କଟକ, ୨୪/୦୫: ରାସନ୍ କାର୍ଡ ସହ ଆଧାର କାର୍ଡର ଚାଲିଥିବା ଇ-କେୱାଇସି ସଂଯୋଗ ଏବେ ବିଚିତ୍ର ସ୍ଥିତିରେ ଝୁଲି ରହିଛି । ପ୍ରଥମେ ଏହି ପ୍ରକ୍ରିୟା ଜୋର୍ଦାର୍ ଚାଲିଲା । ଦୈନିକ ୪ରୁ ୫ଲକ୍ଷ ହିତାଧିକାରୀଙ୍କ ଇ-କେୱାଇସି ସଂଯୋଗ କରାଯାଉଥିଲା । କିନ୍ତୁ ଏବେ ପ୍ରାୟ ଗୋଟେ ମାସ ହେବ ଦୈନିକ ୩୦ରୁ ୪୦ ହଜାର ହିତାଧିକାରୀଙ୍କ ମଧ୍ୟ ଇ-କେୱାଇସି ସଂଯୋଗ ସମ୍ଭବ ହୋଇପାରୁନି । ଆହୁରି ପ୍ରାୟ ୨୪ଲକ୍ଷ ହିତାଧିକାରୀ ଇ-କେୱାଇସି ସଂଯୋଗରୁ ବଞ୍ଚିତ ହୋଇଛନ୍ତି । ବିଶେଷ କରି ଛୋଟ ପିଲା (୧ରୁ ୧୦ବର୍ଷ ବୟସର ପିଲା) ଏବଂ ବୟସ୍କ (୬୦ରୁ ଊଦ୍ଧ୍ୱର୍) ବ୍ୟକ୍ତିଙ୍କ ଆଙ୍ଗୁଠି ଟିପ ଚିହ୍ନ ବ୍ରାୟୋମେଟ୍ରିକ ମେସିନ୍ ନେଇପାରୁନାହିଁ । ସେହିପରି ଆଧାର କାର୍ଡ ଅପ୍ଡେଟ୍ ହୋଇନଥିବାରୁ ଏହି ହିତାଧିକାରୀମାନଙ୍କର ଇ-କେୱାଇସି ସଂଯୋଗ ସମ୍ଭବ ହୋଇପାରୁନାହିଁ । ଏଭଳି ହିତାଧିକାରୀଙ୍କୁ ପ୍ରଶାସନ କାଟିବ ନା’ ରଖିବ ତାହାକୁ ନେଇ ଅକଳରେ ପଡ଼ିଯାଇଛି ।
ଭୂତ ହିତାଧିକାରୀଙ୍କୁ କାଟିବା ଆଳରେ ନୂଆ ରାଜ୍ୟ ସରକାର ପ୍ରତ୍ୟେକ ରାସନ୍ କାର୍ଡ ସହ ଆଧାର କାର୍ଡ ସଂଯୋଗ ଲାଗି ଇ-କେୱାଇସି ବ୍ୟବସ୍ଥା ଆରମ୍ଭ କରିଥିଲେ । ଅର୍ଥାତ ଗୋଟେ ରାସନ୍ କାର୍ଡରେ ଥିବା ପ୍ରତ୍ୟେକ ହିତାଧିକାରୀଙ୍କ ଆଧାର କାର୍ଡ ସହ ରାସନ୍ କାର୍ଡକୁ ସଂଯୋଗ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଫଳରେ ଲୋକେ ମାଗଣା ଚାଉଳ ପାଇଁ ହଜାର ହଜାର କିମି ଦୂରରୁ ଘରକୁ ଧାଇଁଥିଲେ । ସେତେବେଳେ ପ୍ରତ୍ୟେକ ଡିଲର ପଏଣ୍ଟରେ ଭୀଷଣ ଭିଡ଼ ଦେଖାଦେଇଥିଲା । ଦୈନିକ ୪ରୁ ୫ଲକ୍ଷ ଲୋକଙ୍କର ଇ-କେୱାଇସି ସଂଯୋଗ କରାଯାଉଥିଲା । ରାଜ୍ୟରେ ମୋଟ୍ ୩ କୋଟି ୨୮ ଲକ୍ଷ ୨୯ ହଜାର ୯୭୦ଜଣ ହିତାଧିକାରୀ ଅଛନ୍ତି ।
ସେମାନଙ୍କ ମଧ୍ୟରୁ ୯୨% ହିତାଧିକାରୀ ଅର୍ଥାତ ୩କୋଟି ୩ଲକ୍ଷ ୮୪ ହଜାର ୧୩୭ ଜଣ ହିତାଧିକାରୀଙ୍କର ବର୍ତ୍ତମାନ ସୁଦ୍ଧା ଇ-କେୱାଇସି ସଂଯୋଗ ଶେଷ ହୋଇଛି । ୫ ଲକ୍ଷ ହିତାଧିକାରୀଙ୍କ ନାମ ରାସନ୍ କାର୍ଡ ତାଲିକାରୁ କଟାଯାଇଛି । ସେହି ସ୍ଥାନରେ କିଛି ନୂତନ ହିତାଧିକାରୀଙ୍କ ନାମକୁ ଯୋଡ଼ାଯାଇଛି । ରାଜ୍ୟରେ ‘ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା’ରେ ଯେଉଁ ହିତାଧିକାରୀ ରହିଥିଲେ ସେମାନଙ୍କୁ ‘ଜାତୀୟ ଖାଦ୍ୟ ସୁରକ୍ଷା’ ଯୋଜନାରେ ସାମିଲ୍ କରାଯାଇଛି । ଏହାବାଦ୍ ଆହୁରି ୨୪ଲକ୍ଷ ହିତାଧକାରୀଙ୍କ ଇ-କେୱାଇସି ସଂଯୋଗ ସମ୍ଭବ ହୋଇପାରୁ ନାହିଁ ।
ଏ ସମ୍ପର୍କରେ ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ୧ରୁ ୧୦ବର୍ଷ ପର୍ଯ୍ୟନ୍ତ ଅନେକ ପିଲାଙ୍କର ଆଧାର କାର୍ଡ ନାହିଁ । ଯେଉଁମାନଙ୍କ ଅଛି ସେମାନଙ୍କର ଅପ୍ଡେଟ୍ ନାହିଁ । ଫଳରେ ଏହି ବୟସର ପିଲାମାନଙ୍କର ଇ-କେୱାଇସି ସଂଯୋଗ ହୋଇପାରୁ ନାହିଁ । ଅପରପକ୍ଷରେ ୬୦ବର୍ଷ ବୟସରୁ ଊଦ୍ଧ୍ୱର୍ ବୟସର ବ୍ୟକ୍ତିଙ୍କର ଟିପ ଚିହ୍ନ ନେଉନଥିବାରୁ ସେମାନଙ୍କର ମଧ୍ୟ ଇ-କେୱାଇସି ସଂଯୋଗ ହୋଇପାରୁ ନାହିଁ ।
କିନ୍ତୁ ନିୟମ ଅନୁଯାୟୀ ଯେଉଁମାନଙ୍କର ଇ-କେୱାଇସି ସଂଯୋଗ ନହେବ ସେମାନଙ୍କ ନାମକୁ ରାସନ କାର୍ଡ ତାଲିକାରୁ କାଟି ଦିଆଯିବ । ସରକାର ସମୟ ଗଡ଼ାଇ ଚାଲିଥିବାରୁ ବାଦ୍ ରହିଯାଇଥିବା ହିତାଧିକାରୀମାନେ ଇ-କେୱାଇସି ସଂଯୋଗ ପାଇଁ ସମୟ ପାଉଛନ୍ତି । କିନ୍ତୁ ଯେତେବେଳେ ଏହି ସଂଯୋଗ ପାଇଁ ଦିଆଯାଉଥିବା ସମୟ ସୀମା ଶେଷ ହୋଇଯିବ ସେତେବେଳେ ଏହି ୨୪ଲକ୍ଷ ହିତାଧିକାରୀ କିପରି ରାସନ୍ ସାମଗ୍ରୀ ପାଇବେ ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଅପରପକ୍ଷରେ ଏବେ ପ୍ରଶାସନ ପକ୍ଷରୁ ଯେଉଁମାନଙ୍କର ନାମ ତାଲିକାରେ ରହିଛି କିନ୍ତୁ ଇ-କେୱାଇସି ସଂଯୋଗ ହୋଇନାହିଁ ସେହିଭଳି ହିତାଧିକାରୀଙ୍କ ଘରକୁ ଯାଇ ଯାଞ୍ଚ୍ କରିବା ପରେ ସେମାନଙ୍କ ନାମ ରହିବ କି’ କଟିବ ତାହା ସ୍ଥିର କରାଯାଉଛି ।
ଏହିଭଳି ଭାବେ ଯଦି ଦେଖାଯାଏ ଅତିବେଶୀରେ ଆଉ ୨/୩ଲକ୍ଷ ଲୋକଙ୍କ ନାମ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକାରୁ ବାଦ୍ ଦିଆଯାଇପାରେ । କିନ୍ତୁ ଅନ୍ୟ ଯେଉଁମାନେ ଟିପ ନନେବା କାରଣରୁ ଇ-କେୱାଇସି ସଂଯୋଗରୁ ବଞ୍ଚିତ ହୋଇଯିବେ ସେମାନଙ୍କ କ୍ଷେତ୍ରରେ ପ୍ରଶାସନ କି’ ପଦକ୍ଷେପ ନେବ ତାହାକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି । ସୁପ୍ରିମ୍କୋର୍ଟ ଏବଂ ହାଇକୋର୍ଟଙ୍କ ଏକ ଆଦେଶ ଅନୁଯାୟୀ, ଆଧାର କାର୍ଡ ନଥିଲେ ମଧ୍ୟ ଜଣେ ହିତାଧିକାରୀଙ୍କୁ ଖାଉଟି ସାମଗ୍ରୀ ପାଇବାରୁ ବଞ୍ଚିତ କରାଯାଇପାରିବ ନାହିଁ । ଏଭଳି ସ୍ଥିତିରେ ଏହି ୨୪ଲକ୍ଷ ହିତାଧିକାରୀଙ୍କୁ କଟାଯିବ ନା’ କୌଣସି ବିକଳ୍ପ ରାସ୍ତା ଗ୍ରହଣ କରାଯିବ ତାକୁ ନେଇ ପ୍ରଶାସନ ଏବେ ଚିନ୍ତାରେ ପଡ଼ିଯାଇଛି