ନୂଆଦିଲ୍ଲୀ ୦୧/୦୬: ରାଜସ୍ଥାନର ଜୟପୁରରେ ଡାକ୍ତର ସର୍ଜରି ଜରିଆରେ ଜଣେ ୧୪ ବର୍ଷୀୟା ଝିଅ ପେଟରୁ ୨୧୦ ସେମି ଲମ୍ବା ଏକ କେଶ ଗୁଚ୍ଛ ବାହାର କରିଛନ୍ତି । ଏହାକୁ ସର୍ଜରିରୁ ନିର୍ଗତ ବିଶ୍ୱର ସବୁଠୁ ଲମ୍ବା କେଶ ଗୁଚ୍ଛ ବୋଲି କୁହାଯାଉଛି । ଏହା ପୂର୍ବରୁ ୧୮୦ ସେମିର କେଶ ଗୁଚ୍ଛ ବିଶ୍ୱ ରେକର୍ଡରେ ଥିଲା । ଆଗ୍ରା ବାସିନ୍ଦା ଉକ୍ତ ଝିଅ ୧୦ମ ଶ୍ରେଣୀ ଛାତ୍ରୀ । ଗତ ୧ ମାସରୁ ସେ ଲଗାତାର ପେଟ ଯନ୍ତ୍ରଣା ଓ ବାନ୍ତି ସମସ୍ୟାର ସମ୍ମୁଖୀନ ହେଉଥିଲେ । ସ୍ୱାସ୍ଥ୍ୟ ବିଗିଡ଼ିବାରୁ ପରିବାର ତାଙ୍କୁ ଜୟପୁର ସ୍ଥିତ ଏକ ହସ୍ପିଟାଲକୁ ନେଲେ । ଯାଞ୍ଚ୍ରୁ ଡାକ୍ତର ତାଙ୍କ ପେଟରେ ଏକ କଠିନ ସଂରଚନା ପାଇଲେ, ଯାହା ନାଭିଠୁ ପେଟର ଉପର ଅଂଶ ପର୍ଯ୍ୟନ୍ତ ଲମ୍ବିଥିଲା । ସିଇସିଟି ସ୍କାନ୍ରୁ ପେଟରେ ଅସାମାନ୍ୟ ବସ୍ତୁ ଚିହ୍ନଟ ପରେ ଡାକ୍ତର ତୁରନ୍ତ ଅପରେସନ୍ କରିବାକୁ ନିଷ୍ପତ୍ତି ନେଲେ ।
ଗ୍ୟାଷ୍ଟ୍ରୋଟମି ବେଳେ ଜଣାପଡ଼ିଲା, କେଶ ଗୁଚ୍ଛ ପେଟରୁ ଛୋଟ ଅନ୍ତଃନଳୀ (ଡିଷ୍ଟଲ୍ ଇଲିୟମ୍) ପର୍ଯ୍ୟନ୍ତ ପହଞ୍ଚିଥିଲା । ସର୍ଜରି କରିଥିବା ଡାକ୍ତର କହିଛନ୍ତ, କେଶ ଗୁଚ୍ଛକୁ ଗୋଟିଏ ଖଣ୍ଡରେ ହିଁ ବାହାର କରାଗଲା । ଖଣ୍ଡ ଖଣ୍ଡ କରି ବାହାର କରିଥିଲେ, ଛୋଟ ଅନ୍ତଃନଳୀର ଅନେକ ଜାଗା କାଟିବାକୁ ପଡ଼ିଥାନ୍ତା । ଏହା ଦ୍ୱାରା ବିପଦ ବଢ଼ିଥାନ୍ତା । ଝିଅ ଗତ କିଛି ବର୍ଷ ହେଲା ମାଟି, କାଠ ଖଣ୍ଡ, ସୂତା ଓ ଚକ୍ ଭଳି ଜିନିଷ ଖାଉଥିବା କଥା ଡାକ୍ତରଙ୍କୁ କହିଲେ । ଡାକ୍ତର କହିଛନ୍ତି, ଏହି ଅଭ୍ୟାସ ପିକା ନାମକ ମାନସିକ ରୋଗ ସହ ସଂଶ୍ଳିଷ୍ଟ । ଏଥିରେ ବ୍ୟକ୍ତି ଅଖାଦ୍ୟ ଖାଇବା ଆରମ୍ଭ କରନ୍ତି । ଏହି ମାମଲା ସବୁଠୁ ଲମ୍ବା ଟ୍ରାଇକୋବେଜୋର ସର୍ଜରି ରୂପେ ବିଶ୍ୱ ରେକର୍ଡରେ ସ୍ଥାନ ପାଇବ ବୋଲି ହସ୍ପିଟାଲର ଡାକ୍ତର କହିଛନ୍ତି ।