ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ବିଜେପିର ବରିଷ୍ଠ ନେତାମାନେ ଷ୍ଟକ୍ ମାର୍କେଟ ସ୍କାମ କରିଛନ୍ତି । ଆଉ ଏହି ସ୍କାମରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଶାହା ସିଧାସଳଖ ଜଡିତ ଅଛନ୍ତି । ତେବେ ରାହୁଲଙ୍କ ଅଭିଯୋଗକୁ ସାମ୍ନା କରିଛି ବିଜେପି ଏବଂ କହିଛି ଯେ, ଏହା ହେଉଛି ସେମାନଙ୍କର ପରାଜୟର ହତାଶ ।
ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ବେଳେ ପୀୟୁଷ ଗୋୟଲ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଆଜି ତାଙ୍କ ସାମ୍ବାଦିକ ସମ୍ମିଳନୀରେ ବିଜେପି ଏବଂ ଆମ ନେତାଙ୍କ ବିରୋଧରେ କରିଥିବା ଅଭିଯୋଗ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ, ଲୋକସଭାରେ ବିରୋଧୀଙ୍କ ପରାଜୟ ଯୋଗୁଁ ରାହୁଲ ଗାନ୍ଧୀ ନିରାଶ ଅନୁଭବ କରୁଛନ୍ତି । ବର୍ତ୍ତମାନ ମୋଦୀଙ୍କ ତୃତୀୟ ପର୍ଯ୍ୟାୟ ସରକାର ହେବାକୁ ଯାଉଛି । ଆଉ ଏହି ସମୟରେ ରାହୁଲ ଗାନ୍ଧୀ ନିବେଶକ ମାନଙ୍କୁ ବିଭ୍ରାନ୍ତ କରିବାକୁ ଯୋଜନା କରୁଛନ୍ତି ।
ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଜବାବରେ ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ନିଶ୍ଚିତ କରିଛନ୍ତି ଯେ ଆମର ଅର୍ଥନୈତିକ ବ୍ୟବସ୍ଥା ବହୁତ ଦ୍ରୁତ ଗତିରେ ବଢୁଛି । ଯେତେବେଳେ ବିଭିନ୍ନ ସମୟରେ ପରିବର୍ତ୍ତନ ଆସେ, ଇକ୍ୱିଟି ବଜାରରେ ପରିବର୍ତ୍ତନ ଘଟେ । ଗତ ୧୦ ବର୍ଷ ମଧ୍ୟରେ ଆମର ମାର୍କେଟ କ୍ୟାପ୍ ୩ ଟ୍ରିଲିୟନ ଡଲାରରୁ ଅଧିକ ବୃଦ୍ଧି ପାଇଛି । ଭାରତର ଇକ୍ୱିଟି ବଜାର ବିଶ୍ୱର ଶ୍ରେଷ୍ଠ ୫ଟି ଦେଶରେ ଅନ୍ତର୍ଭୁକ୍ତ ହୋଇଛି। ”