ନୂଆଦିଲ୍ଲୀ,୦୯/୦୯: ସୋମବାର ବସୁଛି ଜିଏସ୍ଟି ପରିଷଦ ବୈଠକ । ବୀମା ପ୍ରିମିୟମରେ ଟିକସ, ଟିକସ ହ୍ରାସ ନେଇ ମନ୍ତ୍ରୀ ଗୋଷ୍ଠୀ ପ୍ରଦାନ କରିଥିବା ପରାମର୍ଶ ଏବଂ ଅନ୍ଲାଇନ ଗେମିଂ ଷ୍ଟାଟସ ରିପୋର୍ଟ ଉପରେ ଏହି ବୈଠକରେ ବିଚାର ବିମର୍ଷ ହେବାର ଢ଼େର ସମ୍ଭାବନା ରହିଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି ।
କେନ୍ଦ୍ର ଓ ରାଜ୍ୟ ଅଧିକାରୀଙ୍କୁ ନେଇ ଗଠନ ହୋଇଥିବା ଫିଟ୍ମେଣ୍ଟ କମିଟି ଜୀବନ ବୀମା, ସ୍ୱାସ୍ଥ୍ୟ ବୀମା ଏବଂ ପୁନଃ ବୀମା ଦେୟ ପ୍ରଦାନ ଏବଂ ଏହାର ରାଜସ୍ୱ ଉପରେ ପ୍ରଭାବ ଭଳି ଦିଗ ଗୁଡିକ ସମ୍ପର୍କରେ ରିପୋର୍ଟ ଜିଏସ୍ଟି ପରିଷଦକୁ ପ୍ରଦାନ କରାଯିବ ।
ସ୍ୱାସ୍ଥ୍ୟ ବୀମା ପ୍ରିମିୟମରେ ଏବେ ୧୮ ପ୍ରତିଶତ ଜିଏସ୍ଟି ଲାଗୁଥିବା ବେଳେ ଏହାର ହ୍ରାସ ହେଲେ ଲୋକମାନେ ଲାଭବାନ ହେବେ ବୋଲି କୁହାଯାଉଛି । ଏମିତିକି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ସ୍ୱାସ୍ଥ୍ୟ ଉପରେ ଜିଏସ୍ଟି କମାଇବା ଲାଗି ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଥିଲେ । ବିରୋଧୀ ମାନେ ମଧ୍ୟ ସଂସଦରେ ଏହି ପ୍ରସଙ୍ଗ ଉଠାଇଥିଲେ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସୁଥିବା ଏହି ବୈଠକରେ ରାଜ୍ୟ ମନ୍ତ୍ରୀମାନେ ମଧ୍ୟ ଯୋଗଦେବେ । ଜିଏସ୍ଟି ପରିଷଦ ସ୍ୱାସ୍ଥ୍ୟ ବୀମାରେ ଜିଏସ୍ ଟି ହ୍ରାସ ହେବ କି ନାହିଁ ତାର ସମ୍ଭାବ୍ୟ ଦିଗ ଗୁଡିକ ଉପରେ ବିଚାର କରିବ । ବରିଷ୍ଠ ନାଗରିକଙ୍କ ଭଳି କେଉଁ ବର୍ଗରେ ରିହାତି ମିଳିପାରିବ ସେ ଦିଗରେ ବିଚାର ବିମର୍ଷ ହେବ । ସେହିଭଳି ଜୀବନ ବୀମା ପ୍ରିମିୟମରେ ଜିଏସ୍ଟି କମାଇବା ପ୍ରସଙ୍ଗ ବୈଠକରେ ପ୍ରମୁଖ ଏଜେଣ୍ଡାରେ ରହିଛି । ୨୦୨୩- ୨୪ରେ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବୀମା ପ୍ରିମିୟମରେ ଜିଏସ୍ଟି ଲାଗୁ କରିବା ଯୋଗୁ ୮୨୬୨ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିଥିଲେ ।
ସେହିଭଳି ସ୍ୱାସ୍ଥ୍ୟ କ୍ଷେତ୍ରରେ ପୁନଃ ବୀମା ବାବଦକୁ ୧୪୮୪ କୋଟି ଟଙ୍କା ରାଜକୋଷକୁ ଆସିଛି । ଅର୍ଥମନ୍ତ୍ରୀ ନିକଟରେ କହିଥିଲେ, ସଂସଦରେ ହୋହାଲ୍ଲା କରିବା ପରିବର୍ତ୍ତେ ରାଜ୍ୟ ଗୁଡିକ ସେମାନଙ୍କ ଅର୍ଥ ମନ୍ତ୍ରୀଙ୍କୁ କହି ଏହି ପ୍ରସଙ୍ଗକୁ ଜିଏସ୍ଟି ପରିଷଦ ବୈଠକରେ ଉଠାଇବା ଆବଶ୍ୟକ । ଜିଏସ୍ଟିର ୭୫% ଅର୍ଥ ରାଜ୍ୟଗୁଡିକୁ ଯାଉଛି । ମନ୍ତ୍ରୀ ଗୋଷ୍ଠୀ ପରିଷଦ ବୈଠକରେ ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଟିକସ ହ୍ରାସ ପ୍ରସଙ୍ଗ ଉଠାଇଥିଲେ । ଏହି ପ୍ରସଙ୍ଗକୁ ତର୍ଜମା ଲାଗି ଫିଟମେଣ୍ଟ କମିଟିକୁ ପଠାଯାଇଛି ।
ବର୍ତ୍ତମାନ ୫, ୧୨, ୧୮ ଏବଂ ୨୮ ସ୍ଲାବ ମଧ୍ୟରୁ କାହାକୁ କାଟିବା ସପକ୍ଷରେ ମନ୍ତ୍ରୀ ଗୋଷ୍ଠୀ ନାହିଁ । ତେବେ ସାମଗ୍ରୀ ଏବଂ ସେବା କ୍ଷେତ୍ରରେ ଲାଗୁ ହେଉଥିବା ଟିକସ ହାର ହ୍ରାସ କରିବାକୁ ଫିଟମେଣ୍ଟ କମିଟିକୁ କୁହାଯାଇଛି । ସେହିଭଳି ଅନଲାଇନ ଗେମିଂ ଉପରେ କେନ୍ଦ୍ର ଏବଂ ରାଜ୍ୟ ସ୍ତରର ଅଧିକାରୀ ମାନେ ଜିଏସ୍ଟି ପରିଷଦକୁ ରିପୋର୍ଟ ପ୍ରଦାନ କରିବେ । ୨୦୨୩ ଅକ୍ଟୋବର ୧ ପରଠୁ ଏବଂ ପୂର୍ବରୁ ଏଥିରୁ କେତେ ପରିମାଣରେ ଟିକସ ଆଦାୟ ହୋଇଛି ତାହା ଦେଖିବ ଜିଏସ୍ଟି ପରିଷଦ ।
ଅକ୍ଟୋବର ପହିଲାରୁ ଏଣ୍ଟ୍ରି ସ୍ତରୀୟ ବେଟ୍ ବା ବାଜି ଗୁଡିକ ଉପରେ ୨୮% ଜିଏସ୍ଟି ଲାଗୁ ହୋଇଛି । ଏହା ପୂର୍ବରୁ କମ୍ପାନିଗୁଡିକ ୨୮% ଜିଏସ୍ଟି ଦେଉ ନ ଥିଲେ । ୨୦୨୩ ଅଗଷ୍ଟରେ ହୋଇଥିବା ଜିଏସ୍ଟି ପରିଷଦ ବୈଠକରେ ଏହାକୁ ନେଇ ସ୍ପଷ୍ଟ କଲେ ସରକାର । ଜିଏସ୍ଟି ଆଇନରେ ସଂଶୋଧନ ସରକାର ଟିକସ ଦେବାକୁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ରହିଲା ।
ସେହିଭଳି ବିଦେଶରୁ ପରିଚାଳିତ ଗେମିଂ କମ୍ପାନିଗୁଡିକ ଲାଗି ଜିଏସ୍ଟି କର୍ତ୍ତୃପକ୍ଷଙ୍କ ନିକଟରେ ପଞ୍ଜୀକରଣ କରାଇବା ବାଧ୍ୟତାମୂଳକ କରାଯାଇଛି । ଏହାର ଅବମାନନାରେ କମ୍ପାନିଗୁଡିକୁ ବ୍ଲକ କରାଯାଇଛି । ଏହା ପରଠୁ ଅନଲାଇନ ଗେମିଂ ଉପରେ ଟିକସର ତର୍ଜମା କରିବାକୁ ସରକାର କହିଥିଲେ । ତେବେ ଏ କ୍ଷେତ୍ରରେଲାଗୁ ହେଉଥିବା ଟିକସରେ ସେଭଳି କିଛି ପରିବର୍ତ୍ତନ ହୋଇ ନ ପାରେ ବୋଲି କୁହାଯାଉଛି । ସେହିଭଳି ଜାଲ ଜିଏସ୍ଟି ପଞ୍ଜୀକରଣ ଦ୍ୱାରା ହେଉଥିବା ଟିକସ ଠକେଇ ଉପରେ ରୋକ ଲଗାଇବା ଦିଗରେ ଆସିପାରେ ପଦକ୍ଷେପ । ୨୧,୭୯୧ ଜାଲ ପଞ୍ଜୀକରଣ ଏବଂ ୨୪ ହଜାର କୋଟିର ଟିକସ ଠକେଇ ଠାବ କରିଛନ୍ତି ଟିକସ କର୍ତ୍ତୃପକ୍ଷ । ସର୍ବକ୍ଷମା ସ୍କିମକୁ ମଞ୍ଜୁରୀ ଭଳି ବିଭିନ୍ନ ଦିଗକୁ ବିଚାର କରିବ ପରିଷଦ ।