ଲକ୍ଷ୍ନୌ,୨୫/୧୧: ଜାମା ମସଜିଦ ସର୍ଭେକୁ ନେଇ ଉତ୍ତରପ୍ରଦେଶ ସମ୍ବଲ ଅଶାନ୍ତ ହୋଇଛି । ମସଜିଦ ସର୍ଭେକୁ ବିରୋଧ କରି ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି । ଘୋର ହିଂସା ସହ ପୋଡାଜଳା ସ୍ଥିତି ଉପୁଜିଛି । ହିଂସାରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କର ମୃତ୍ୟୁ ହୋଇଛି । ଇଣ୍ଟରନେଟ ସେବା ଠପ୍ ହୋଇଛି । ଦ୍ବାଦଶ ଯାଏ ସମସ୍ତ ସ୍କୁଲ କଜେଜ ବନ୍ଦ ରହିଛି । ଘଟଣାରେ ୨୦ ପୋଲିସକର୍ମୀ ଆହତ ହୋଇଛନ୍ତି । ହିଂସାକୁ ନେଇ ୨୧ ଜଣଙ୍କୁ ଗିରଫ କରାଯାଇଛି ।
ସମ୍ୱଲର ଜାମା ମସଜିଦ୍ରେ ସର୍ଭେକୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା ବେଳକୁ ବେଳ ବୃଦ୍ଧି ପାଉଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଜାମା ମସଜିଦ ନିକଟ ଅଞ୍ଚଳକୁ ସିଲ୍ କରିଦେଇଛି । ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ୨୧ଜଣଙ୍କୁ ହେପାଜତକୁ ନେଇଛି ପୋଲିସ । ଯେଉଁଥିରେ ୨ଜଣ ମହିଳା ଅଛନ୍ତି । ସମସ୍ତ ଗିରଫଙ୍କୁ କୋର୍ଟ ଚାଲାଣ କରାଯିବ । ଆହତ ୨୦ ପୋଲିସକର୍ମୀଙ୍କ ମଧ୍ୟରେ ୪ଜଣ ସିନିୟର ଅଧିକାରୀ ଅଛନ୍ତି । ହିଂସାକୁ ନେଇ ଜାତୀୟ ସୁରକ୍ଷା ଆଇନ ବଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପୋଲିସ କହିଛି ।
ଡିଆଇଜିଙ୍କ ସୂଚନାଅନୁସାରେ, ହିଂସା ଘଟାଇଥିବା ଲୋକଙ୍କୁ ଚିହ୍ନଟ ନେଇ ରାତିସାରା ଛାପାମିରା ଚାଲିଥିଲା । ବିଭିନ୍ନ ସ୍ଥାନରୁ ମାରାଣାସ୍ତ୍ର ଜବତ ହୋଇଛି । ଅଭିଯୁକ୍ତମାନଙ୍କୁ ସିସିଟିଭ ଦ୍ବାରା ଚିହ୍ନଟ କରାଯାଇଛି । ହିଂସା ପରେ ସମ୍ବଲ ଏବଂ ଆଖପାଖ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ ରହିଛି । ଦ୍ବାଦସ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡିସେମ୍ବର ୧ ଯାଏ ସମ୍ବଲରେ ବାହାର ଲୋକଙ୍କ ପ୍ରବେଶ ଉପରେ ରୋକ ଲାଗିଛି ।
ପ୍ରକାଶ ଥାଉ କି, କୋର୍ଟଙ୍କ ନିର୍ଦ୍ଦେଶ ପରେ ଗତାକିଲ ଦ୍ବିତୀୟ ଥର ପାଇଁ ଜାମା ମସଜିଦର ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାକୁ ବିରୋଧ କରି ହଙ୍ଗାମା କରିଥିଲେ ସ୍ଥାନୀୟ ଲୋକ । ପୋଲିସ ଉପରକୁ ପଥରମାଡ କରିବା ସହ ଅନେକ ଗାଡି ଜାଳି ଦେଇଥିଲେ । ସ୍ଥିତି ଅଣାୟତ ହୋଇଥିଲା । ନଭେମ୍ବର ୧୯ ତାରିଖରେ ହିନ୍ଦୁ ପକ୍ଷରୁ ସିଭିଲ ସିନିୟର ଡିଭିଜନ ଚନ୍ଦୌସି କୋର୍ଟରେ ଏକ ଆବେଦନ କରିଥିଲେ । ସମ୍ଭଲର ଶାହି ମସଜିଦ ହେଉଛି ଶ୍ରୀ ହରିହର ମନ୍ଦିର । ୧୫୨୯ରେ ବାବାରଙ୍କ ଶାସନ କାଳରେ ଏହାକୁ ମସଜିଦ ଆକାର ଦିଆଯାଇଥିଲା। ଏହାପରେ ମସଜିଦର ସର୍ଭେ କରି ନଭେମ୍ବର ୨୯ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ସର୍ଭେ ଆରମ୍ଭ ହୋଇଥିଲା ।