ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତିର ବିଶାଳ ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଚର୍ଚ୍ଚା । ସବୁଠୁ ଅଧିକ ସିଟ୍ରେ ଜିତିଥିବା ବିଜେପିର ନେତାମାନେ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି । ସେହିଭଳି ଶିବସେନା କାର୍ଯ୍ୟକର୍ତ୍ତାଙ୍କ ଗୋଟିଏ ଇଚ୍ଛା, ସିନ୍ଦେ ହିଁ ମୁଖ୍ୟମନ୍ତ୍ରୀ ଚୌକିରେ ପୁଣି ଥରେ ବସନ୍ତୁ । ସେପଟେ ଅଜିତ ପାଓ୍ବାର ମଧ୍ୟ ମୁଖ୍ୟମନ୍ତ୍ରୀ ହେବାକୁ ଅନେକ ଥର ଇଚ୍ଛା ପ୍ରକାଶ କରିସାରିଛନ୍ତି । ଏଥିପାଇଁ ମହାୟୁତିରେ ଥିବା ୩ ଦଳରେ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଆଲୋଚନା ଜାରି ରହିଛି ।
ଗୋଟିଏ ପଟେ ଆଲୋଚନା ଚାଲିଥିବା ବେଳେ ଅନ୍ୟପଟେ କାର୍ଯ୍ୟକର୍ତ୍ତାମାନେ ନିଜ ନିଜର ପସନ୍ଦର ମୁଖ୍ୟମନ୍ତ୍ରୀଙ୍କ ଲାଗି ପୂଜାପାଠ କରୁଥିବା ଦେଖିବାକୁ ମିଳିଛି । ଶିବସେନା (ସିନ୍ଦେ) ଗୋଷ୍ଠୀର କାର୍ଯ୍ୟକର୍ତ୍ତାମାନେ ଏକନାଥ ସିନ୍ଦେଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଚୌକିରେ ଦେଖିବା ଲାଗି ଠାଣେର ବିଭିନ୍ନ ମନ୍ଦିରରେ ପ୍ରାର୍ଥନ ସଭାର ଆୟୋଜନ କରିଛନ୍ତି । କଶିଶ ପାର୍କ ଅଞ୍ଚଳରେ ଥିବା ସିଦ୍ଧି ବିନାୟକ ମନ୍ଦିରରେ ଶତାଧିକ ମହିଳା ଏକାଠି ହୋଇ ପୂଜାପାଠ କରିଛନ୍ତି ।
ଲୋକମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସଂପର୍କ, ଲାଡଲୀ ବାହିନ ଯୋଜନା ଲାଗି ମହାୟୁତି ବିଜୟ ପାଇଛି ବୋଲି ମହିଳାମାନେ ଦାବି କରିଛନ୍ତି । ଶିବସେନାର ଲୋକସଭା ସାଂସଦ ନରେଶ କହିଛନ୍ତି ଯେ, ଶିବସେନାର କାର୍ଯ୍ୟକର୍ତ୍ତା ଏକନାଥ ସିନ୍ଦେଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରାଇବାକୁ ଚାହୁଁଛନ୍ତି । ମହାରାଷ୍ଟ୍ରରେ ବିହାର ଭଳି ଫର୍ମୁଲା ଲାଗୁ ହେବ । ଯୋଗ୍ୟତା ଆଧାରରେ ମୁଖ୍ୟମନ୍ତ୍ରୀ ଚୟନ କରାଯିବ ବୋଳି ସେ ଆଶା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଠାଣେ ହେଉଛି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ହୋମ୍ ଟାଉନ୍ । ବିଧାନସଭା ନିର୍ବାଚନରେ ସେ କୋପରି-ପଚପାଖଡ଼ି ଆସନରୁ ଲଢ଼ି ୧ ଲକ୍ଷ ୨୦ ହାଜର ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।