ୟସେବାର ସଂଗୀନ ଚିତ୍ରକୁ ଦର୍ଶାଇ ସିଏଜି ଉଲ୍ଲେଖ କରିଛନ୍ତି, ଭାରତୀୟ ସ୍ୱାସ୍ଥ୍ୟ ମାନକ(ଆଇପିଏଚ୍ଏସ୍) ଅନୁସାରେ ରୋଗୀଙ୍କ ପାଇଁ ଶଯ୍ୟା ଉପଲବ୍ଧ କରାଇବାରେ ସରକାର ଫେଲ୍ ମାରିଛନ୍ତି । ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର(ଡିଏଚଏଚ୍)ରେ ୪୨% ଓ କମ୍ୟୁନିଟି ହେଲଥ୍ ସେଣ୍ଟର(ସିଏଚସି)ଗୁଡିକରେ ୪୯% ଶଯ୍ୟା ଅଭାବ ଅଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିୟମ ଅନୁସାରେ ପ୍ରତି ହଜାରେ ଲୋକଙ୍କ ପାଇଁ ଜଣେ ଡାକ୍ତର ଆବଶ୍ୟକ । ରାଜ୍ୟରେ କିନ୍ତୁ ୧,୬୨୨ ଲୋକଙ୍କ ପାଇଁ ଜଣେ ଡାକ୍ତର ଅଛନ୍ତି । ୩ଶହ ଲୋକଙ୍କ ପାଇଁ ଜଣେ ନର୍ସ ରହିବା କଥା । କିନ୍ତୁ ଓଡ଼ିଶାରେ ୩,୮୨୯ ଜଣଙ୍କ ପାଇଁ ଅଛନ୍ତି ଜଣେ । ମଞ୍ଜୁରୀପ୍ରାପ୍ତ ବିଶେଷଜ୍ଞ ପଦବିରୁ ୬୦% ଖାଲି । ପଦବି ଖାଲି ଥିବାରୁ ଗୁଣାତ୍ମକ ରୋଗୀ ସେବା ମିଳୁନି ।
କେବଳ ଯେ ଡାକ୍ତରଖାନାରେ ମାନବ ସମ୍ବଳ ଅଭାବ ତା ନୁହେଁ, ଡାକ୍ତର ତିଆରି କରୁଥିବା ମେଡିକାଲ କଲେଜରେ ଅନୁମୋଦିତ ପଦବିରୁ ୨୭ ପ୍ରତିଶତ ପ୍ରଫେସର ନ ଥିଲେ । ମେଡିକାଲ କଲେଜ ଓ ହସପିଟାଲରେ ୩୬ ପ୍ରତିଶତ ଷ୍ଟାଫ୍ ନର୍ସ ଖାଲି । ସୁପର ସ୍ପେସିଆଲିଟି ବିଭାଗରେ ମଧ୍ୟ ଅଧ୍ୟାପକଙ୍କ ଅଭାବ । ୨୦୧୬-୧୭ରୁ ୨୦୨୧-୨୨ ମଧ୍ୟରେ ସିଏଜିଙ୍କ ସର୍ଭେ ସ୍ପଷ୍ଟ କରିଛି, ରାଜ୍ୟରେ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକର ନିର୍ମାଣ କାର୍ଯ୍ୟ ମଧ୍ୟ ମଠେଇ ମଠେଇ ଚାଲିଛି । ଶଯ୍ୟା ଅଭାବ ଏଡ଼ାଇବାକୁ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ୭୨ଟି ସ୍ୱାସ୍ଥ୍ୟ ଅନୁଷ୍ଠାନରେ ନିର୍ମାଣ ଓ ନବୀକରଣ ଧାର୍ଯ୍ୟ ହୋଇଥିଲା । ମାତ୍ର ଏହା ଢ଼େର ବିଳମ୍ବ ପରେ ମଧ୍ୟ ସରିନଥିଲା । ୪୫୬ ନିର୍ମାଣ କାର୍ଯ୍ୟର ଯାଞ୍ଚରୁ ଜଣାପଡ଼ିଛି, ବହୁ କାମ ୨ରୁ ୫ ବର୍ଷ ପରେ ମଧ୍ୟ ଶେଷ ହୋଇପାରିନି । ୧୭୩୭ ସବ୍ ସେଣ୍ଟରର ନିଜସ୍ୱ କୋଠା ନଥିଲାବେଳେ ୯୪୫ରେ ବିଜୁଳି ସଂଯୋଗ ନାହିଁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚଏଚ)ରେ ମାନବ ସମ୍ବଳ ଓ ଯନ୍ତ୍ରପାତି ଅଭାବରୁ ଟ୍ରମା କେୟାର ସେଣ୍ଟର କାର୍ଯ୍ୟ କରୁନଥିଲା । ୩୨ ଡିଏଚଏଚ ମଧ୍ୟରୁ ମାତ୍ର ୧୭ଟିରେ ଆଇସିୟୁ ଉପଲବ୍ଧ ।
ଅଡିଟ୍ ରିପୋର୍ଟ ଦର୍ଶାଇଛି, ଯାଞ୍ଚ ହୋଇଥିବା ୭ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜରୁରୀକାଳୀନ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି । ମାତ୍ର ୪ଟିରେ ଟ୍ରମା କେୟାର୍ ସେଣ୍ଟର ନଥିଲା । ଅନ୍ୟ ୩ଟିରେ ଟ୍ରମା କେୟାର୍ ସେଣ୍ଟର ଥିଲେ ବି ଭିତ୍ତିଭୂମି ଓ ମାନବ ସମ୍ବଳର ଅଭାବ । ବାରିପଦାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରମା କେୟାର୍ ସେଣ୍ଟର କରାଯାଇନି । ଫଳରେ ୩.୦୪ କୋଟିର ଯନ୍ତ୍ରପାତି ଅକାମି ପଡ଼ିରହିଛି । ଅନୁରୁପ ଭାବେ ବାୟୋ-ମେଡିକାଲ୍ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୫୨.୬୪ କୋଟିର ଆଟୋକ୍ଲେଭ୍ ଏବଂ ଶ୍ରେଡର୍ ଭଳି ଯନ୍ତ୍ରପାତି ଭିତ୍ତିଭୂମି ଅଭାବରୁ କାମରେ ନ ଲାଗି ପଡ଼ି ରହିଛି । ଡାକ୍ତରଖାନାକୁ ୫୩% ଜରୁରୀ ଔଷଧ ଯୋଗାଣ କମ୍ ଥିଲାବେଳେ ଜରୁରୀକାଳୀନ ଶଯ୍ୟା ଅଭାବ ରହିଛି । ରାଜ୍ୟ ବଜେଟରେ ସ୍ୱାସ୍ଥ୍ୟକୁ ବଜେଟର ୫.୮୬% ପାଣ୍ଠି ବରାଦ ହେଉଛି । ମାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୟସ୍କଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ୱାର୍ଡ ନାହିଁ । ରାଜ୍ୟରେ ସ୍ୱାସ୍ଥ୍ୟସେବା ମାନବ ସମ୍ବଳ ଓ ଭିତ୍ତିଭୂମି ଅଭାବରୁ ଉଦ୍ବେଗଜନକ ସ୍ଥିତିରେ ଅଛି, ତାହା ସିଏଜି ରିପୋର୍ଟରୁ ତାହା ଜଳଜଳ ହୋଇ ଦେଖାଯାଉଛି ।