ନୂଆଦିଲ୍ଲୀ, ୩୦/୦୧: ଆସନ୍ତା ଫେବୃଆରୀ ୧ରେ ଆଗତ ହେବ ୨୦୨୫-୨୬ କେନ୍ଦ୍ର ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିବେ ବଜେଟ । ତେବେ ଆଗାମୀ କେନ୍ଦ୍ର ବଜେଟ୍ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଏହି ବୈଠକ ଡ଼ାକିଛନ୍ତି । ଏଥିରେ ଆଗାମୀ ସାଧାରଣି ବଜେଟ୍ ଉପରେ ଆଲୋଚନା ହେବ। ସେହିପରି ସଂସଦ ଅଧିବେଶନରେ ସହଯୋଗ କରିବାକୁ ସେ ବିରୋଧୀ ଦଳର ନେତାମାନଙ୍କୁ ନିବେଦନ କରିଛନ୍ତି । ଲଗାତାର ଅଷ୍ଟମ ଥର ଲାଗି ବଜେଟ ଆଗତ କରିବେ ନିର୍ମଳା ସୀତାରମଣ । ଦେଶରେ ମହଙ୍ଗା ମାଡ଼ ଜାରି ରହିଥିବା ବେଳେ ବଜେଟର ରୂପରେଖ କିପରି ରହିବ ଏହା ଉପରେ ସମସ୍ତଙ୍କ ନଜର।
ତେବେ ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ ୩୧ ରୁ ଆରମ୍ଭ ହେବ । ଏହା ପୂର୍ବରୁ ଜାନୁଆରୀ ୩୦ ଅର୍ଥାତ ଆଜି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ସଂସଦରେ ଆଲୋଚନାରେ ଭାଗ ନେବାକୁ ଏବଂ କୌଣସି ପ୍ରକାର ବ୍ୟାଘାତରୁ ଦୂରେଇ ରହିବାକୁ ରିଜିଜୁ ବିରୋଧୀ ଦଳର ନେତାମାନଙ୍କୁ ନିବେଦନ କରିଛନ୍ତି। ଗତ ସଂସଦ ଅଧିବେଶନରେ ଆଦାନୀ, ସମ୍ବିଧାନ ସୁରକ୍ଷା, ଚାଷୀ ସମସ୍ଯା ସମେତ ଅନ୍ୟାନ୍ୟ ବହୁ ପ୍ରସଙ୍ଗରେ ବିରୋଧୀଙ୍କ ନାରାବାଜି ଯୋଗୁ ଉଭୟ ଗୃହର କାର୍ଯ୍ୟ ଗୁରୁତର ପ୍ରଭାବିତ ହୋଇଥିଲା। ତେବେ ବଜେଟ ଅଧିବେଶନରେ କିପରି ଶାନ୍ତି ଶୃଙ୍ଖଳାରେ ଗୃହ ସୁରୁଖୁରୁରେ ଚାଲିପାରିବ ସେଥିପାଇଁ ସରକାର ବିରୋଧୀଙ୍କ ସହଯୋଗ ଲୋଡିବେ।
ପ୍ରକାଶ ଥାଉକି, ସଂସଦର ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୩ ଯାଏ ଚାଲିବ। ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ୧୦ ମାର୍ଚ୍ଚରୁ ୪ ଏପ୍ରିଲ ଯାଏ ଚାଲିବ। ଫେବୃଆରୀ ୩ରୁ ୫ ଯାଏ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ଗତ ଜାନୁଆରୀ ୨୩ରେ ବଜେଟ ଲାଗି ପାରମ୍ପରିକ ହାଲଓ୍ବା ସେରିମନି ଅନୁଷ୍ଠିତ ହୋଇଥିଲା। ସଂସଦ ପ୍ରକ୍ରିୟାର ସଫଳ ସଞ୍ଚାଳନ ପାଇଁ ସମସ୍ତ ଦଳର ସହଯୋଗର ଆବଶ୍ୟକତା ଉପରେ ରିଜିଜୁ ଗୁରୁତ୍ୱାରୋପ କରିଛନ୍ତି। ଯାହାଫଳରେ ବଜେଟ୍ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇପାରିବ।