ମାଲକାନଗିରି,୩୦/୩ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲ୍ଲାରେ ପୁଣି ମାଓବାଦୀଙ୍କ ଲଙ୍କା କାଣ୍ଡ ଦେଖିବାକୁ ମିଳିଛି । ସ୍ଥିତି ଜାହିର କରିବା ସହ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିବା ପାଇଁ ଗୋଟିଏ ପିକଅପ୍ ଗାଡିରେ କିଛି ସଶସ୍ତ୍ର ମାଓବାଦୀ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ସୁକୁମା ଜିଲ୍ଲାର ଦୁଲେଡ ଏବଂ ମୁକୁରାଜକୁଣ୍ଡା ମଧ୍ୟରେ ଥିବା ମୁଖ୍ୟ ସଡକରେ ଦୁଲେଡ ଅଞ୍ଚଳ ଅଭିମୁଖେ ଯାଉଥିବା ଏକ ପିକଅପ୍ ଗାଡ଼ିକୁ ଦିନ ଦ୍ବିପ୍ରହରରେ ମାଓବାଦୀମାନେ ଅଟକାଇଥିଲେ ।
ଏହାପରେ ଉକ୍ତ ଗାଡ଼ିର ଚାଳକକୁ ଗାଡ଼ିରୁ ବାହାର କରି ସେଥିରେ ନିଆଁ ଲଗାଇ ଦେଇଥିଲେ । ଗାଡ଼ିଟି ଜଳିବା ପରେ ମାଓବାଦୀମାନେ ସେଠାରୁ ଚାଲିଯାଇଥିବାବେଳେ ସେହି ରାସ୍ତାରେ ଯାଉଥିବା ଲୋକେ ଏଥିରେ ଭୟବିତ ହୋଇ ପଡ଼ିଥିଲେ । ତେବେ ଏ ନେଇ ଖବରପାଇ ପୋଲିସ ଓ ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।