ଅନେକ ବର୍ଷ ତଳର କଥା । ଦକ୍ଷିଣ ଭାରତର ଜଣେ ନାମଜାଦା ଫିଲ୍ମ ପ୍ରଯୋଜକ ଥାଆନ୍ତି । ବିଷୟ ବସ୍ତୁ କ'ଣ ହେବ, କେଉଁ ହିରୋଇନ୍ କି' ହିରୋ ଆଉ ଭିଲିଆନ୍ ରୋଲ୍ କରିବେ, ତାହା ନିରୂପଣ କରିବେ ସ୍ୱୟଂ ପ୍ରଯୋଜକ । ଏମିତିରେ ସମୟ ଥିଲା, ହିନ୍ଦୀ ଫିଲ୍ମ ଜଗତରେ ଦକ୍ଷିଣୀ ଦବ୍ଦବା ଥିଲା ପ୍ରଚୁର । ପ୍ରଯୋଜକ ଯାହା କହୁଥିଲେ, ତାହା ବେଦର ଗାର । ଦିନକର କଥା । ପ୍ରଯୋଜକ ମନ ଧ୍ୟାନ ଦେଇ ଶୁଣୁଥାଆନ୍ତି ପ୍ଲଟ୍ ଓ ଚରିତ୍ର ଗୁଡ଼ିକର କଥା । ତାହା ଏହିପରି । କ୍ଷୀରବାଲା ଆସି ବେଲ୍ ବଜାଇଲା, ଘର ମାଲିକ ବାହାରି ଆସି କ୍ଷୀର ରଖିଲା ବେଳକୁ "ସବୁଦିନ ମ୍ୟାଡାମ୍ କ୍ଷୀର ରଖନ୍ତି, ଆଜି ନାହାନ୍ତି କି? ପଚାରିଲା କ୍ଷୀର ବିକାଳି । ଜବାବ୍ ମିଳିଲା: ନାଇଁ ମ୍ୟାଡାମ ବାଥ୍ ରୁମ୍ରେ ଅଛନ୍ତି ତ' । ହଠାତ୍ ଚିହିଁକି ଉଠିଲେ ପ୍ରଯୋଜକ । ଅଗ୍ନିଶର୍ମା ପ୍ରଯୋଜକ ଚିତ୍କାର କଲେ: "କଟ୍ କଟ୍ । ଏମିତି କାହାଣୀ ଚଳିବନି, ସାମାନ ସବୁ ପ୍ୟାକ୍ କର ।' ପ୍ରଯୋଜକ ମହାଶୟଙ୍କର ଉଗ୍ର ମୂର୍ତ୍ତି ଦେଖି ସମସ୍ତେ ତାଜୁବ୍ । ତାଙ୍କ ବିଚାରରେ ସୁନ୍ଦରୀ ମହିଳା ଗାଧୁଆ ଘରେ ଅଛନ୍ତି ବୋଲି କ୍ଷୀରବାଲା କାହିଁକି ଜାଣିଲା! ଏଭଳି କାହାଣୀ ସୂଚାଇ ଦେବ ଗାଧୁଆ ଘରେ ମହିଳା ଜଣକ କେଉଁ ଅବସ୍ଥାରେ ଥିବେ । ଏଭଳି ବିକୃତିକୁ ଆଧାର କରି ଫିଲ୍ମ କରିହେବ ନାହିଁ, ତେଣୁ "କଟ୍ କଟ୍' ନିର୍ଦ୍ଦେଶ ଦେଲେ ସେ । ସେବକାର ଚିତ୍ର ନିର୍ମାତାମାନେ ରକ୍ଷଣଶୀଳ ନଥିଲେ । ମାନ ମର୍ଯ୍ୟାଦାର ସହିତ ଚିତ୍ର ନିର୍ମାଣ ଥିଲା ସେମାନଙ୍କର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ । ଏଭଳି କଥାକୁ ଆଜିକା ଦିନରେ କିଏ ମାନୁଛି?
ଚାଲୁ ମସାଲାଦାର କାହାଣୀ ଥିବ, ଅଧଲଙ୍ଗୁଳିଙ୍କ ନାଚ ଥିବ, ନହେଲେ ଚଳିବନି । ସଦାଶୟ କହୁଥିଲେ: ଆଜିକାଲି ସିନେମା ଥିଏଟର ପ୍ରଥମ ସପ୍ତାହରେ ଖାଲି । ଏବେ ଅଙ୍ଗପ୍ରଦର୍ଶନକାରୀ ନାଚ ଗୀତର ଚାହିଦା ବେଶୀ । ରାତିକରେ ହାତୀ ଅର୍ଜୁଥିବା ଆର୍ଟିଷ୍ଟ କାହିଁକି ଚଳଚ୍ଚିତ୍ର ମୁହାଁ ହେବେ? ଏପଟେ ୟୁଟ୍ୟୁବ୍, ଇନ୍ଷ୍ଟାଗ୍ରମ, ହ୍ୱାଟ୍ସ ଅପ୍ ପ୍ରବଳ ମାଡ଼ି ଗଲାଣି । ଛୁଆ ଠାରୁ ବୁଢ଼ା ସେଥିରେ ଏମିତି ମାତିଲେଣି ଯେ, କଥାରେ କୁହାଯାଇନପାରେ । ଜଣେ ଭଦ୍ର ମହିଳା ଗୋଟିଏ କ୍ଲିପିଂ ପଠାଇଥିଲେ । ଏହା କାଳେ ସତ କଥା, କାହାଣୀ ନୁହେଁ । ଗୋଟିଏ ଭିକାରି ସଡ଼କରେ ବୁଲିବା ଅବସ୍ଥାରେ ପାଟି କରି "ମାଆ, ପାଞ୍ଚ ଟଙ୍କିଆଟେ ମିଳିଯାଉ' ବୋଲି ଡାକ ଛାଡ଼ୁଥିଲା । କେହି ଶୁଣୁନଥିବାର ଦେଖି ଭିକାରି ଜଣକ ଦେଖିଲା, ଫାଟକ ପଡ଼ିଛି ଖୋଲା ମେଲା । ଭିତରକୁ ପଶିବାର ଉପକ୍ରମ କଲା ଭିକାରି ଜଣକ । ସଫଳ ହେଲା ବି । ମାଆ, ବାବା, ପିଲା, ଯୁବକ- ଯୁବତୀ ସମସ୍ତଙ୍କ ହାତରେ ଆଣ୍ଡ୍ରଏଡ୍ ସେଟ୍ । କିଏ ଆଣ୍ଠେଇ ହୋଇ ଖିଲି ଖିଲି ହୋଇ ହସୁଛି ତ' ସାର୍ ମ୍ୟାଡାମମାନେ ମୋବାଇଲ ମୁହାଁ ହୋଇ ସୋଫାରୁ ଗଡ଼ି ପଡ଼ିଲେଣି । ଅତିମନସ୍କ ପ୍ରାଣୀମାନଙ୍କୁ ଦେଖି ଭିକାରି ଜଣକ ନିଦକରେ ଘର ଭିତରେ ପଶିଲା । ଏମିତି ପଶିବା ଭିତରେ ଭୋକରେ ଆଉଟୁ ପାଉଟୁ ହେଉଥିବା ଭିକାରିର ନଜର ପଡ଼ିଲା କିଚେନ୍ ରୁମ୍ ଉପରେ । ନାଁକୁ ସିନା ସେ ଭିକାରି, ଭାଗ୍ୟରେ ଭୁରିଭୋଜନ ଯୋଗ ରହିଛି କିଏ ଜାଣିଥିଲା? କିଚେନ୍ ରୁମ୍ରେ ଭଲ ଚିକେନ୍ ତରକାରି, ନାନ୍ ଓ ବିରିଆନି ଅଛି! ଭୁରିଭୋଜନ ପରେ ଭିକାରି ଜଣକ ଗେଟ୍ ଦେଇ ଚୁପ୍ଚାପ୍ ହେରୁଡ଼ି ମାରି ବାହାରି ଗଲା । ହେଲେ ସମସ୍ତେ ସନ୍ଧ୍ୟା ଯାଏଁ ମୋବାଇଲମୁହାଁ ।
ବହୁ ସମୟ ପରେ ଡିନର୍ ଟେବୁଲରେ ଭେଟାଭେଟି ହେବା ସମୟକୁ ଦେଖାଗଲା ଯେ, ବିରିଆନି-ଚିକେନ୍ ତରକାରି ସବୁ ସଫା । କାହାଣୀ ଭଳି ଲାଗୁଥିବା ଘଟଣା ସବୁ କାହାଣୀ ନୁହେଁ । ଆମ ସମସ୍ତଙ୍କ ଜୀବନର ଏହା ଅଂଶବିଶେଷ ପାଲଟି ସାରିଲାଣି । ପୋତାମୁହାଁମାନେ ଯେମିତି ଓ ଯେତିକି ମାତ୍ରାରେ ମାତି ସାରିଲେଣି, ଆମେ କେଉଁ ଦିଗରେ ମାଡ଼ି ଯାଉଛୁ, କିଏ କହିବ? ତାହା ସିନେମା ମୋବାଇଲ୍ କ୍ଷେତ୍ରରେ ଯେମିତି, ଆମ ସାଧାରଣ ଜୀବନରେ ତଦ୍ରୁପ । ବଡ଼ ବଡ଼ କଂକ୍ରିଟ୍ କୋଠା ଭିତରେ ରୁନ୍ଧିହୋଇ ଥିବା ମଣିଷ ଏବେ ଖାଲି ନୋଟ୍ ଗଣୁଛି । ଭଳିକି ଭଳି ହରର୍ ଫିଲ୍ମ ଦେଖି ମଜା ଲୁଟିବାରେ ବ୍ୟସ୍ତ । ପାଖ ପଡ଼ିଶାଙ୍କୁ ଜାଣୁନାହିଁ, କାହାକୁ ବିପଦ ଆପଦରେ ଆହା... ଚୁ... ଚୁ... କରିବାକୁ କାହା ପାଖରେ ଟାଇମ୍ ନାହିଁ । ସଦାଶୟ ଏହି ବ୍ୟସ୍ତତାକୁ ନାମ ଦେଇଛନ୍ତି– ବିଜି ଫର୍ ନଥିଙ୍ଗ୍ । ପୂର୍ବ ଦିନରେ କିଛି ନା' କିଛି କାମ ଧନ୍ଦାରେ ବ୍ୟସ୍ତ ରହୁଥିଲେ । କୌଳିକ ବୃତ୍ତି ବୋଲି କିଛି ରହୁଥିଲା । ଏବେ ଆଉ ତାହା ନାହିଁ, ସବୁଠି ମାଗଣା ପର୍ବ । ତଳେ ରହିଥିବା ଲୋକମାନଙ୍କୁ ଉପରକୁ ଉଠାଇବା ପାଇଁ ଗଳଦ୍ଘର୍ମ ପ୍ରତିଯୋଗିତା, ଏଥିରେ ଭଲ ଅଛି, ଭେଲ ବି ଅଛି । ଋଣ ହେଉଛି, ତାହାକୁ ଶୁଝିବା ପାଇଁ ହେଉଛି କମ୍ପିଟେସନ୍ ।
ଆଇ.ଟି. ସେକ୍ଟରରେ ଧନ-ଅର୍ଜନ ପ୍ରତିଯୋଗିତା ଜବାବରେ ମିଳୁଛି ମେଦ ବହୁଳତା, ଫ୍ୟାଟି ଲିଭର୍ ଠାରୁ ଦୁରାରୋଗ୍ୟ ବ୍ୟାଧିସମୂହ । ପୁଳା ପୁଳା ଟାବଲେଟ୍ ଗିଳୁଛନ୍ତି ଆମର ନୂଆ ପିଢ଼ି । କାହାକୁ ରାତି ଅନିଦ୍ରା ପାଇଁ ଭୋର ପର୍ଯ୍ୟନ୍ତ ଉଠିବାକୁ ସମୟ ନାହିଁ³ ତ' ଭଳିକି ଭଳି ନୂଆ ରୋଗ ଭୋଗିବା ପରେ ଏପରିକି ଆତ୍ମହତ୍ୟା ଭଳି ପର୍ଯ୍ୟନ୍ତ କଥା ଚାଲିଯାଉଛି । ପ୍ରେମ-ପ୍ରତାରଣା ଏବଂ ହତ୍ୟା ଓ ଆତ୍ମହତ୍ୟା ହୋଇ ସାରିଲାଣି ସାଧାରଣ କଥା । ତମାମ ବିଶ୍ୱରେ ଏଭଳି ଘଟୁଛି, ସଂସ୍କାରିତ ବିଚାର ବ୍ୟତିକ୍ରମ । ସ୍ନେହ, ପ୍ରେମ ପଛରେ ଲୁଚି ରହିଛି ମତ୍ଲବୀ ଦୂରଭିସନ୍ଧି । କୋଟି କୋଟିର ଭ୍ରଷ୍ଟାଚାର ସମସ୍ତେ ଦେଖୁଛନ୍ତି, ଦେଖି ଦେଖିଲା ଭଳି ମୂକ ଦର୍ଶକ ସାଜୁଛନ୍ତି । ସେଥିପାଇଁ ସଦାଶୟ କହୁଛନ୍ତି: ନାନ୍ୟ ପନ୍ଥା ବିଦ୍ୟତେ ଅୟନାୟ ।