ନୂଆଦିଲ୍ଲୀ,୧୩।୮: ବିହାରରେ ଜାରି ମତଦାନ ସ୍ପେଶାଲ ଇନଟେନସିଭ୍ ରିଭିଜନ୍ (ଏସଆଇଆର) ଉପରେ ଯେଉଁଠି ସଂସଦରୁ ନେଇ ସଡକ ଓ ସୁପ୍ରିମକୋର୍ଟଙ୍କ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିଛି। ଲୋକସଭାରେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ନିର୍ବାଚନ କମିଶନ୍ ଓ ବିଜେପିକୁ ଟାର୍ଗେଟ କରୁଛନ୍ତି। ସେଭଳି ବିଜେପି ଏହି ପ୍ରସଙ୍ଗ ଉପରେ କଂଗ୍ରେସ ଓ ଗାନ୍ଧୀ ପରିବାର ଉପରେ ପାଲଟା ଆକ୍ରମଣ କରିଛି। ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟ ଅଭିଯୋଗ କରିଛନ୍ତି, ଏସଆଇଆରକୁ ନେଇ ଏବେ ବିରୋଧ କରୁଥିବା ରାହୁଲ ନିଜ ମା’ ସୋନିଆଙ୍କ ନାଗରିକତା ନେଇ କ’ଣ କହିବେ? କାରଣ ସୋନିଆ ଦେଶର ନାଗରିକ ହେବା ଆଗରୁ ଏଠାର ଭୋଟର ହୋଇସାରିଥିଲେ।
ସୋସିଆଲ ମିଡିଆ ଏକ୍ସରେ ଲେଖା ଯାଇଥିବା ଏକ ପୋଷ୍ଟରେ ଅମିତ ମାଲବୀୟ କହିଚନ୍ତି, ସୋନିଆ ଗାନ୍ଧୀଙ୍କ ନାଁ ଭାରତର ମତଦାତା ସୂଚୀରେ ଯୋଡା ଯିବା ଦ୍ବାରା ନିର୍ବାଚନ ଆଇନର ଘୋର ଉଲଂଘନ ହୋଇଛି। ବୋଧହୁଏ ଏହି କାରଣରୁ ରାହୁଲ ଅଯୋଗ୍ୟ ଓ ବେଆଇନ ମତଦାତାଙ୍କୁ ନିୟମିତ କରିବା ପକ୍ଷରେ ଅଛନ୍ତି। ସେମାନେ ଏସଆଇଆରର ବିରୋଧ କରୁଛନ୍ତି।’ ମାଲବୀୟ ଆଗକୁ ଲେଖିଛନ୍ତି, ତାଙ୍କ ନାଁ ପ୍ରଥମ ଥର ୧୯୮୦ରେ ମତଦାନ ସୂଚୀରେ ଯୋଡା ଯାଇଥିଲା। ଏହା ତାଙ୍କ ଭାରତୀୟ ନାଗରିକ ହେବାର ତିନି ବର୍ଷ ପୂର୍ବରୁ ହୋଇଥିଲା। ସେ ସମୟରେ ତାଙ୍କ ପାଖରେ ଇଟାଲି ନାଗରିକତ୍ବ ଥିଲା।
ମାଲବୀୟ ଆହୁରି କହିଛନ୍ତି, ସୋନିଆଙ୍କ ୧୯୮୦ ରେ ଇଟାଲୀ ନାଗରିକ ଥିଲେ। ତେବେ ୧୯୮୩ ରେ ସେ ଭାରତର ନାଗରିକତ୍ବ ହାସଲ କରିଥିଲେ। ଏହାର ଠିକ୍ କିଛି ମାସ ପୂର୍ବରୁ ସେ ଭାରତର ଭୋଟର ହୋଇସାରିଥିଲେ। ଆମେ ଏହା ପଚାରୁନୁ ଯେ, ରାଜୀବ ଗାନ୍ଧୀଙ୍କୁ ବିବାହ କରିବାର ୧୫ ବର୍ଷ ପରେ ସେ ଭାରତୀୟ ନାଗରିକତତ୍ବ ସ୍ବୀକାର କରିବାରେ କାହିଁକି ବିଳମ୍ବ କରିଥିଲେ ? ଯଦି ଏହା ଜବରଦସ୍ତ ନିର୍ବାଚନୀ ଅନିୟମିତତା ନୁହେଁ, ତେବେ ଆଉ କ’ଣ ?