ଭୁବନେଶ୍ବର,୨୬।୫ : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ଥିବା ସୋନପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବୀ ଜୋର ଧରିଛି । ୧୯୬୪ରୁ ଚାଲୁଥିବା ଏହି ମହାବିଦ୍ୟାଳୟକୁ ୬୧ବର୍ଷ ବିତି ଯାଇଥିଲେ ମଧ୍ୟ ସରକାରୀ ମାନ୍ୟତା ନ ମିଳିବାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି ।
ଏହାକୁ ନେଇ ସୋନପୁର ମହାବିଦ୍ୟାଳୟ ପରିସରରେ ପୁରାତନ ଛାତ୍ର ସଂଘ ପକ୍ଷରୁ ଏକ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପାଖାପାଖି ୫୦୦ରୁ ଊର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ ଭାଗ ନେଇ ଆଗାମୀ ଦିନରେ କିପରି ଭାବରେ ଏହି ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ମିଳିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟ ସରକାର ଏହି ମହାବିଦ୍ୟାଳକୁ ସବୁ ସମୟରେ ସବୁ କ୍ଷେତ୍ରରେ ଅବହେଳା କରୁଥିବା ଅଭିଯୋଗ କରିବା ସହିତ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ମତ ପ୍ରକାଶ ପାଇଥିଲା ।