ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

କେମିତି ଆଗକୁ ବଢ଼ିବ ବିଜୁ ଜନତା ଦଳ ? ବିଜେପିକୁ ନେଇ କ’ଣ ରହିବ ନବୀନଙ୍କ ଆଭିମୁଖ୍ୟ, ଏବେ ରାଜ୍ୟବାସୀଙ୍କ ନଜର

ଭୁବନେଶ୍ୱର,୧୭/୦୬: କେମିତି ଆଗକୁ ବଢ଼ିବ  ବିଜୁ ଜନତା ଦଳ? ସଂଗଠନରେ ହେବ କି ବଡ଼ଧରଣର  ଓଲଟପାଲଟ? ଫେରିବ ବି ପୁରୁଖା ନେତାଙ୍କ ଦବ୍‌ଦବା?  ବିଜେପିକୁ ନେଇ କ’ଣ ରହିବ ନବୀନ ଓ ବିଜେଡିର  ଆଭିମୁଖ୍ୟ? ଆକ୍ରମଣାତ୍ମକ ହୋଇ ବିଜେଡି ଆଗକୁ ବିଜେପି ବିରୋଧରେ ଗର୍ଜିବ ନା ନରମ ଆଭିମୁଖ୍ୟ  ଆପଣାଇବ? କିଏ ହେବ ବିରୋଧୀ ଦଳ ନେତା, ନବୀନ  ପଟ୍ଟନାୟକ ନା ଅନ୍ୟ କିଏ? 

ଏସବୁ ପ୍ରଶ୍ନର ଉତ୍ତର ଉପରେ ସାରା ରାଜ୍ୟର ଆଖି ଲାଖିଛି । ତୃଣମୂଳରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ବିଜେଡି ନେତା  ଓ କର୍ମକର୍ତ୍ତା ଏବେ ଚୁପ୍‌ ହୋଇ ବସିଛନ୍ତି । ଅଢ଼େଇ  ଦଶନ୍ଧିର ଲମ୍ବା କ୍ଷମତା ଚାଲିଯିବା ପରେ ବୁଝିପାରୁନାହାନ୍ତି  କ’ଣ କରିବେ? ଜିତିଥିବା ବିଧାୟକଙ୍କ ସକ୍ରିୟତା ପୂର୍ବାପେକ୍ଷା ଧିମା ଥିବାବେଳେ ହାରିଯାଇଥିବା ନେତାଙ୍କ  ଦେଖା ଦର୍ଶନ ମିଳୁନି ନିର୍ବାଚନମଣ୍ଡଳୀରେ ।  

ଇତିମଧ୍ୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ  ପୂର୍ବାପେକ୍ଷା ଅଧିକ ସକ୍ରିୟତା ଦେଖାଇଛନ୍ତି । ନବୀନଙ୍କ  ଏହି ସଙ୍କଟ ସମୟରେ ଆଗକୁ ଆସିଛନ୍ତି ଦଳର ପୁରୁଖା  ନେତାମାନେ । ବାରମ୍ବାର ନବୀନ ନିବାସ ଆସି ନବୀନଙ୍କୁ  ଭେଟୁଛନ୍ତି । ଭବିଷ୍ୟତ ରଣନୀତି ନେଇ ଆଲୋଚନା କରୁଛନ୍ତି ।  ନବୀନଙ୍କ ନିର୍ଦ୍ଦେଶରେ ନିର୍ବାଚନ ପରାଜୟ ସମୀକ୍ଷା ଜାରି  ରହିଛି । ସେହି ଅନୁସାରେ ଆଗକୁ ଦଳରେ ବଡ଼ ପରିବର୍ତ୍ତନ  ହେବାର ଆଭାସ ମିଳୁଛି । ମୂଳରୁ ଦଳ ସହ ଯୋଡ଼ି ହୋଇଥିବା  ହେଭିୱେଟ ନେତାମାନଙ୍କୁ ଆଗାମୀ ଦିନରେ ଗୁରୁ ଦାୟିତ୍ୱ ମିଳିପାରେ । ସଂଗଠନରେ ବଡ଼ ପରିବର୍ତ୍ତନ ବି ହୋଇପାରେ ।  

ରାଜ୍ୟ ରାଜନୀତି ୨୪ ବର୍ଷ ପରେ କଡ଼  ଲେଉଟାଇଛି । ଶାସକ ଦଳରୁ ବିଜେଡି ଏବେ  ରାଜ୍ୟର ମୁଖ୍ୟ ବିରୋଧୀ ଦଳ । ବିଧାନସଭାରେ ବିଜେଡି ବିଧାୟକଙ୍କ ସଂଖ୍ୟା ୫୧ । ବିଧାନସଭାରେ  ଶକ୍ତିଶାଳୀ ବିରୋଧୀ ଭୂମିକାରେ ବିଜେଡିକୁ ଅବତୀର୍ଣ୍ଣ  ହେବାକୁ ପଡ଼ିବ । ନଚେତ୍‌ ବିଜେପି ବିରୋଧରେ ସାରା  ଦେଶରେ କଂଗ୍ରେସ ଯେଉଁଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ  ଆପଣାଉଛି, ଓଡ଼ିଶାରେ ବିଜେଡିକୁ ଠେଲି କଂଗ୍ରେସ ଆଗକୁ ବଢ଼ିବାକୁ ଚେଷ୍ଟା କରିବ । ଏଭଳି ସ୍ଥିତିରେ  ସଭିଙ୍କ ନଜର ଅଟକିଛି- ବିଜେଡି କିଭଳି ବିଧାନସଭା  ଭିତରେ ଓ ବାହାରେ ବିଜେପି ସରକାରଙ୍କୁ ଆକ୍ରମଣ  କରିବ? ଗତ ୫ ବର୍ଷର ରେକର୍ଡ ଦେଖିଲେ ରାଜ୍ୟରେ  ବିଜେଡି-ବିଜେପି ତୀବ୍ର ଲଢ଼େଇ ଥିଲେ ବି କେନ୍ଦ୍ରରେ  ଅନେକ ପ୍ରସଙ୍ଗରେ ବିଜେପି ସରକାରକୁ ସମର୍ଥନ  ଦେଇଥିଲା ବିଜେଡି । 

ଏମିତିକି ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମେଣ୍ଟ କଥା ଉଠିଥିଲା । ଏବେ ଲୋକସଭାରେ  ବିଜେଡି ପୂରା ସଫା ହୋଇଯାଇଛି । ତେଣୁ କେନ୍ଦ୍ରର  ଏନଡିଏ ସରକାରଙ୍କୁ କିମ୍ବା ଇଣ୍ଡିଆ ମେଣ୍ଟକୁ ବିଜେଡିର  କୌଣସି ସହଯୋଗ ଲୋଡ଼ା ନାହିଁ । ଏକରକମ ଅଲୋଡ଼ା ସ୍ଥିତିରେ ପହଞ୍ଚିଛି ବିଜୁ ଜନତା ଦଳ । ଏ ସ୍ଥିତିରେ ବିଜେଡି କେମିତି ଲଢ଼ିବ, ଦଳ  ରଣନୀତି ସ୍ଥିର କରିପାରିନି ଏଯାଏଁ । ଯାହା ଖବର  ମିଳୁଛି, ସମ୍ଭବତଃ ନବୀନ ହିଁ ବିଧାନସଭାରେ  ବିରୋଧୀ ଦଳ ନେତା ଭୂମିକାକୁ ଓହ୍ଲାଇବେ ।  

ତାଙ୍କୁ ସହଯୋଗ କରିବାକୁ ଅଭିଜ୍ଞ ପ୍ରସନ୍ନ ଆଚାର୍ଯ୍ୟ  ଉପନେତା ଦାୟିତ୍ୱ ନେଇପାରନ୍ତି ବିଜେଡି ବିଧାୟକ  ଦଳରେ । ମୁଖ୍ୟ ସଚେତକ ପାଇଁ ରଣେନ୍ଦ୍ର ପ୍ରତାପ  ସ୍ୱାଇଁଙ୍କ ଭଳି ଟାଣୁଆ ନେତାଙ୍କ ନାମ ଆଗରେ ରହିଛି ।  ବଡ଼ କଥା ହେଲା, ୨୪ ବର୍ଷର ବିଜେଡି ଶାସନକୁ  ହରାଇ ବିଜେପି ଓଡ଼ିଶାରେ ସରକାର ଗଢ଼ିଛି ।  ଏମିତିରେ କେଉଁ ପ୍ରସଙ୍ଗ ଧରି ନୂଆ ସରକାରଙ୍କୁ  ବିଜେଡି ଆକ୍ରମଣ କରିବ? ଏ କ୍ଷେତ୍ରରେ କେନ୍ଦ୍ରୀୟ ଅବହେଳା, ସ୍ୱତନ୍ତ୍ର ପାହ୍ୟା, ରେଳର ବିକାଶ,  କୋଇଲା ରୟାଲଟି ସହ ଦରବୃଦ୍ଧିକୁ ବିଜେଡି  ବଡ଼ ପ୍ରସଙ୍ଗ କରିପାରେ ।  

ଅନ୍ୟପକ୍ଷରେ ବିଜେଡି ସରକାର ଅମଳରେ  ହୋଇଥିବା ବିଭିନ୍ନ ଦୁର୍ନୀତିକୁ ପ୍ରସଙ୍ଗ କରି  ପାଲଟା ଆକ୍ରମଣ କରିବାକୁ ବିଜେପି ବି ପ୍ରସ୍ତୁତି ଚଳାଇପାରେ । ଏହାକୁ ଦେଖିଲେ ବିଜେପି  ବିରୋଧରେ ବିଜେଡି କଡ଼ା ଆକ୍ରମଣାତ୍ମକ ଆଭିମୁଖ୍ୟ  ନେବ ନା ନରମ ଆଭିମୁଖ୍ୟ ଦେଖାଇବ, ତାହା  ଆକଳନ କରି ହେଉନି ।

  • PrameyaOdia
  • prameya
  • BJD
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.