ଭୁବନେଶ୍ୱର, ୦୪/୦୫: ଦେଭୂଇଁ ଗ୍ରାମରେ ଝଡତୋଫାନରେ ଗଛପଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଅଳ୍ପକେ କିନ୍ତୁ ତାଙ୍କର ଏକ ତିନି ବର୍ଷର ଝିଅ ରକ୍ଷା ପାଇଛନ୍ତି। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଡଗୁଣ୍ଡୁରୀ ପଞ୍ଚାୟତ ଦେଭୂଇଁ ଗ୍ରାମରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଶନିବାର ରାତିରେ ହଠାତ ଝଡ଼ ତୋଫାନ ସହ ବର୍ଷା ଆସିଥିଲା। ସେହି ସମୟରେ ଗେଲେଇ ବେହେରା ପଡିଶା ଘରୁ ଛୁଆଙ୍କୁ ଧରି ଫେରୁଥିଲେ । ଏହି ସମୟରେ ପ୍ରବଳ ଝଡତୋଫାନ ଯୋଗୁଁ ଘର ପାଖରେ ଥିବା କୃଷ୍ଣଚୁଡା ଗଛଟି ମହିଳାଙ୍କ ଉପରେ ପଡିଯାଇଥିଲା । ଫଳରେ ଘଟଣା ସ୍ଥଳରେ ଗେଲେଇ ବେହେରାଙ୍କ ମୃତ୍ୟୁ ହୋଇଛି । ଏହା ଦେଖି ତୁରନ୍ତ ସ୍ଥାନୀୟ ଲୋକେ ସେଠାରୁ ଛୋଟ ପିଲାକୁ ଉଦ୍ଧାର କରିଛନ୍ତି । ଛୁଆଟି ସୁସ୍ଥ ଥିବା ଜଣାପଡିଛି । ଖବର ପାଇ କଣିହାଁ ଅଗ୍ନିଶମ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଗଛଟିକୁ କାଟି ମହିଳାଙ୍କ ମୃତଦେହ ଉଦ୍ଧାର କରିଛି । କଣିହାଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।