ପାଟନା: ପ୍ରେମ ପାଇଁ ଆରଜେଡି ଏବଂ ନିଜ ଘରୁ ବିଦା ହୋଇଛନ୍ତି ତେଜପ୍ରତାପ ଯାଦବ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତେଜପ୍ରତାପଙ୍କ ବାପା ଲାଲୁ ଯାଦବ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ଜଣେ ଝିଅ ପାଇଁ ଯାଦବ ପରିବାରରେ ଭୂକମ୍ପ ଆସିଛି କହିଲେ ଭୁଲ ହେବ ନାହିଁ । ଆରଜେଡି ମୁଖ୍ୟ ତେଜପ୍ରତାପ ଯାଦବଙ୍କୁ ଦଳରୁ ୬ ବର୍ଷ ପାଇଁ ଏବଂ ପରିବାରରୁ ମଧ୍ୟ ବହିଷ୍କାର କରିଛନ୍ତି । ତେଜପ୍ରତାପ ଯାଦବ ଶନିବାର ଦିନ ତାଙ୍କ ଫେସବୁକ୍ ଆକାଉଣ୍ଟରେ ଅନୁଷ୍କା ଯାଦବ ନାମକ ଜଣେ ଝିଅ ସହିତ ତାଙ୍କର ଫଟୋ ପୋଷ୍ଟ କରିଥିଲେ । ଏହା ପରଠାରୁ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ ।
ଫେସବୁକ୍ରେ ଏକ ପୋଷ୍ଟରେ ତେଜପ୍ରତାପ କହିଥିଲେ ଯେ, ସେ ଅନୁଷ୍କା ଯାଦବଙ୍କ ସହ ୧୨ ବର୍ଷ ଧରି ସମ୍ପର୍କରେ ଅଛନ୍ତି । ସେପଟେ ଏହାର କିଛି ଘଣ୍ଟା ପରେ ତେଜପ୍ରତାପ ଯାଦବ ପୋଷ୍ଟିଟିକୁ ଡିଲିଟ୍ କରି ଦେଇଥିଲେ । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଥିଲେ ଯେ, ତାଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇ ଯାଇଛି । ତାଙ୍କର ଫଟୋଗୁଡ଼ିକୁ ଭୁଲ ଭାବରେ ପ୍ରଦର୍ଶିତ କରି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି ବୋଲି କହିଥିଲେ ତେଜପ୍ରତାପ ।
ଏବେ ପ୍ରଶ୍ନ ଉଠୁଛି, ସେହି ଝିଅ କିଏ ଯାହାଙ୍କ ପାଇଁ ଲାଲୁ ଯାଦବଙ୍କ ପରିବାରରେ ହଇଚଇ ସୃଷ୍ଟି ହୋଇଛି । ସେ ଅନୁଷ୍କା ଯାଦବ କିଏ ? ଅନୁଷ୍କା ଯାଦବ ବିହାରର ଜଣେ ଆରଜେଡି ନେତାଙ୍କ ଭଉଣୀ । ଯିଏ ଏବେ ଦଳ ଛାଡି ଦେଇଛନ୍ତି । ଅନୁଷ୍କା ଯାଦବ ପାଟନାର ବାସିନ୍ଦା । ଗୋଟିଏ ଫଟୋରେ ସେ ସବୁଜ ରଙ୍ଗର ଟୋପି ପିନ୍ଧିଥିବାର ମଧ୍ୟ ଦେଖାଯାଉଛି । ଯେଉଁ ଫଟୋଗୁଡ଼ିକ ସାମ୍ନାକୁ ଆସିଛି ତାହା ତେଜପ୍ରତାପ ଏବଂ ଅନୁଷ୍କା ଯାଦବଙ୍କର । ଭାଇରାଲ ହେଉଥିବା ଫଟୋ ମଧ୍ୟରୁ କେତେକ ଫଟୋରେ ଅନୁଷ୍କା ନିଜ ସିନ୍ଥିରେ ସିନ୍ଦୂର ପିନ୍ଧିଥିବା ଦେଖିବାକୁ ମିଳିଛି ।
ଗୋଟିଏ ଫଟୋରେ ସେ ତେଜପ୍ରତାପଙ୍କ ପାଇଁ କରଓ୍ବା ଚୌଥ କରୁଥିବାର ଦେଖାଯାଉଛି । ଏବେ ତେଜପ୍ରତାପଙ୍କୁ ଏହି ଫଟୋର ସତ୍ୟତା ସଂପର୍କରେ ଜବାବ ଦେବାକୁ ପଡିବ । ଏପରି ପରିସ୍ଥିତିରେ ବଡ଼ ପ୍ରଶ୍ନ ଉଠୁଛି ଯେ, ଯେତେବେଳେ ଲାଲୁ ଏବଂ ତାଙ୍କ ପରିବାର ଏହି ସମ୍ପର୍କ ବିଷୟରେ ଅବଗତ ଥିଲେ, ତେବେ ସେମାନେ ତେଜପ୍ରତାପଙ୍କୁ ଐଶ୍ୱର୍ଯ୍ୟାଙ୍କ ସହ କାହିଁକି ବିବାହ କରାଇଥିଲେ ? କ’ଣ ଲାଲୁ ପ୍ରସାଦ ଯାଦବ କୋର୍ଟ ମାମଲାରେ ଫସିଯିବା ଭୟରେ ଏବଂ ନିର୍ବାଚନରେ ହାରିବା ଭୟରେ ତରବରିଆ ଭାବରେ ତେଜପ୍ରତାପ ଯାଦବଙ୍କୁ ଦଳ ଏବଂ ପରିବାରରୁ ବହିଷ୍କାର କରିଛନ୍ତି ?