ପୁରୀ, ୧।୧୨ : ପୁରୀ ବ୍ଲୁ ଫ୍ଲାଗ ବିଚ୍ ରେ ଆଗାମୀ ୪ ତାରିଖରେ ନୌସେନା ଦିବସ ଉତ୍ସବ ପାଳନ ନେଇ ପ୍ରସ୍ତୁତି ଏବେ ଚୁଡାନ୍ତ ପର୍ଯ୍ୟାୟରେ। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ନୌସେନା ତା'ର ପରାକ୍ରମ ପ୍ରଦର୍ଶନ କରିବ। ସ୍ଥଳ, ଜଳ ଏବଂ ଆକାଶ ମାର୍ଗରେ କିଭଳି ନୌସେନା ଶତ୍ରୁଙ୍କୁ ଆକ୍ରମଣ କରିବ ସେନେଇ ବିଭିନ୍ନ ଯୁଦ୍ଧ ରଣ କୌଶଳ ପ୍ରଦର୍ଶୀତ କରାଯିବ। ୧୫ ଟି ଯୁଦ୍ଧ ଜାହାଜ ସହ ୪୦ ଟି ଏୟାରକ୍ରାଫ୍ଟ ଏହି ଯୁଦ୍ଧ ରଣ କୌଶଳ ପ୍ରଦର୍ଶନରେ ସାମିଲ୍ ହେବେ।
ରବିବାର ଏବଂ ସୋମବାର ଦୁଇଦିନ ଧରି ଏହି କାର୍ଯ୍ୟକ୍ରମର ଫୁଲ୍ ଡ୍ରେସ ରିହରସଲ ଥିବାବେଳେ ୪ ତାରିଖ ଦିନ ଚୁଡାନ୍ତ ପ୍ରଦର୍ଶନୀ ରାଷ୍ଟ୍ରପତିଙ୍କ ସମ୍ମୁଖରେ କରାଯିବ। ନୌସେନା ପକ୍ଷରୁ ମଧ୍ୟ ଦର୍ଶକଙ୍କ ପାଇଁ ଆକର୍ଷଣୀୟ ଡ୍ରୋନ୍ ଏବଂ ଲେଜର ସୋ କରାଯିବ। ପୂର୍ବ କାଳରେ ଓଡ଼ିଶାର ନୌବାଣିଜ୍ୟ ବେଶ୍ ସମୃଦ୍ଧ ଶାଳୀ ଥିଲା। ଓଡ଼ିଆ ଜାତିର ଏହି ବୀରତ୍ବର ପ୍ରଥାକୁ ଉଜ୍ଜୀବିତ କରିବା ପାଇଁ ଚଳିତ ବର୍ଷ ପୁରୀ ସମୁଦ୍ରରେ ନୌସେନା ଦିବସ ପାଳନ କରାଯାଉଥିବା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନୌସେନା ଅଧିକାରୀ କହିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହିତ ବହୁ ବିଶିଷ୍ଟ କେନ୍ଦ୍ର ଏବଂ ରାଜ୍ୟର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଙ୍କ ସମେତ ୭ ହଜାର ୫ଶହ ଅତିଥି ଉପସ୍ଥିତ ରହିବେ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ପୁରୀ ଗସ୍ତ କୁ ନେଇ ସୁରକ୍ଷା ବ୍ୟବସ୍ଥା କିଭଳି କଡ଼ାକଡ଼ି କରାଯାଇପାରିବ ସେନେଇ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ମାନେ ପୁରୀ ଟାଉନ ହଲ ଠାରେ ଏକ ସ୍ବତନ୍ତ୍ର ସମୀକ୍ଷା ବୈଠକ ଆୟୋଜନ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ସହ ନୌସେନା ଦିବସ ପାଇଁ ଭିଡ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ପାର୍କିଂ ସହ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ପାଇଁ ୧୪ ଜଣ ଏସପି ରାଙ୍କର ଅଧିକାରୀ ନିୟୋଜିତ ରହିବେ। ସେମାନଙ୍କୁ ଅତିରିକ୍ତ ଏସପି, ଡିଏସପି ଏବଂ ଇନ୍ସପେକ୍ଟର ରାଙ୍କର ଅଧିକାରୀ ସହଯୋଗ କରିବେ। ପୁରୀ ସହରରେ ମୋଟ ୮୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ।
ରାଷ୍ଟ୍ରପତିଙ୍କ ଗସ୍ତ ଏବଂ ନୌସେନା ଦିବସ ପାଇଁ ଟ୍ରାଫିକ କଟକଣା ଡିସେମ୍ବର ୪ ତାରିଖ ଦିନ ଲାଗୁ କରାଯିବ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ଏବଂ ନୌସେନା ଦିବସ ଦେଖିବାକୁ ଆସୁଥିବା ଦର୍ଶକମାନେ ତାଳବଣିଆ ଏବଂ ଷ୍ଟ୍ରଲିଙ୍ଗ ଛକ ନିକଟରେ ପାର୍କିଂ ବ୍ୟବସ୍ଥା ହୋଇଛି। ତେବେ ଡିସେମ୍ବର ୪ ତାରିଖ ଦିନ ଟ୍ରାଫିକ କଟକଣା ନେଇ ପୁରୀ ପୋଲିସ ପକ୍ଷରୁ ଖୁବଶୀଘ୍ର ଏକ ସୂଚନା ଜାରି କରାଯିବ। ଉକ୍ତ ସୂଚନା ଅନୁଯାୟୀ ଲୋକମାନେ ଯାତାୟତ କରିବାକୁ ପୁରୀ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି।