ବରଗଡ଼ ୦୩/୦୧: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶୁକ୍ରବାରଠାରୁ ଆରମ୍ଭ ହେବ । ମହାରାଜା କଂସଙ୍କ ରାଜୁତି ଚାଲିବ । ବରଗଡ଼ ମଥୁରା ନଗର ଓ ଅମ୍ବାପାଲି ପାଲଟିଯିବ ଗୋପପୁର । ମଥୁରା ଓ ଗୋପପୁର ମଝିରେ ପ୍ରବାହିତ ଜୀରା ନଦୀ ସାଜିବ ‘ଯମୁନା’ । ଏହାକୁ ଆଉ କେଇ ଘଣ୍ଟାର ଅପେକ୍ଷା ଥିବାବେଳେ ଅଞ୍ଚଳବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ବିପୁଳ ଉତ୍ସାହ ଓ ଉଦ୍ଦୀପନା ।
୧୧ଦିନ ବ୍ୟାପୀ ହେବାକୁ ଥିବା ୭୭ତମ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ସୁଚାରୁ ରୂପେ ପରିଚାଳନା ପାଇଁ ପ୍ରଶାସନିକ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମଞ୍ଚ କାରିଗର ଅନ୍ତିମ ସ୍ପର୍ଶରେ ବ୍ୟସ୍ତ ଥିବା ବେଳେ କଳାକାରମାନେ ଅଭ୍ୟାସରେ ଲାଗିପଡ଼ିଛନ୍ତି । ଭବ୍ୟତୋରଣ, ଆଲୋକମାଳା ଆକର୍ଷଣ ସାଜିଛି ।