କେସିଙ୍ଗା,୧୭/୬ : ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ରାଜ୍ୟରେ ଯୋଜନା କାର୍ଯ୍ୟକାରୀ ହେଉଛି । ପଞ୍ଚାୟତ ଅଞ୍ଚଳରେ ବସୁଧା ଯୋଜନାରେ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇ ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ଲୋକଙ୍କ ପାଖକୁ ବିଶୁଦ୍ଧ ପାଣି ପହଞ୍ଚି ପାରୁନାହିଁ । ଯାହାକି ସରକାରଙ୍କ ଯୋଜନା ବିଫଳ ହେଉଥିବା ଅଭିଯୋଗ ହେଉଛି ।
କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିକିଆ ପଞ୍ଚାୟତ ଅଧିନସ୍ଥ ଡଙ୍ଗରମୂର୍ଲି ଗ୍ରାମର ଓ୍ବାର୍ଡ଼ ନମ୍ବର ୧୦ରେ ବସବାସ କରୁଥିବା କଲୋନୀପଡ଼ାର ଲୋକଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି ପାଣି। ଉକ୍ତ ପଡ଼ାରେ ପ୍ରାୟ ୫୦ପରିବାର ବସବାସ କରୁଥିବାବେଳେ ପାଣି ହିଁ ମୁଖ୍ୟ ସମସ୍ୟା ରହିଛି ବୋଲି ଅଭିଯୋଗ କରିଛନ୍ତି ପଡ଼ା ବାସୀ। କଲୋନୀପଡ଼ା ଲୋକଙ୍କ ପାଇଁ ୨ଟି ନଳକୂଅ ରହିଛି ହେଲେ ନଳକୂଅର ପାଣି ଲୋକଙ୍କ ପିଇବା ପାଇଁ ଅନୁପଯୁକ୍ତ ହୋଇପଡ଼ିଛି । ପଡ଼ାରେ ବସୁଧା ଯୋଜନାରେ ପାଣି ପାଇପ୍ ସଂଯୋଗ ହୋଇଛି ହେଲେ ନିୟମିତ ଭାବେ ପଡ଼ାକୁ ପାଇପ୍ ପାଣି ଆସୁନଥିବା ଅଭିଯୋଗ ହେଉଛି। ସେହିପରି ପଡ଼ା ବାସୀଙ୍କ ସ୍ନାନ ପାଇଁ ମଧ୍ୟ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । କେବଳ ବର୍ଷା ଦିନର ୨/୩ମାସକୁ ଛାଡ଼ି ଦେଲେ ବାକି ଅନ୍ୟ ଦିନରେ ପଡ଼ା ଲୋକଙ୍କ ପାଇଁ ସ୍ନାନ କରିବାରେ ମଧ୍ୟ ସମସ୍ୟା ରହିଥିବା ବିଷୟ କହିଛନ୍ତି କଲୋନୀ ପଡ଼ାର ଭୁବନ ଚନ୍ଦନ, ଛନକ ମହାନନ୍ଦ, ରାକେଶ ମହାନନ୍ଦ, ଅଭିରାମ ନାଏକ, ଶେଷ ଦେବ ନାଏକ ପ୍ରମୁଖ ।
ସେହିପରି ପଡ଼ା ବାସୀଙ୍କ କହିବାନୁସାରେ, ପାନୀୟ ଜଳ ସମସ୍ୟା ଯୋଗୁଁ କିଡନୀ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । କିଡନୀ ରୋଗରେ ଆକ୍ରାନ୍ତ ହୋଇ ଧନଞ୍ଜୟ ନାଏକ, ପ୍ରଭାକର ମହାନନ୍ଦ, ନିର୍ମଳ ଚନ୍ଦ୍ର ନାଏକ, ଚତୁର୍ଭୁଜ ଶିଖା, ବିନୋଦ ମହାନନ୍ଦଙ୍କ ମୃତ୍ୟୁ ହୋଇଥିବା ଖବର ସଂଗ୍ରହରୁ ପ୍ରକାଶ । ବର୍ତ୍ତମାନ ଆନନ୍ଦ ସୁନା, ଲଛିମ ତାଣ୍ଡି, ଭୋଳାନାଥ ସୁନା, ସିନ୍ଧୁସୂତା ମହାନନ୍ଦ, ଭାସ୍କର ବଗର୍ତ୍ତି ପ୍ରମୁଖ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବା ନେଇ ପଡା ବାସୀ ପ୍ରକାଶ କରିଛନ୍ତି । କଲୋନୀ ପଡ଼ାର ଏକମାତ୍ର ପୋଖରୀ ହେଉଛି ଖଲିଆ ସାଗର । ଏହି ପୋଖରୀ ଉପରେ ପଡ଼ା ବାସୀ ସ୍ନାନ ପାଇଁ ନିର୍ଭରଶୀଳ। ହେଲେ ପୋଖରୀର ପୁନରୁଦ୍ଧାର ଯେଉଁ ଭଳି ହେବା କଥା ତାହା ହେଉନାହିଁ । ପୋଖରୀର ଉନ୍ନତିକରଣ ନାଁରେ ପଞ୍ଚାୟତ ତରଫରୁ କିଛି କାମ କରାଯାଇଥିଲେ ମଧ୍ୟ ତାହା ନାମକୁ ମାତ୍ର ବୋଲି ଅଭିଯୋଗ ହେଉଛି । ସ୍ଥାନୀୟ ଓ୍ବାର୍ଡ଼ ସଭ୍ୟ ପରମେଶ୍ବର ପଧାନଙ୍କ କହିବାନୁସାରେ ପଞ୍ଚାୟତ ବୈଠକରେ ଆଲୋଚନା କରାଯାଉଛି ହେଲେ ସୁଫଳ ମିଳୁନଥିବା ନେଇ ପ୍ରକାଶ କରିଛନ୍ତି । ନଳକୂଅ ପାଣିର ନମୂନା ସଂଗ୍ରହ କରି ସ୍ବାସ୍ଥ୍ୟ ବିଭାଗ ତରଫରୁ ପାଣି ପରୀକ୍ଷା କରାଯାଇଥିବା ନେଇ ଆଶାକର୍ମୀ ସୁକାନ୍ତି ବାଗ ପ୍ରକାଶ କରିଛନ୍ତି । ହେଲେ ପାଣି ପରୀକ୍ଷା ରିପୋର୍ଟ କ'ଣ ଆସିଛି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ ।
କଲୋନୀପଡାର ପାଣି ସମସ୍ୟାକୁ ନେଇ କିକିଆ ପଞ୍ଚାୟତ ସରପଞ୍ଚ କିଶୋର ପଧାନଙ୍କୁ ପଚାରିବାରୁ ଖଲିଆ ସାଗର ଉନ୍ନତୀକରଣ କରଣ ପାଇଁ ପଞ୍ଚାୟତ ତରଫରୁ ପଦକ୍ଷେପ ନିଆଯାଇଛି ଏବଂ ସ୍ବାସ୍ଥ୍ୟ ବିଭାଗ ତରଫରୁ ନଳକୂଅ ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଥିବା କହିଛନ୍ତି । ତେବେ କଲୋନୀପଡ଼ା ବାସୀଙ୍କ ପାଣି ସମସ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।