ରାଞ୍ଚି, ୧୩/୧୧: ଭୋଟ ଦେଉଛି ଝାଡଖଣ୍ଡ । ନେତା ବାଛୁଛନ୍ତି ଜନତା । ଝାଡଖଣ୍ଡ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ନେଇ ମତଦାନ ଆରମ୍ଭ ହୋଇଛି । ୪୩ ଆସନ ପାଇଁ ରାଜ୍ୟର ମତଦାନ ଚାଲିଛି । ମୋଟ ୬୮୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରୁଛନ୍ତି ଭୋଟର । ପ୍ରଥମ ପର୍ଯ୍ୟାୟରେ ମୋଟ ୧ କୋଟି ୩୭ ଲକ୍ଷ ୧୦ହଜାର ୭୧୭ ଭୋଟର ସେମାନଙ୍କ ନେତା ବାଛୁଛନ୍ତି ।
ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ରାଜ୍ୟରେ ୧୫ଟି ଜିଲ୍ଲାରେ ୪୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ମୋଟ ୬୮୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଚାଲିଛି । ମଇଦାନରେ ୭୩ ମହିଳା ପ୍ରାର୍ଥୀ ରହିଛନ୍ତି । କଡା ସୁରକ୍ଷା ବଳୟ ମଧ୍ୟରେ ଭୋଟ ଗ୍ରହଣ ଜାରି ରହିଛି । ଜେଏମଏମ ଓ କଂଗ୍ରେସ ମେଣ୍ଟ ସହ ବିଜେପିର କଡା ଟକ୍କର ହେବ । ସଂନ୍ଧ୍ୟା ୫ଟା ଭୋଟ ଗ୍ରହଣ ଚାଲିବ । ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ୧୫ ହଜାର ୩୪ ୪ ବୁଥରେ ଭୋଟିଂ ଚାଲିଛି । ୯୫୦ଟି ସମ୍ବେଦନଶୀ ଳ ବୁଥ ରହିଛି । ତେଣୁ ଏଠାରେ ଅପରାହ୍ନ ୪ଟା ଯାଏ ଭୋଟ ଗ୍ରହଣ ହେବ । ଶୃଙ୍ଖଳତି ମତଦାନ ପାଇଁ ମୋଟ ୨୦୦ରୁ ଅଧିକ ସୁରକ୍ଷାକର୍ମୀ ସମସ୍ତ ବୁଥରେ ନିୟୋଜିତ ଅଛନ୍ତି ।
୪୩ ଆସନରୁ ୨୦ଟି ଏସଟି ଓ ୬ଟି ଏସସି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି । ପ୍ରଥମ ପର୍ଯ୍ୟାୟରେ ଲଢୁଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ସାମିଲ ଅଛନ୍ତି । ସେହିପରି ୬ ଜଣ କ୍ୟାବିନେଟ୍ ମନ୍ତ୍ରୀ ରାମେଶ୍ୱର ଓରାଓଁ, ରାମଦାସ ସୋରେନ୍, ବନ୍ନା ଗୁପ୍ତା, ମିଥିଲେଶ ଠାକୁର, ଦୀପକ ବିରୁଆ ଓ ବୈଦନାଥ ରାମ ମଧ୍ୟ ମୈଦାନରେ ଅଛନ୍ତି । ଏମାନଙ୍କ ବ୍ୟତୀତ ଜେଡିୟୁର ସରଜୂ ରାୟ, ବିଜେପିର ସିପି ସିଂହ, ନୀରା ଯାଦବ, ନୀଳକଣ୍ଠ ସିଂହ ମୁଣ୍ଡା, ରାମଚନ୍ଦ୍ର ଚନ୍ଦ୍ରବଂଶୀ, କଂଗ୍ରେସର କେଏନ୍ ତ୍ରିପାଠୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ, ଚମ୍ପାଇ ସୋରେନ୍ଙ୍କ ପୁଅ ବାବୁଲାଲ ସୋରେନ୍, କ୍ୟାବିନେଟ୍ ମନ୍ତ୍ରୀ ସତ୍ୟାନନ୍ଦ ଭୋକ୍ତାଙ୍କ ବୋହୂ ରଶ୍ମି ପ୍ରକାଶଙ୍କର ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା।