ନୂଆଦିଲ୍ଲୀ,୮/୦୨: ବଜେଟ୍ ପରେ ମଧ୍ୟବିତ୍ତଙ୍କୁ ଆରବିଆଇ ଭେଟି ମିଳିଛି । ଏବେ କମିବ ସୁଧହାର ଶସ୍ତା ହେବ ଋଣ । ଇଏମଆଇ ବୋଝ କମ୍ ହେବ । ୫ ବର୍ଷ ପରେ ରେପୋ ରେଟ୍ ପରିବର୍ତ୍ତନ ହୋଇଛି । .୨୫% ରେପା ରେଟ୍ ହ୍ରାସ ହୋଇଛି । ୬.୫ ପ୍ରତିଶତରୁ ୬.୨୫ ପ୍ରତିଶତକୁ ଖସିଛି । ଆରବିଆଇ ମନିଟାରୀ ପଲିସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆପଣ କେବେ ରେପୋ ରେଟ୍ ସମ୍ପର୍କରେ ଶୁଣିଛନ୍ତି କି ? ଦେଶର ଅର୍ଥ ବ୍ୟବସ୍ଥା ଉପରେ ଏହାର କଣ ପ୍ରଭାବ ରହିଛି ଆସନ୍ତୁ ଜାଣିବା ଏହି ରିପୋର୍ଟରେ ।
ରେପୋ ରେଟ୍ କଣ ? ଅର୍ଥ ଓ ଅର୍ଥଶାସ୍ତ୍ରର ଦୁନିଆରେ ରେପୋ ରେଟର ଗୁରୁତ୍ବପୂର୍ଣ୍ଣ ପ୍ରଭାବ ପଡିଥାଏ । ସରଳରେ କହିବାକୁ ଗଲେ ରେପୋର ଅର୍ଥ (କ୍ରୟ ଚୁକ୍ତିନାମା) । ଏହା ଏକ ସୁଧହାର ଯେଉଁଥିରେ କମର୍ସିଆଲ୍ ବ୍ୟାଙ୍କଗୁଡିକ କେନ୍ଦ୍ରୀୟ ବ୍ୟାଙ୍କଠୁ ଟଙ୍କା ଧାର ନିଏ । ଯେବେ କମର୍ସିଆଲ ବ୍ୟାଙ୍କକୁ ତାର ଦୈନିକ ଆବଶ୍ୟକତାକୁ ପୁରା କରିବାକୁ ଟଙ୍କା ଦରକାର ହୁଏ ସେବେ ଟଙ୍କା ଉଧାର ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ସହ ସମ୍ପର୍କ କରିଥାଏ । ଯେଉଁ ସୁଧ ହାରରେ ବ୍ୟାଙ୍କ ଟଙ୍କା ନିଏ ତାକୁ ରେପୋ ରେଟ୍ କୁହାଯାଏ ।
କିପରି କାମ କରେ ରେପୋ ରେଟ୍ ? ଭାବନ୍ତୁ ଆପଣ ଏକ କମର୍ସିଆଲ ବ୍ୟାଙ୍କ । ଆପଣଙ୍କ ଗ୍ରାହକଙ୍କୁ ଦେୟ ପାଇଁ କିଛି ଟଙ୍କା ଆବଶ୍ୟକ ତେବେ ଆପଣ କାହାଠୁ ଟଙ୍କା ଉଧାର ନେଇ ପାରିବେ ନାହିଁ । କେନ୍ଦ୍ରୀୟ ବ୍ୟାଙ୍କ ଯାଆନ୍ତୁ । କେନ୍ଦ୍ରୀୟ ବ୍ୟାଙ୍କ ଆପଣଙ୍କୁ ଟଙ୍କା ଧାର ଦେବାକୁ ସହମତ । ଆପଣଙ୍କୁ ଠିକ୍ ସମୟରେ ସୁଧ ସହ ମୂଳ ଫେରାଇବାକୁ ପ୍ରତିଶ୍ରୁତି ଦେବାକୁ ପଡିବ । ଏହି ସମୟରେ ରେପୋ ରେଟ୍ କାମରେ ଆସିଥାଏ ।
ଏହା ବି ପଢନ୍ତୁ...୫ ବର୍ଷ ପରେ ଖସିଲା ରେପୋ ରେଟ୍; ୬.୫୦%ରୁ ହେଲା ୬.୨୫% , ଶସ୍ତା ହେବ EMI
ଆରବିଆଇ କାମ କଣ ? ଆମ ଦେଶର ବ୍ୟାଙ୍କ ଗୁଡିକ ମଧ୍ୟରେ ମୁଖିଆ ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) । ଦେଶରେ ଯେଉଁ ସରକାରୀ ଓ ବେସରକାରୀ ବ୍ୟାଙ୍କ ଚାଲୁଛି ଏମାନଙ୍କ କାମ ଦେଖିବା ରଜର୍ଭ ବ୍ୟାଙ୍କର କାମ । ରିଜର୍ଭ ବ୍ୟାଙ୍କ ଗୋଟିଏ ନୀତି ପ୍ରସ୍ତୁତ କରି ଏହି ସମସ୍ତ ବ୍ୟାଙ୍କକୁ ପ୍ରଦାନ କରିଥାଏ । ଯେଉଁ ଆଧାରରେ ବ୍ୟାଙ୍କଗୁଡିକ କାମ କରିଥାନ୍ତି । ସଞ୍ଜୟ ମଲହୋତ୍ରା ବର୍ତ୍ତମାନ ଆରବିଆଇର ଗଭର୍ଣ୍ଣର ଅଛନ୍ତି । ଗତକାଲି (ଶୁକ୍ରବାର) ମନିଟାରୀ ପିଲିସି ବୈଠକରେ ରେପୋ ରେଟ୍ ହ୍ରାସ ହେବା ନେଇ ଘୋଷଣା କରିଥିଲେ ।
ଅର୍ଥ ବ୍ୟବସ୍ଥାରେ ପ୍ରଭାବ- ରେପୋ ରେଟ ଅର୍ଥ ବ୍ୟବସ୍ଥାରେ ସୁଧ ହାର ଉପରେ ପ୍ରଭାବ ପକାଏ । ଯେବେ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟ୍ ବଢାଏ ତେବେ କମର୍ସିଆଲ ବ୍ୟାଙ୍କ ଉପଭୋକ୍ତାଙ୍କୁ ଓ ବ୍ୟବସାୟୀଙ୍କୁ ଲୋନ୍ ପାଇଁ ତାର ସୁଧ ହାର ବଢାଇଥାଏ । ଉଧାର ନେବା ଅଧିକ ମହଙ୍ଗା ହୋଇଥାଏ । ଘର, କାର ଓ ନିବେଶରେ ଖର୍ଚ୍ଚ କମ୍ ହୋଇଥାଏ । ଅର୍ଥ ବ୍ୟବସ୍ଥାକୁ ପ୍ରଭାବିତ କରିବାକୁ ରେପୋ ରେଟ୍ ଏକ ମହତ୍ତ୍ବପୂର୍ଣ୍ଣ ଉପକରଣ ପରି ହୋଇଥାଏ । ରେପୋ ରେଟ୍ ଯେତେ କମିବ ଦେଶର ସାଧାରଣ ଲୋକଙ୍କୁ ସେତିକି ଫାଇଦା ମିଳିବ । ରେପୋ ରେଟ୍ କମ ରହିବା ଅର୍ଥ ବ୍ୟାଙ୍କ ଗୁଡିକ ପାଖରେ ଅଧିକ ଟଙ୍କା କ୍ୟାସ ଆକାରରେ ଉପଲବ୍ଧ ରହିଛି । ବ୍ୟାଙ୍କ ଯଦି ମାଲାମାଲ ହୁଏ ତେବେ ଲୋକଙ୍କ ଉପରେ କମ ଚାପ ପଡିବ । ଅର୍ଥାତ ବ୍ୟାଙ୍କ ଗୁଡିକ କମ୍ ସୁଧ ଆଦାୟ କରିବ । ଋଣ ବି ଶସ୍ତା ହେବ । ଯଦି କମ୍ ସୁଧରେ ଋଣ ମିଳିଲା ତେବେ ଘର ଗାଡି କିଣିବା ଆଦିରେ ଇଏମଆଇ କମ୍ ହେବ ।