କୋଣାର୍କ,୧୦।୮(ଆପ୍ର) କୋଣାର୍କ ଚନ୍ଦ୍ରଭାଗାରେ ରବିବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଉଥିବା ସମୟରେ ୩ଜଣ ବୁଡିଯାଇ ମୃତ୍ୟୁ ଘଟିଛି। ୩ ଯୁବକ ହେଲେ ଜମତଳା ଗ୍ରାମର ଆରୁପାନନ୍ଦ ଜେନା, ରାହୁଲ ସେନାପତି ଏବଂ କଟକ ପାହାଳ ଅଞ୍ଚଳର ପିଣ୍ଟୁ ପଟ୍ଟନାୟକ ।
ଭୁବନେଶ୍ୱର କେଶୁରାରେ ଏକ ଘରୋଇ ଗାଡ଼ି ସର୍ଭିସିଂ କମ୍ପାନୀରେ କାର୍ଯ୍ୟରତ ତିନି ଜଣ ସାଙ୍ଗ କୋଣାର୍କ ବୁଲିସାରି ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଉଥିଲେ। ଏହି ସମୟରେ ଦୁଇ ଜଣ ସାଙ୍ଗ ସମୁଦ୍ର ଢେ଼ଉରେ ଭାସିଯାଇଥିଲେ। ତୁରନ୍ତ ଲାଇଫ ଗାର୍ଡ ସେମାନଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ଗୁରୁତର ଅବସ୍ଥାରେ କୋଣାର୍କ ଚମ୍ପାହାର ଅଗ୍ନିଶମ କର୍ମଚାରୀ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମୃତକ ହେଲେ କୋଣାର୍କ ଥାନା ଅନ୍ତର୍ଗତ କୁରୁଜଙ୍ଗ ପଞ୍ଚାୟତର ଜମତଳା ଗ୍ରାମର ଆରୁପାନନ୍ଦ ଜେନା, ଅନ୍ୟ ଜଣେ ହେଲେ ରାହୁଲ ସେନାପତି।
ସେହିପରି ଚନ୍ଦ୍ରଭାଗା ସମୁଦ୍ର ବେଳାଭୂମିରୁ ଏକ କିଲୋମିଟର ଇକୋ ରିଟ୍ରିଟ ନିକଟରେ ସମୁଦ୍ରରେ କଟକ ପାହାଳ ଅଞ୍ଚଳର ପିଣ୍ଟୁ ପଟ୍ଟନାୟକ ବୁଡି ମୃତ୍ୟୁ ଘଟିଛି। ଚନ୍ଦ୍ରଭାଗା ଓ ରାମଚଣ୍ଡି ମୁହାଣ ଇକୋ ରିଟ୍ରିଟ ନିକଟରେ ପର୍ଯ୍ୟଟକମାନେ ଅନେକ ସମୟରେ ବିପଦପୂର୍ଣ୍ଣ ଭାବେ ଗଭୀର ସମୁଦ୍ରରେ ସ୍ନାନ କରୁଥିବା ଦେଖିବାକୁ ମିଳୁଛି।