ନୂଆଦିଲ୍ଲୀ,୦୧/୧୦: ଆର୍ଜେଣ୍ଟିନାରେ ଏବେ ଲୋକଙ୍କ ସ୍ଥିତି ଅତି ଖରାପ । ନୂଆ ସରକାରଙ୍କ ଖର୍ଚ୍ଚକାଟ ପଦକ୍ଷେପ ମହଙ୍ଗା ସାବ୍ୟସ୍ତ ହେଲାଣି । ଦାରିଦ୍ର୍ୟ ହାର ୫୨% ପାର୍ କରିଯାଇଛି । ସରଳଭାବେ କହିବାକୁ ଗଲେ ଦେଶରେ ବସବାସ କରୁଥିବା ମୋଟ ଲୋକଙ୍କ ମଧ୍ୟରୁ ୫୨%ରୁ ଉଦ୍ଧ୍ୱର୍ ଲୋକ ଏବେ ଗରିବ । ରାଷ୍ଟ୍ରପତି ଜାଭିଅର ମିଲେଇଙ୍କ ଶାସନରେ ଦେଶ ଏଭଳି ଗମ୍ଭୀର ସ୍ଥିତି ଦେଇ ଗତି କରୁଛି । ଏ ନେଇ ଆର୍ଜେଣ୍ଟିନା ପକ୍ଷରୁ ସରକାରୀ ତଥ୍ୟ ଜାରି କରାଯାଇଛି ।
୨୦୨୪ର ପ୍ରଥମ ୬ ମାସରେ ଦେଶର ୪.୭ କୋଟି ଲୋକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଯାଇଛି । ପ୍ରତି ୫ ଜଣରେ ଜଣଙ୍କ ସ୍ଥିତି ଏଠାରେ ବେହାଲ । ଗତ ଡିସେମ୍ବରରେ ମିଲେଇ ସରକାର ଶାସନ କ୍ଷମତାକୁ ଆସିବା ପରେ ଗ୍ରହଣ କରିଥିବା ବେପରୁଆ ଆର୍ôଥକ ନୀତି ଯୋଗୁ ଏଭଳି ହୋଇଛି । ବିତ୍ତୀୟ ନିଅଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପଦକ୍ଷେପ ଲୋକଙ୍କ ଆର୍ଥିକ ସ୍ଥିତିକୁ ବିଗାଡୁଛି । ମୁଦ୍ରାସ୍ଫୀତି ଉତ୍କଟ ହେବାରେ ଲାଗିଛି ।
ସରକାର ସାଧାରଣ ପରିବହନ, ପେଟ୍ରୋଲ, ଡିଜେଲ ଭଳି ବିଭିନ୍ନ କ୍ଷେତ୍ରରେ ହଠାତ ସବ୍ସିଡି ବନ୍ଦ କରିଦେଇଛନ୍ତି । ଏଭଳି ସ୍ଥିତିରେ ରାଷ୍ଟ୍ରାୟତ୍ତ କ୍ଷେତ୍ରରେ ହଜାର ହଜାର କର୍ମଚାରୀ ମଧ୍ୟ ନିଯୁକ୍ତି ହରାଇଛନ୍ତି । ବାର୍ଷିକ ଭିତ୍ତିରେ ମୁଦ୍ରାସ୍ଫୀତି ଅଗଷ୍ଟରେ ୨୩୬.୭% ବଢିଛି, ଯାହାକି ଚିନ୍ତାଜନକ ।
ଡିସେମ୍ବରରେ ମିଲେଇ ଶାସନ କ୍ଷମତାକୁ ଆସିବା ପରେ ମୁଦ୍ରାସ୍ଫୀତି ୨୫.୫% ବଢ଼ିଛି । ମୁଦ୍ରା ପେସୋ’ର ୫୦% ଅବମୂଲ୍ୟାୟନ ଯୋଗୁ ଏହି ଦେଶରେ ସ୍ଥିତି ଭୟଙ୍କର ହୋଇଛି । ସେହିଭଳି ବିଭିନ୍ନ ଖର୍ଚ୍ଚ ପାଇଁ ସରକାର ଅକ୍ଷମ ହେବାରୁ ବୃହତ୍ ଭାବେ ବଜେଟ କାଟ କରିଛନ୍ତି । ଗତ ୧୨ ବର୍ଷରେ ପ୍ରଥମ ଥର ଲାଗି ଜାନୁଆରୀରେ ବଜେଟ ବଳକା ହୋଇଥିଲା ଏହି ଦେଶ ।
ସମାଲୋଚକ କହିଛନ୍ତି, ଗରିବ ଏବଂ ଶ୍ରମିକ ଶ୍ରେଣୀକୁ ସମସ୍ୟାରେ ପକାଇ ମିଲେଇ ସରକାର କିଛିଟା ସଫଳତା ପାଇଛନ୍ତି । ଦ୍ୱିତୀୟ ତ୍ରୈମାସରେ ଜିଡିପି ୧.୭% ଖସିଛି । ବେକାରି ୭.୬% ବଢ଼ିଯାଇଛି । ମହିଳାମାନେ ସବୁଠାରୁ ଖରାପ ସ୍ଥିତିରେ ରହିଛନ୍ତି । ଯେଉଁ ଦେଶରେ ଆୟକୁ ନେଇ ଦାରିଦ୍ର୍ୟ ମୂଲ୍ୟାୟନ କରାଯାଏ ସେଠାରେ ଆମେ ସମସ୍ତେ ଗରିବ । ଏହା ଏକ ବାସ୍ତବ ସତ୍ୟ ବୋଲି ରାଷ୍ଟ୍ରପତିଙ୍କ ପ୍ରବକ୍ତା ମାନୁଏଲ ଆଡୋନି କହିଛନ୍ତି । ସେ କହିଛନ୍ତି ଯେ, ଦାରିଦ୍ର୍ୟ ବିରୋଧରେ ଲଢ଼ିବାର ସର୍ବୋତ୍ତମ ତରିକା ହେଉଛି ମୁଦ୍ରାସ୍ଫୀତି ବିରୋଧରେ ଲଢ଼େଇ ।
ଅର୍ଥନୀତିଜ୍ଞ ମାରିନା ଡି ପୋଗୋଟୋ କହିଛନ୍ତି, ସରକାରଙ୍କ ଏଭଳି ମନୋଭାବ ଅନେକ ଲୋକଙ୍କୁ ଗୁରୁତ୍ୱ ଦିଏନାହିଁ । ଏହା ଦ୍ୱାରା କେବଳ ଏକ ଭଗ୍ନ ସମାଜ ଗଠନ କରାଯାଇପାରେ । ନିଯୁକ୍ତି ହରାଇଥିବା ଅନେକ ଲୋକଙ୍କୁ ଏବେ ମାସ ମାସ ଧରି ଚାକିରି ଖଣ୍ଡେ ମିଳୁନାହିଁ । କାମ ଦରକାର ବୋଲି ଲୋକେ ରାସ୍ତା କଡରେ ପ୍ଲା କାର୍ଡ ଧରି ଛିଡ଼ା ହେଉଛନ୍ତି ।
ନିଯୁକ୍ତି ଚାଲିଯାଇଥିବା ଭିଭିଆନ କୁଏଭିଡୋ କହିଛନ୍ତି, ଦୀର୍ଘ ମାସ ଧରି ଚାକିରି ଚାଲିଯିବାରୁ ଭଡ଼ା ଦେବାକୁ ସକ୍ଷମ ହେଲିନି । ଏବେ ରାସ୍ତାକଡରେ ଏଣେ ତେଣେ ରାତି କଟାଇବାକୁ ପଡୁଛି । ସରକାର ସମସ୍ୟାରେ ଥିବା ଲୋକଙ୍କୁ ୮୫ ଡଲାର ସହାୟତା ଦେଉଛନ୍ତି ଯାହା ପର୍ଯ୍ୟାପ୍ତ ନୁହେଁ । ବହୁତ କଷ୍ଟରେ ଜୀବନ ଅତିବାହିତ କରିବାକୁ ପଡୁଛି । ଏବେ କ୍ଷୁଧାର ଆତଙ୍କ ଜାରି ରହିଛି।