କୁଜଙ୍ଗ,୯/୮(ଆପ୍ର); କୁଜଙ୍ଗ ଥାନା ପଙ୍କପାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ କେନାଲରେ ଗାଧୋଉଥିବା ସମୟରେ ପାଣିରେ ବୁଡ଼ି ମୃତ୍ୟୁ ଘଟିଚି। ମୃତ ଯୁବକ ଜଣଙ୍କ ପଙ୍କପାଳ ଗ୍ରାମର ଦୀପ୍ତି ରଞ୍ଜନ ପରିଡ଼ା( ୨୬) । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଦୀପ୍ତି ରଞ୍ଜନ ନିଜ ଭଉଣୀଙ୍କ ଶାଶୁଙ୍କ ଆଜି ଥିଲା ଦଶାହ କର୍ମ। ସେ ତାଙ୍କ ଭଉଣୀର ଶାଶୁଙ୍କ ଚାନ୍ଦପୁର ସ୍ଥିତ ଗାଁ କୁ ଯାଇ ଦଶାହ କର୍ମରେ ଯୋଗ ଦେଇଥିଲେ। ଏହି ସମୟରେ କେନାଲ ବନ୍ଧରେ କର୍ମ ଚାଲିଥିବା ବେଳେ ଦୀପ୍ତି ଗାଧୋଇବାକୁ କେନାଲ ଭିତରକୁ ଯାଇଥିଲେ । ମାତ୍ର କେନାଲ ପାଣିରେ ସେ ଭାସି ଯାଇଥିଲେ। ତୁରନ୍ତ ସ୍ଥାନୀୟ ଲୋକମାନେ ଚିତ୍କାର କରିବାରୁ ଘଟଣାସ୍ଥଳ ଲୋକାରଣ୍ୟ ହୋଇ ପଡ଼ିଥିଲା। ଖବର ପାଇ କୁଜଙ୍ଗ ପୋଲିସ୍ ଓ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ଖୋଜା ଖୋଜି କରିଥିଲେ।ମାତ୍ର ସ୍ଥାନୀୟ କିଛି ଯୁବକ ପାଣିକୁ ଡେଇଁ ଖୋଜା ଖୋଜି କରି ନିଖୋଜ ଦୀପ୍ତିକୁ ଉଦ୍ଧାର କରି କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।