ମ.ରାମପୁର,୩୦/୬(ହେମନ୍ତ କୁମାର ସାହୁ): ସେମାନେ ପତିପତ୍ନୀ । ପନ୍ଦର ବର୍ଷ ଧରି ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି । ଇତିମଧ୍ୟରେ ସେମାନଙ୍କର ୫ ସନ୍ତାନ ହେଲେଣି । ୪ ପୁଅ, ଗୋଟିଏ ଝିଅ । ଜନଜାତି ସମ୍ପ୍ରଦାୟର ରୀତିନୀତିକ୍ରମେ ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିଲେ। ହେଲେ ଆନୁଷ୍ଠାନିକ ସ୍ୱୀକୃତି ନ ଥିଲା । ସେଥିପାଇଁ ପତି-ପତ୍ନୀ ଅଲଗା ହେଲେ । କନ୍ୟାପକ୍ଷ ବର ଘରକୁ ଯାଇ ଝିଅକୁ ଫେରାଇ ଆଣିଲେ। ପୁଣି ଆରମ୍ଭ ହେଲା ବିବାହ ପ୍ରକ୍ରିୟା । ତିଥି ନିର୍ଦ୍ଧାରିତ ହେବା ପରେ ବରପକ୍ଷରୁ ସମ୍ପ୍ରଦାୟର ବରିଷ୍ଠମାନେ ଧୁମଧାମରେ ବରଯାତ୍ରୀ ଗଲେ । ବରଯାତ୍ରୀରେ ଦମ୍ପତିଙ୍କ ପୁଅମାନେ ବି ନାଚିଲେ । "କ୍ରିଉ କିଚେଡ୍’ ଅର୍ଥାତ୍ କିଚିରି ପିନ୍ଧା ବା ବରପକ୍ଷରୁ ରୁପେଲୀ ଅଳଙ୍କାର ଧାରଣ ହେଲା । ତାପରେ ‘ସେଡି’ ବା ଆନୁଷ୍ଠାନିକ ବିବାହ ସମ୍ପନ୍ନ ହେଲା । ଏହା ହେଉଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ଅଞ୍ଚଳରେ ରହୁଥିବା କୁଇକନ୍ଧ ସମ୍ପଦ୍ରାୟର ବିବାହ ପରମ୍ପରା "କ୍ରିଉ କିଚେଡ୍ସେଡି’ର କଥା । ପରମ୍ପରାକ୍ରମେ ଗତ ୩୧ ତାରିଖ ବ୍ଲକର ଦେଢ଼ଶୁଳୀ ପଞ୍ଚାୟତ ଅନ୍ତର୍ଗତ ପୁଇଝିରି ଗ୍ରାମର ବୃଷୁଙ୍ଗା ମାଝି ଓ ବଣ୍ଡେଲପଦର ଗ୍ରାମର କରେଲି ମାଝିଙ୍କ ବିବାହ ସମ୍ପନ୍ନ ହୋଇଛି ।
କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଦେଢ଼ଶୂଳୀ, ଲୁବେନଗଡ଼, ମାଣିକେରା ଭଳି ଆଦିବାସୀ ଅଞ୍ଚଳରେ ଏହି ପରମ୍ପରା ବିଶେଷ ଭାବେ ପ୍ରଚଳିତ । ଏହି ଅଞ୍ଚଳଟି କନ୍ଧମାଳ ଜିଲ୍ଲାକୁ ଲାଗିଛି । କନ୍ଧମାଳ ଜିଲ୍ଲାରେ ମଧ୍ୟ କୁଇକନ୍ଧ ସମାଜ ରହିଥିବାରୁ ଉଭୟ ଜିଲ୍ଲାରେ ଏଭଳି ବିବାହ ପରମ୍ପରା ବର୍ଷ ବର୍ଷ ଧରି ଚାଲିଆସିଛି । ବଣମୂଲକରେ ରହୁଥିବା ଏହି ଜନଜାତିରେ ପ୍ରତିବର୍ଷ ପ୍ରାୟ ଆଠରୁ ଦଶଟି କ୍ରିଉ କିଚେଡ ସେଡି (କିଚିରି ପିନ୍ଧା) ହୋଇଥାଏ ।
କୁଇକନ୍ଧ ସମ୍ପ୍ରଦାୟରେ ଯେଉଁ ଝିଅର ବିବାହ କରିବାକୁ ବାପାଙ୍କ ସମ୍ବଳ ନ ଥାଏ ଏବଂ ଝିଅଟିଏ ବିବାହଯୋଗ୍ୟ ହୋଇଯାଏ, ସେ ନିଜ ଅଞ୍ଚଳରେ ବରପାତ୍ର ଦେଖିଥାଏ । ସାମାଜିକ ସ୍ୱୀକୃତି ସହ ଝିଅକୁ ନେଇ ପୁଅଘରେ ଛାଡ଼ି ଦେଇଆସନ୍ତି । ଏଭଳି ଅଣଆନୁଷ୍ଠାନିକ ବିବାହକୁ ଜନଜୀବନରେ ଉଦୁଲିଆ କୁହାଯାଇଥାଏ । ପୁଅଘର ତରଫରୁ ଝିଅଘରକୁ ଏହାର ପ୍ରତିଦାନ ସ୍ୱରୂପ ଗାଈ, ବଳଦ, ମଇଁଷି ଆଦିରୁ ଗୋଟିଏ କିମ୍ବା ଦୁଇଟି ଦେବାକୁ ହୁଏ । ଯାହାକୁ ସେମାନେ ପ୍ରତିଦାନ ବୋଲି ବିଚାର କରନ୍ତି । ତା’ପରେ ଝିଅଟିଏ ସ୍ୱାମୀ ଘରେ ସଂସାର ଗଢ଼େ । ଦାମ୍ପତ୍ୟ ଜୀବନରେ ଝିଅଟି ଯଦି କିଛି ଭୁଲ କରେ ସେଥିପାଇଁ ସ୍ୱାମୀ ଦୋଷୀ ହୁଏନି, ବରଂ ଝିଅର ବାପା ଦୋଷୀସାବ୍ୟସ୍ତ ହୁଏ । ଯେପର୍ଯ୍ୟନ୍ତ ଝିଅର ବାପଘର ତରଫରୁ ପରମ୍ପରା ଅନୁଯାୟୀ ‘କ୍ରିଉ କିଚେଡି ସେଡି’ କରିନାହାନ୍ତି, ଝିଅଟିର ସଂପୂର୍ଣ୍ଣ ଅଧିକାର ସ୍ୱାମୀ ପାଖରେ ନ ଥାଏ । ତେଣୁ ପ୍ରାୟ ଝିଅମାନେ ଏହି ସମୟରେ ନିଜକୁ ଖୁବ୍ ମାର୍ଜିତ କରି ସ୍ୱାମୀ ସହିତ ବୈବାହିକ ଜୀବନ କଟେଇଥାନ୍ତି । ଝିଅର ବାପା ଘର ସକ୍ଷମ ହେବା ପରେ ପୁଅ ଘରକୁ ଯାଇ ‘କ୍ରିଉ କିଚେଡ୍ ସେଡି’ ପାଇଁ ନିବେଦନ କରନ୍ତି ।
ପ୍ରଥାନୁଯାୟୀ ବିବାହ ତିଥିର ପ୍ରାୟ ପନ୍ଦର ଦିନ ପୂର୍ବରୁ ଝିଅକୁ ନିଜ ଘରକୁ ଫେରାଇ ଆଣନ୍ତି । ନିର୍ଦ୍ଧାରିତ ଲଗ୍ନରେ ବରପକ୍ଷ ଜ୍ଞାତି, ପରିଜନଙ୍କୁ ଧରି ବରଯାତ୍ରୀ ଯାଆନ୍ତି । ବରପାତ୍ରକୁ ସମ୍ପର୍କୀୟ ଶାଳୀମାନେ ଗାଧୋଇ ଦେଇଥାଆନ୍ତି । ଝିଅକୁ ମଧ୍ୟ ଅନୁରୂପ ଭାବେ ତେଲ, ହଳଦୀ ଲଗାଇ ସ୍ନାନ କରାଇଥାନ୍ତି । ଗାଧୋଇବା ପାଇଁ ଗୋଟିଏ ଗରା ପାଣିକୁ ବର ପକ୍ଷରୁ ଶହେ ଟଙ୍କା ହିସାବରେ ଦିଆଯାଇଥାଏ । ବର ଯେତେ ଗରା ପାଣିରେ ଗାଧୋଇବାକୁ ଚାହେଁ ତାକୁ ସେତିକି ଶହ ଟଙ୍କା ଦେବାକୁ ପଡ଼େ । ତାପରେ ଉଭୟେ ନୂତନ ବସ୍ତ୍ର ପରିଧାନ କରନ୍ତି । ଝିଅର "କିଚିରି ପିନ୍ଧା’(ରୁପା ଅଳଙ୍କାର ପରିଧାନ) କରାଯାଏ । ଗୋଟିଏ କାନରେ ୧୪ଟି ହିସାବରେ ଦୁଇଟି କାନରେ ୨୮ଟି କିଚିରି ପିନ୍ଧାଇବାର ପରମ୍ପରା ରହିଛି । ନାଚଗୀତ, ଭୋଜିଭାତ ଭିତରେ ଝିଅକୁ ପରିବାର ଲୋକେ ନିଜ ସାଧ୍ୟ ମତେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦେଇ ବିଦା କରନ୍ତି । ଏହି ବିବାହ ସମୟରେ କର୍ ଏନ୍ଦା (ଖଣିନାଚ) କରାଯାଇଥାଏ । ସଲପ, ମହୁଲି ପିଇ ଉଭୟ ପକ୍ଷ ଲୋକେ ନାଚଗୀତରେ ମସଗୁଲ ରହନ୍ତି । ପୁଣି ଝିଅଟି ନିଜ ବରଘରକୁ ଆସିଥାଏ । ଏଭଳି ପରମ୍ପରାରେ ହୋଇଥିବା ବାହାଘରରେ କେବେ ବି ବିବାହ ବିଚ୍ଛେଦ ହୋଇଥିବା ନଜରକୁ ଆସିନି କି ଯୌତୁକ ନିର୍ଯାତନା ଦେବାର ମଧ୍ୟ ଦେଖିବାକୁ ମିଳେନାହିଁ । କୁଇକନ୍ଧଙ୍କ ଏଭଳି ନିଆରା ବିବାହ ପରମ୍ପରା ଆଜିର ସମାଜରେ ଉଦାହରଣୀୟ ।