ନୂଆଦିଲ୍ଲୀ, ୨୬/୧୦ : ପୁଣେରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡ ଟିମ୍ ଭାରତକୁ ୧୧୬ରନରେ ହରାଇଛି । ଏହାସହ କିଓ୍ବି ଟିମ୍ ସିରିଜ ଉପରେ ବି କବ୍ଜା କରି ନେଇଛି । ନ୍ୟୁଜିଲାଣ୍ଡ ପ୍ରଥମ ଥର ଭାରତରେ ଟେଷ୍ଟ ସିରିଜ ଜିତିବାରେ ସକ୍ଷମ ହୋଇଛି । ସେହିଭଳି ଟିମ୍ ଇଣ୍ଡିଆ ୧୨ବର୍ଷ ପରେ ଘରୋଇ ମାଟିରେ ଟେଷ୍ଟ ସିରିଜ ହାରିଛି ।
ପୁଣେ ଟେଷ୍ଟରେ ନ୍ୟୁଜିଲାଣ୍ଡ ଭାରତ ସାମ୍ନାରେ ୩୫୯ରନ୍ ଲକ୍ଷ୍ୟ ରଖିଥିଲା । ଯାହାର ଜବାବରେ ରୋହିତ ଏଣ୍ଡ କମ୍ପାନୀ ୨୪୫ରନ୍ କରି ପାରିଛି । ନ୍ୟୁଜିଲାଣ୍ଡ ଲାଗି ମିଚେଲ ସ୍ୟାଟନର ପ୍ରାୟ ୧୩ଓ୍ବିକେଟ ନେଇଥିଲେ । ସେ ପ୍ରଥମ ପାଳିରେ ୭ ଏବଂ ଦ୍ବିତୀୟ ପାଳିରେ ୬ଓ୍ବିକେଟ ନେଇଥିଲେ । ସିରିଜର ତୃତୀୟ ଏବଂ ଶେଷ ଟେଷ୍ଟ ମ୍ୟାଚ୍ ୧ନଭେମ୍ବରରେ ମୁମ୍ବାଇର ଓ୍ବାଙ୍ଖେଡ଼େ ଷ୍ଟାଡିୟମରେ ଖେଳାଯିବ ।
ସୂଚନା ଅନୁସାରେ ୧୯୫୫ରୁ ନ୍ୟଜିଲାଣ୍ଡ ଟିମ୍ ଭାରତ ଗସ୍ତ କରୁଛି । ମାତ୍ର କେବେ ବି ସେ ଏଠାରେ କୌଣସି ସିରିଜ ଜିତି ନ ଥିଲା । ମାତ୍ର ଏବେ ସମୟ ବଦଳି ଯାଇଛି । ନ୍ୟୁଜିଲାଣ୍ଡର ଯୁବ ଟିମ୍ ଲ୍ୟାୟମଙ୍କ ଅଧିନାୟକତ୍ବରେ ୬୯ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଇତିହାସ ରଚିଛି । ୬୯ବର୍ଷରେ ପ୍ରଥମ ଥର ଲାଗି କିଓ୍ବି ଟିମ୍ ଭାରତକୁ ଭାରତ ମାଟିରେ ଟେଷ୍ଟ ସିରିଜ ହରାଇଛି । ନ୍ୟୁଜିଲାଣ୍ଡ ୩ମ୍ୟାଚର ଟେଷ୍ଟ ସିରିଜ କବ୍ଜା କରି ନେଇଛି ।