କଟକ, ୨୧/୦୭ : ପୁରୀ ନୀଳାଦ୍ରି ଭକ୍ତ ନିବାସ ହୋଟେଲ ବୁକିଂ ଠକେଇ ମାମଲାରେ ଆଉ ୨ ଅଭିଯୁକ୍ତ ଗିରଫ । ରାଜସ୍ଥାନରୁ ବାନ୍ଧିଲା କଲା କ୍ରାଇମବ୍ରାଞ୍ଚ ଟିମ୍। ପୂର୍ବରୁ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଏହି ଘଟଣାରେ ମୋଟ୍ ଗିରଫ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଅଲୱର ଥାନା ଅଞ୍ଚଳର ଅମିର ଖାନ (୨୪ ବର୍ଷ) ଏବଂ କିଥୱାଡା ଥାନା ଅଞ୍ଚଳର ୟୁସୁଫ୍ (୨୭ ବର୍ଷ)। ତେବେ ଏହା ପୂର୍ବରୁ ଏହି ଠକେଇ ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଅଂଶୁମାନ ଶର୍ମାକୁ ଆଗ୍ରାରୁ ଗିରଫ କରିଥିଲା ଦୁର୍ନୀତି ନିବାରଣ ଟିମ୍ ।
ଅଭିଯୋଗ ଅନୁଯାୟୀ, ପୁରୀ ନୀଳାଦ୍ରି ଭକ୍ତ ନିବାସ ହୋଟେଲ ବୁକିଂ ନାଁରେ ଠକେଇ ହୋଇଥିଲା। ଠକମାନେ www.neeladribhaktanivas.in ନାଁରେ ମିଥ୍ୟା ୱେବସାଇଟ୍ ଖୋଲି ଶ୍ରଦ୍ଧାଳୁଙ୍କୁ ଫସାଇଥିଲେ। 6375024509 ମୋବାଇଲ୍ ନଂ ବ୍ୟବହାର କରିଥିଲେ। ଲୋକମାନଙ୍କୁ ହୋଟେଲ ବୁକିଂ କରିବା ନାଁରେ ପ୍ରତିଶ୍ରୁତି ଦେଇ ଟଙ୍କା ଟ୍ରାନ୍ସଫର କରିବାକୁ ମ୍ୟୁଲ୍ ଆକାଉଣ୍ଟ ନଂ ଦେଇଥିଲେ। ଏନେଇ ନୀଳାଦ୍ରି ଭକ୍ତ ନିବାସ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ । ଅଭିଯୋଗ ଆସିବା ପରେ ଥାନାରେ ଏତଲା ଦେଇଥିଲେ ଭକ୍ତ ନିବାସ କର୍ତ୍ତୃପକ୍ଷ । କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରି ପୂର୍ବରୁ ଜଣଙ୍କୁ ଗିରଫ କରିଥିଲା । ଏବେ ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ନକଲି ହୋଟେଲ ବୁକିଂ ୱେବସାଇଟରୁ ସତର୍କ ରହିବାକୁ ଏବଂ ଅଜଣା ସ୍ଥାନରେ କୌଣସି ରହଣି ବୁକିଂ କରିବା ପୂର୍ବରୁ ଯାଞ୍ଚ କରିବାକୁ ଲୋକଙ୍କୁ ନିବେଦନ କରାଯାଇଛି। ଏପରି ମାମଲା ବିଷୟରେ ୧୯୩୦ ସାଇବର ହେଲ୍ପଲାଇନ୍ କିମ୍ବା ନିକଟସ୍ଥ ପୋଲିସ ଷ୍ଟେସନରେ ରିପୋର୍ଟ କରିବାକୁ କୁହାଯାଇଛି।