ପ୍ରମୂଖ ଖବର
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ବାଲେଶ୍ୱର ପରେ ବଳଙ୍ଗା ତାତି: ଏମ୍‌ସରେ ଧସ୍ତାଧସ୍ତି ଏବଂ ନାରାବାଜି, ଲାଗିଲା ୧୬୩ ଧାରା, ନିଷିଦ୍ଧାଞ୍ଚଳ ଘୋଷଣା

Published By : Prameya | July 20, 2025 8:37 AM

ଭୁବନେଶ୍ୱର,୧୯ା୭(ବ୍ୟୁରୋ): ସପ୍ତାହେ  ପୂରିନି । ପୁଣି ଥରେ କମ୍ପିଛି ଏମ୍‌ସ  ପରିସର । ଲାଗିଛି ନେତାଙ୍କ ଗହଳି ।  ଧାରଣା, ନାରାବାଜି ଓ ପୁଲିସ ସହ ଧସ୍ତାଧସ୍ତି  ହୋଇଛି । ଆନ୍ଦୋଳନକୁ ଓହ୍ଲାଇ ସରକାର  ବିରୋଧରେ ଗର୍ଜିଛନ୍ତି ବିଜେଡି ଓ କଂଗ୍ରେସ  ଦଳ । ବାଧ୍ୟ ହୋଇ କମିଶନରେଟ ପୁଲିସ  ଏମ୍‌ସ ପରିସରରେ ୧୬୩ ଧାରା ଲଗାଇ  ନିଷିଦ୍ଧାଞ୍ଚଳ ଘୋଷଣା କରିଛି । ବିରୋଧୀ ଦଳ ଲଗାତର ବିକ୍ଷୋଭ,  ଘେରାଉ କରୁଥିବାରୁ ମୁଖ୍ୟମନ୍ତ୍ରୀ, ଦୁଇ  ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟ  ଶାସନ ସଚିବଙ୍କ ସରକାରୀ ବାସଭବନ  ବାହାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି ।  କେହି ଏଠାକୁ ପ୍ରତିବାଦ ପାଇଁ ଆସିଲେ  ତୁରନ୍ତ ଗିରଫ କରିବାକୁ ପୁଲିସ ଚେତାବନୀ  ଦେଇଛି । ବିକ୍ଷୋଭ ଭୟରେ ରାଜଭବନ- ଏଜି ରାସ୍ତାକୁ ଶନିବାର ଅପରାହ୍ନରେ କିଛି  ସମୟ ପାଇଁ ସିଲ୍‌ କରାଯାଇଥିଲା । 

ବାଲେଶ୍ୱର ଫକୀରମୋହନ କଲେଜ  ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ପରେ  ଏବେ ପୁରୀ ଜିଲ୍ଲା ପିପିଲି ପାଖ ବଳଙ୍ଗାରେ  କଲେଜ ଛାତ୍ରୀଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ  କରିଛନ୍ତି କିଛି ଦୁବୃର୍ତ୍ତ । ପୀଡ଼ିତାଙ୍କର  ଏମ୍‌ସରେ ଚିକିତ୍ସା ଚାଲିଛି ଓ ସ୍ୱାସ୍ଥ୍ୟବସ୍ଥା  ଗୁରୁତର ଅଛି । ଘଟଣାକୁ ନେଇ ଏମ୍‌ସରେ  ଆଜି ଦେଖିବାକୁ ମିଳିଥିଲା ଉତ୍ତେଜନା ।  ବିଳମ୍ବିତ ରାତି ଯାଏ ବିଜେଡି ଓ କଂଗ୍ରେସ  ନେତା, ସମର୍ଥକ ଡେରା ପକାଇଥିଲେ ।  ସନ୍ଧ୍ୟା ପରଠାରୁ ନେତାଙ୍କ ଭିଡ଼ ବଢ଼ିଥିଲା ।  ଏମ୍‌ସ ବର୍ଣ୍ଣ ସେଣ୍ଟର ଆଗରେ ବିଜେଡି  ନେତା ଓ କର୍ମୀ ଧାରଣାରେ ବସିଥିଲେ ।  ପ୍ରଦୀପ ମାଝୀ, ଲେଖାଶ୍ରୀ ସାମନ୍ତସିଂହାର,  ରୁଦ୍ରପ୍ରତାପ ମହାରଥୀ, ଉମା ସାମନ୍ତରାୟ,  ଇପ୍‌ସିତା ସାହୁ ପ୍ରମୁଖ ବିଳମ୍ବିତ ରାତି ଯାଏ  ଧାରଣା ଦେଇଥିଲେ । ବର୍ଷାକୁ ବି ଖାତିର  କରିନଥିଲେ । 

ରାତି ୧୦ଟା ପରେ ପୁଲିସ୍‌  କମିଶନର ଏସ୍‌.ଦେବଦତ୍ତ ସିଂହ ଏମ୍‌ସ  ହସ୍ପିଟାଲ୍‌ ପରିସରରେ ବିଏନ୍‌ଏସ୍‌ଏସ୍‌  ଦଫା ୧୬୩ (ଯାହା ପୂର୍ବରୁ ୧୪୪ ଥିଲା)  ଜାରି କରିଥିଲେ । ଦଫା ୧୬୩ ଲାଗୁ ପରେ  ହସ୍ପିଟାଲ୍‌ ପରିସରରେ ୫ ଜଣରୁ ଅଧିକ  ଲୋକ ଏକାଠି ହୋଇ ପାରିବେନି । ପୁଲିସ୍‌  ୧୬୩ ଜାରି କରିବା ପରେ ସେଠାରେ  ଉପସ୍ଥିତ ଥିବା ବିଜେଡି ନେତା ଓ କର୍ମୀଙ୍କୁ  ପୁଲିସ ଉଠାଇ ନେଇଥିଲା । ଏହି ସମୟରେ  ପୁଲିସ ସହ ଆନ୍ଦୋଳନକାରୀଙ୍କ ଧସ୍ତାଧସ୍ତି  ହୋଇଥିଲା । ପୁଲିସ ବଳପ୍ରୟୋଗ କରି  ଆମ ସ୍ୱର ଚପାଇବାକୁ ଚାହୁଁଛି ବୋଲି  ବିଜେଡି ନେତା ପ୍ରଦୀପ ମାଝି ଅଭିଯୋଗ  କରିଥିଲେ । ପୁଲିସ ବିଜେପି ବିଧାୟକ ଓ  ତାଙ୍କ ସମର୍ଥକଙ୍କୁ ମଧ୍ୟ ଏମ୍‌ସ ପରିସରରୁ  ହଟାଉ ବୋଲି ବିଜେଡି ପକ୍ଷରୁ ଦାବି  ହୋଇଥିଲା । ଏହାକୁ ନେଇ ବିଜେଡି ଓ  ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ ।  ବିଜେଡି ଓ ବିଜେପି କର୍ମୀମାନେ ପରସ୍ପରର  ଚରିତ୍ର ସଂହାର କରିବା ସହ ବ୍ୟକ୍ତିଗତ  ଆକ୍ଷେପ କରିଥିଲେ । ଏପରିକି ପରସ୍ପରକୁ  ଅଳିଆ ଫିଙ୍ଗାଫିଙ୍ଗି ହୋଇଥିଲେ । ପୁଲିସ ଉଭୟ ପକ୍ଷକୁ ବୁଝାସୁଝା କରି ପରିସ୍ଥିତି  ନିୟନ୍ତ୍ରଣକୁ ଆଣିଥିଲା । 

ଧାରଣାରୁ ହଟିଥିଲେ ବି ବିଜେଡି  ସମର୍ଥକମାନେ ହସ୍ପିଟାଲ ପରିସରରୁ  ବାହାରନଥିଲେ । ପୁଲିସ ଦୁଇଟି ଭ୍ୟାନ ଯୋଗେ  ବହୁ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା ।  କିନ୍ତୁ ନେତାମାନେ ଏମ୍‌ସ ଛାଡ଼ିନଥିଲେ । ବର୍ଣ୍ଣ  ୱାଡ୍‌ ପରିସରରେ ପୁଲିସ୍‌ ଲୁହା ବ୍ୟାରିକେଡ୍‌  ଲଗାଇଥିଲା । ଏମ୍‌ସ ପରିସରରେ  ପୁଲିସ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି ।  ୩ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ  ହୋଇଛନ୍ତି । ପୁଲିସ ଅଧିକାରୀମାନେ ମାଇକ୍‌ ସହାୟତାରେ ହସ୍ପିଟାଲ ଭିତରୁ  ଭିଡ଼ କମାଇବାକୁ ଅପିଲ୍‌ କରୁଥିଲେ ।  

ପୂର୍ବରୁ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା,  ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ,  ସୋଫିଆ ଫିର୍ଦ୍ଦୋସ ପ୍ରମୁଖ ଦିନବେଳା  ଏମ୍‌ସକୁ ଯାଇ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା  ବୁଝିଥିଲେ । ରାତିରେ ବିଧାୟକ ଅଶୋକ  ଦାସ, କଂଗ୍ରେସ ନେତ୍ରୀ ସସ୍ମିତା ବେହେରା,  ରାଜ୍ୟ ଯୁବକଂଗ୍ରେସ ଉପସଭାପତି କୃଷ୍ଣଚନ୍ଦ୍ର  ମହାନ୍ତି ଏବଂ କିଛି କଂଗ୍ରେସ ସମର୍ଥକ  ହସ୍ପିଟାଲରେ ପହଞ୍ଚିଥିଲେ । ଏମାନେ  ସାରାରାତି ଧାରଣାରେ ବସିଥିଲେ । ବିଜେପିର  ଏକାମ୍ର ବିଧାୟକ ବାବୁ ସିଂ ଓ ପିପିଲି ବିଧାୟକ  ଆଶ୍ରିତ ପଟ୍ଟନାୟକ ମଧ୍ୟ ହସ୍ପିଟାଲ ଯାଇ  ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ । ଡିସିପି  ଜଗମୋହନ ମୀନା ଏମ୍‌ସରେ ପହଞ୍ଚି  ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେ କହିଛନ୍ତି,  ବିଭିନ୍ନ ଗୋଷ୍ଠୀ ପକ୍ଷରୁ ଏମ୍‌ସ ପରିସରରେ  ଆନ୍ଦୋଳନ ହୋଇଥିଲା । ଅତ୍ୟଧିକ ଭିଡ଼ ଓ  ନାରାବାଜି ଯୋଗୁ ଡାକ୍ତର ଓ ରୋଗୀ ପ୍ରଭାବିତ  ହେଉଛନ୍ତି । ଚିକିତ୍ସା ସେବା ବାଧାପ୍ରାପ୍ତ  ହେଉଛି । ସେଥିପାଇଁ ୧୬୩ ଧାରା ଲଗାଇଛୁ ।  ଏମ୍‌ସରେ କୌଣସି ଧାରଣା, ନାରାବାଜି  ହୋଇପାରିବନି । ଯଦି କେହି ଧାରଣା ଦେବାକୁ  ଚାହୁଁଛନ୍ତି ଗାନ୍ଧୀମାର୍ଗ ଯାଇପାରନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.