ଭୁବନେଶ୍ୱର, ୦୪/୦୫: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇଜଣ ହାଇୱା ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଏକ ଆଇରନ ବୋଝେଇ ଟ୍ରକ୍ ହାଇୱାକୁ ଧକ୍କା ଦେବାରୁ ଘଟିଛି ଏଭଳି ଘଟଣା । ମୃତ ଦୁଇ ଡ୍ରାଇଭର ହେଲେ ରତ୍ନାକର ସ୍ୱାଇଁ ଓ ଚନ୍ଦନ ଜେନା ।
ସୂଚନା ମୁତାବକ, ପାରାଦୀପ ବନ୍ଦରର i-10 ପ୍ଲଟ୍ ସମ୍ମୁଖରେ ଏକ ହାଇୱା ଗାଡ଼ି ଖରାପ ହୋଇଥିଲା । ତେଣୁ ଦୁଇଜଣ ଡ୍ରାଇଭର ମିଶି ହାଇୱା ଗାଡ଼ିର କ୍ୟାବିନ୍ ଭିତରେ ପଶି କାମ କରୁଥିଲେ। ଏହି ସମୟରେ ଏକ ଆଇରନ ବୋଝେଇ ଟ୍ରକ୍ ଦୃତ ଗତିରେ ଆସି ହାଇୱାକୁ ଧକ୍କା ଦେଇଥିଲା । ଫଳରେ କ୍ୟାବିନ୍ ଭିତରେ ହାଇୱା ଡ୍ରାଇଭର ଦୁଇ ଜଣ ଚାପି ହୋଇ ଯାଇଥିଲେ। ଏହା ଦେଖି ଅନ୍ୟ ଡ୍ରାଇଭର ମାନେ ତାଙ୍କୁ ସେଠାରୁ ବାହାର କରି ସଙ୍ଗେ ସଙ୍ଗେ ଅଠରବାଙ୍କି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଧକ୍କା ଦେଇଥିବା ଆଇରନ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏହି ଘଟଣାକୁ ନେଇ ବନ୍ଦର ନିଷିଦ୍ଧାଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ଦର ଗେଟ୍ରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି ।