ଭୁବନେଶ୍ୱର,୧୬/୦୭: ‘ସାପ’ ନାଁ ଶୁଣିବା ମାତ୍ରେ ଡର ଲାଗେ । କାଳେ କେଉଁଠି ଥିବ କି, ବାହାରି ଆସିବ । ଯଦି ସାପ କାମୁଡ଼େ, ଜୀବନ ଚାଲିଯିବ । ସେଥିପାଇଁ ତରବର ହୋଇ କେହିକେହି ଝଡ଼ାଫୁଙ୍କା କରିବାକୁ ଗୁଣିଆ ପାଖକୁ ଯାଇଥାନ୍ତି । ସେଠାରେ ପୂଜା ପାଠରେ ସମୟ ଅପଚୟ ହୁଏ, ଜୀବନ ଚାଲିଯାଏ । ଝଡ଼ାଫୁଙ୍କା ପରିବର୍ତ୍ତେ ସମୟ ଥାଇ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଜରୁରି । ସାପ କାମୁଡ଼ା ରୋଗୀଙ୍କ ପାଇଁ ହସ୍ପିଟାଲରେ ଆଣ୍ଟି ସ୍ନେକ ଭେନମ ଇଞ୍ଜେକ୍ସନ ରହିଛି । ତେଣୁ ସର୍ପାଘାତ ପ୍ରତି ସଚେତନତା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁସାରେ, ସର୍ପାଘାତ ଯୋଗୁ ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ୫୨୧୯ ଜଣଙ୍କ ମୃତ୍ୟୁ ଘଟିଛି । ସର୍ବାଧିକ ମୃତ୍ୟୁ ସଂଖ୍ୟା ବାଲେଶ୍ୱରରେ । ସେଠାରେ ୩୭୮ଜଣ ସର୍ପାଘାତ ରୋଗୀ ପ୍ରାଣ ହରାଇଛନ୍ତି । ସେହିପରି ସୁନ୍ଦରଗଡ଼ରେ ୩୨୫, ଅନୁଗୁଳରେ ୨୨୩, ବଲାଙ୍ଗିରରେ ୧୦୦, ବରଗଡ଼ରେ ୧୧୬, ଭଦ୍ରକରେ ୨୨୭, ବୌଦ୍ଧରେ ୫୦, କଟକରେ ୨୪୦, ଦେବଗଡ଼ରେ ୯୯, ଢ଼େଙ୍କାନାଳରେ ୨୨୩, କଳାହାଣ୍ଡିରେ ୯୨, କନ୍ଧମାଳରେ ୪୯, କେନ୍ଦ୍ରାପଡ଼ାରେ ୨୫୩, କେନ୍ଦୁଝରରେ ୩୫୨, ଖୋର୍ଦ୍ଧାରେ ୧୨୪, କୋରାପୁଟରେ ୫୪, ମାଲକାନଗିରିରେ ୨୪୧, ନବରଙ୍ଗପୁରରେ ୧୭୭, ନୟାଗଡ଼ରେ ୯୨,ନୂଆପଡ଼ାରେ ୭୨, ପୁରୀରେ ୨୧୬, ରାୟଗଡ଼ାରେ ୩୯, ସମ୍ବଲପୁରରେ ୧୯୨, ସୁବର୍ଣ୍ଣପୁରରେ ୮୨ ,ଗଜପତିରେ ୨୫, ଗଞ୍ଜାମରେ ୩୩୫, ଜଗତସିଂହପୁରରେ ୯୩, ଯାଜପୁରରେ ୨୨୧, ଝାରସୁଗୁଡ଼ାରେ ୫୯ଜଣଙ୍କ ମୃତ୍ୟୁ ଘଟିଛି । ବିଶେଷ କରି, ବାଲେଶ୍ୱର, ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର, କେନ୍ଦ୍ରାପଡ଼ା ଆଦି ସ୍ଥାନରେ ସର୍ପାଘାତ ମୃତ୍ୟୁ ସଂଖ୍ୟା ଉଦ୍ବେଗଜନକ ରହିଛି ।
୨୦୧୫ରେ ରାଜ୍ୟ ସରକାର ସର୍ପାଘାତକୁ ଏକ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି । ସେଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣ୍ଟି ସ୍ନେକ ଭେନମ ଇଞ୍ଜେକ୍ସନ ମହଜୁଦ ରଖାଯାଉଛି । ରାଜଧାନୀ ଭୁବନେଶ୍ୱରରେ ଥିବା ଜଙ୍ଗଲ ଓ ନାଳରେ ନାଗ, ରଣା, ଢମଣା, ଚନ୍ଦନବୋଡ଼ା ଓ ଚିତିଭଳି ସାପ ଦେଖିବାକୁ ମିଳନ୍ତି । ନନ୍ଦନକାନନରେ ବି ଅନେକ ପ୍ରଜାତିର ଦେଶୀ ବିଦେଶୀ ସାପ ଅଛନ୍ତି । ସେମାନଙ୍କ ମଧ୍ୟରେ, କିଙ୍ଗ୍ କୋବ୍ରା, ମୋନେସିଲାଟ କୋବ୍ର, ବିନୋସିଲାଟ କୋବ୍ରା, ବର୍ମେସ ପାଇଥନ, ଇଣ୍ଡିଆନ ରକ୍ ପାଇଥନ, ରେଟିକୁଲେଟେଡ୍ ପାଇଥନ, ରସେଲ୍ସ ଭାଇପର, ର୍ୟାଟ୍ ସ୍ନେକ,କମନ ସ୍ୟାଣ୍ଡ ବୋଆ, ରେଡ୍ ସ୍ୟାଣ୍ଡ ବୋଆ, କମନ କ୍ରେଟ, ବ୍ୟାଣ୍ଡେଡ୍ କ୍ରେଟ୍ ଓ ୟେଲୋ ଆନାକୋଣ୍ଡା ଅଛନ୍ତି ।
ଖରାଦିନେ ଗରମ ହେତୁ ସାପମାନେ ବାହାରକୁ ବାହାରି ଆସନ୍ତି । ବିଭିନ୍ନ ସମୟରେ ଖାଦ୍ୟ ପଛରେ ଧାଇଁ ସାପ ଜନବସତିକୁ ଆସିଲେ ଲୋକେ ତାକୁ ବାଡ଼େଇ ମାରିଦିଅନ୍ତି । ହେଲେ ଏଭଳି ନକରି ସ୍ନେôକ ରେସ୍କ୍ୟୁ ସହାୟତାରେ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେବା କଥା ବୋଲି ପରିବେଶବିତ୍ମାନେ କହିଛନ୍ତି । ଅମଳ ସମୟରେ ଶସ୍ୟ ଖାଉଥିବା ମୂଷାଙ୍କୁ ଖାଇ ଏହା କୃଷକଙ୍କୁ ସହାୟତା କରିଥାଏ ବୋଲି ସାମାଜିକ କର୍ମୀ ସୁଧାକର ସେଠୀ କହନ୍ତି ।