ଏପରି ଏକ ଭାରତର ପରିକଳ୍ପନା କରିବା, ଯେଉଁଠାରେ ପ୍ରତ୍ୟେକ ପିଲାଙ୍କର ଶିକ୍ଷାଗତ ଯାତ୍ରା ଉପରେ ନଜର ରଖାଯାଇପାରିବ, ସୂକ୍ଷ୍ମ ବିବରଣୀ ଉପଲବ୍ଧ କରାଯାଇପାରିବ, ସେମାନଙ୍କର ଅନନ୍ୟ ପ୍ରତିଭା ଚିହ୍ନଟ ହୋଇପାରିବ । ପିଲାଙ୍କର ନିରବଚ୍ଛିନ୍ନ ଅଗ୍ରଗତିକୁ ସଠିକ୍ ମାର୍ଗଦର୍ଶନ ମିଳିପାରିବ, ତଥା କ'ଣ ପଢ଼ିଲେ କି କ୍ୟାରିଅର ଗଢ଼ିବା, କେମିତି ଗଢ଼ିବା, ନିଜ ଦକ୍ଷତାକୁ କିପରି ମାର୍ଜିତ କରି ତାକୁ କାମରେ ଲଗେଇବା ଭଳି ପ୍ରତିବନ୍ଧକକୁ ସାମ୍ନା କରାଯାଇ ସମଗ୍ର ଭାରତରେ ଲକ୍ଷ ଲକ୍ଷ ପିଲାଙ୍କ ଜୀବନରେ ପରିବର୍ତ୍ତନ ଅଣାଯାଇପାରିବ,ଏସବୁ ସ୍ୱପ୍ନ ଭଳି ଲାଗୁଥିଲେ ମଧ୍ୟ ଆଜି ଏହା ସତ୍ୟ । ଭାରତର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରି ଏକ ସୁନେଲି ଅଧ୍ୟାୟ ସୃଷ୍ଟି କରିବା ଦିଗରେ ଓ ସତ୍ୟକୁ ଏକ ବାସ୍ତବ ରୂପରେ ପରିଣତ କରିବାରେ "ଅପାର’ ଏକ ବ୍ରହ୍ମାସ୍ତ୍ର ।
"ଅପାର’ ଏକ ସ୍ୱୟଂଚାଳିତ ସ୍ଥାୟୀ ଶୈକ୍ଷଣିକ ହିସାବ ପଞ୍ଜିକା (ଇଚଇଇଜ- ଇଙ୍କଗ୍ଧକ୍ଟଜ୍ଞବଗ୍ଧରୟ ଚରକ୍ସଜ୍ଞବଦ୍ଭରଦ୍ଭଗ୍ଧ ଇମବୟରଜ୍ଞସମ ଇମମକ୍ଟଙ୍କଦ୍ଭଗ୍ଧ ଜରଶସଗ୍ଦଗ୍ଧକ୍ସଚ୍ଚ) । "ଅପାର’ କେବଳ ଏକ ଡିଜିଟାଲ ପଞ୍ଜିକରଣ ନୁହେଁ, ଏହା ଭାରତର ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଦିଗରେ ଏକ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ । ଏହାକୁ ଶିକ୍ଷା ପାଇଁ ଏକ ଆଜୀବନ ପାସ୍ପୋର୍ଟ ଭାବରେ ଚିନ୍ତା କରାଯାଇପାରିବ, ଯାହା ପ୍ରତ୍ୟେକ ଶିଶୁ ପାଇଁ ଏକ ସ୍ଥାୟୀ ଶୈକ୍ଷଣିକ ପ୍ରୋଫାଇଲ୍ ସୃଷ୍ଟି କରି ସ୍କୁଲର ପ୍ରଥମ ଦିନରୁ ଆରମ୍ଭ କରି ସେମାନଙ୍କର ବୃତ୍ତିଗତ କାର୍ଯ୍ୟ ପର୍ଯ୍ୟନ୍ତ ସହାୟକ ହୋଇପାରିବ । ଏହା ପିଲାଙ୍କର ଶୈକ୍ଷଣିକ ସଫଳତା, ଅତିରିକ୍ତ ପାଠ୍ୟକ୍ରମ କାର୍ଯ୍ୟକଳାପ ଏବଂ ବ୍ୟାବହାରିକ ଅନ୍ତର୍ଦୃଷ୍ଟିର ଏକ ବିସ୍ତୃତ ରେକର୍ଡ ରଖି ଶିକ୍ଷକ, ପିତାମାତା ଏବଂ ନୀତି ନିର୍ଦ୍ଧାରକମାନଙ୍କୁ ତଥ୍ୟ ପରିଚାଳିତ ନିଷ୍ପତ୍ତି ନେବାକୁ ସଶକ୍ତ କରାଇବ, ଯାହା ପ୍ରକୃତରେ ପ୍ରତ୍ୟେକ ପିଲାକୁ ଉପକୃତ କରିବ । ଦେଶର ଉଜ୍ୱଳ ଭବିଷ୍ୟତ ଗଢ଼ିବାରେ ସହାୟକ ହେବ ।
"ଅପାର’ ଏହା ସୁନିଶ୍ଚିତ କରିବ ଯେ ପ୍ରତ୍ୟେକ ଛାତ୍ର, ସେମାନଙ୍କର ସାମାଜିକ- ଆର୍ଥିକ ପୃଷ୍ଠଭୂମି ନିର୍ବିଶେଷରେ ସଫଳ ହେବା ପାଇଁ ଆବଶ୍ୟକ ବ୍ୟକ୍ତିଗତ ଧ୍ୟାନ ଯେମିତି ପାଆନ୍ତି । ଶିକ୍ଷଣର ବ୍ୟବଧାନ ଚିହ୍ନଟ କରିବା ଠାରୁ ଆରମ୍ଭ କରି ଅସାଧାରଣ ପ୍ରତିଭାର ପୋଷଣ ପର୍ଯ୍ୟନ୍ତ "ଅପାର’ ଏକ ସମାବେଶୀ, ନ୍ୟାୟସଂଗତ ଏବଂ ଦକ୍ଷତା ପରିଚାଳିତ ଶିକ୍ଷା ବ୍ୟବସ୍ଥା ପାଇଁ ଆଶାର ଆଲୋକବର୍ତ୍ତିକା । ଏହା କେବଳ ତଥ୍ୟ ଉପରେ ନଜର ରଖିବା ବିଷୟରେ ନୁହେଁ, ବରଂ ଏହା ଜୀବନକୁ ପରିବର୍ତ୍ତନ କରିବା, ସୁଯୋଗ ସୃଷ୍ଟି କରିବା ଏବଂ ଏକ ରାଷ୍ଟ୍ର ନିର୍ମାଣ କରିବା ବିଷୟରେ ଏକ ଯୁଗାନ୍ତକାରୀ ପଦକ୍ଷେପ, ଯେଉଁଠାରେ କୌଣସି ପିଲା ପଛରେ ରହିବେ ନାହିଁ । ଯେହେତୁ ଭାରତ ଏକ ବିଶ୍ୱ ଶକ୍ତିଉତ୍ସ ଭାବରେ ନିଜକୁ ଅବସ୍ଥାପିତ କରୁଛି, ସେଇ ଦିଗରେ "ଅପାର’ ଏକ ଉଜ୍ୱଳ, ସ୍ମାର୍ଟ ଏବଂ ସମାବେଶୀ ଭବିଷ୍ୟତ ପାଇଁ ମଞ୍ଚ ପ୍ରସ୍ତୁତ କରିପାରିବ । "ଅପାର’, ଦେଶର ଶିକ୍ଷା ବ୍ୟବସ୍ଥା ପାଇଁ ଏକ ସଞ୍ଜୀବନୀ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।
"ଅପାର’, ସମଗ୍ର ଭାରତର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଡିଜିଟାଲ, ସୁରକ୍ଷିତ ଏବଂ ବହୁମୁଖୀ ପରିଚୟ ବ୍ୟବସ୍ଥାର ପରିକଳ୍ପନା । କେବଳ ଶୈକ୍ଷଣିକ ପ୍ରଦର୍ଶନ ଉପରେ ଧ୍ୟାନ ଦେଉଥିବା ପାରମ୍ପରିକ ରିପୋର୍ଟ କାର୍ଡ ତୁଳନାରେ, "ଅପାର’ ପିଲାଙ୍କର ବିକାଶର ବ୍ୟାପକ ବିସ୍ତାରକୁ ଅନ୍ତର୍ଭୁକ୍ତ କରିବା ପାଇଁ ଗଢ଼ା ହୋଇଛି । "ଅପାର’ର ମୁଖ୍ୟ ଉପାଦାନଗୁଡ଼ିକ ହେଲା ଛାତ୍ରଛାତ୍ରୀଙ୍କ ଗତିଶୀଳତାକୁ ସୁଗମ କରିବା, ଏକାଡେମିକ୍ ନମନୀୟତାକୁ ବୃଦ୍ଧି କରିବା, ନିଜ ପସନ୍ଦର ଶିକ୍ଷଣ ପଥ ବାଛିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ସଶକ୍ତ କରିବା, ଶିକ୍ଷଣ ସଫଳତାକୁ ସ୍ୱୀକୃତି ଏବଂ ବୈଧିକରଣ କରିବା, ଯେହେତୁ ସମସ୍ତ ପରିଚୟପତ୍ର "ଅପାର’ ଆଇଡି’ରେ ଗଚ୍ଛିତ ରହିବ, କୌଣସି ଅତିରିକ୍ତ ପ୍ରମାଣପତ୍ର ପ୍ରଦାନ କରିବାର ଆବଶ୍ୟକତା ଆଉ ରହିବ ନାହିଁ । ତେଣୁ ସାର୍ଟିଫିକେଟ୍ ହଜିଯିବାର ବା ସାର୍ଟିଫିକେଟ୍ ନଆଣିଥିବାର ଭୟ ଆଉ ରହିବନାହିଁ । ତାହାଛଡ଼ା, ଏହା ଗୋଟିଏ ବିଦ୍ୟାଳୟରୁ ଅନ୍ୟ ବିଦ୍ୟାଳୟକୁ ସ୍ଥାନାନ୍ତର, ପ୍ରବେଶିକା ପରୀକ୍ଷା, ନାମଲେଖା, ଚାକିରି ଆବେଦନ, ଦକ୍ଷତା ବୃଦ୍ଧି ଇତ୍ୟାଦି ପାଇଁ ସହାୟକ ହେବ ।
"ଅପାର’ ମାଧ୍ୟମରେ ସଂଗୃହୀତ ଏବଂ ଅଦ୍ୟତନ କରାଯାଇଥିବା ତଥ୍ୟକୁ ଏକ ଜାତୀୟ ଡିଜିଟାଲ ଡାଟାବେସ୍ରେ ଏକୀକୃତ କରାଯିବ, ଯାହା ଶିକ୍ଷା କର୍ତ୍ତୃପକ୍ଷ ଏବଂ ଅଂଶୀଦାରମାନଙ୍କ ଦ୍ୱାରା ନିରବଚ୍ଛିନ୍ନ ବିଶ୍ଳେଷଣକୁ ସକ୍ଷମ କରାଇବ । "ଅପାର’ ପରିଚୟ ପତ୍ର ଭାରତର ଶିକ୍ଷାଗତ ପରିଦୃଶ୍ୟକୁ ଏକ ନୂଆ ରୂପ ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ । ଏହାର କାର୍ଯ୍ୟକାରିତା ଏବଂ ବ୍ୟାପକ ଗ୍ରହଣ ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିପାରିବ, ଯେପରି– (୧) ବ୍ୟକ୍ତିଗତକୃତ ଶିକ୍ଷା ମାର୍ଗ: ଜଣେ ଛାତ୍ରର ଶକ୍ତି, ଦୁର୍ବଳତା ଏବଂ ଆଗ୍ରହ ବିଷୟରେ ଏକ ସୂକ୍ଷ୍ମ ଦୃଷ୍ଟିକୋଣ ପ୍ରଦାନ କରି "ଅପାର’ ଶିକ୍ଷକ ଏବଂ ପିତାମାତାଙ୍କୁ ସ୍ୱତନ୍ତ୍ର ଶିକ୍ଷଣ ଯୋଜନା ସୃଷ୍ଟି କରିବାରେ ସାହାଯ୍ୟ କରିପାରିବ । ଏହା ସୁନିଶ୍ଚିତ କରିବ ଯେ ଛାତ୍ରଛାତ୍ରୀମାନେ ସେମାନଙ୍କ ମନୋନୀତ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବା ପାଇଁ ଆବଶ୍ୟକ ମାର୍ଗଦର୍ଶନ ଏବଂ ସମର୍ଥନ ପାଇବେ, ଯାହାଦ୍ୱାରା ସେମାନଙ୍କର ସାମର୍ଥ୍ୟ ସର୍ବାଧିକ ହେବ ଏବଂ ସେମାନେ ଏକ କୁଶଳୀ ଶ୍ରମଶକ୍ତିରେ ଯୋଗଦାନ ଦେଇପାରିବେ । (୨) ଶିକ୍ଷା କ୍ଷେତ୍ରରେ ଥିବା ବ୍ୟବଧାନକୁ ଦୂର କରିବା: ବିଶେଷକରି ଅବହେଳିତ ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା ଫଳାଫଳର ଅସମାନତା ଚିହ୍ନଟ ଏବଂ ସମାଧାନ ପାଇଁ "ଅପାର’ ଏକ ମାର୍ଗଦର୍ଶନ ପ୍ରଦାନ କରିପାରିବ । ସମ୍ବଳ, ଭିତ୍ତିଭୂମି କିମ୍ବା ଶିକ୍ଷାଦାନ ପଦ୍ଧତିରେ ଥିବା ବ୍ୟବଧାନକୁ ଚିହ୍ନଟ କରି, ନୀତି ନିର୍ଦ୍ଧାରକମାନେ ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷାର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଲକ୍ଷ୍ୟବଦ୍ଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । (୩) ସାମଗ୍ରିକ ବିକାଶକୁ ପ୍ରୋତ୍ସାହନ: ଘୋଷି ଘୋଷି ପାଠ ପଢ଼ିବା ବା ଘୋଷା ବଳଦ ହୋଇ ପରୀକ୍ଷାରେ ନମ୍ବର ରଖିବା ଭଳି ଶିକ୍ଷାର ପରିବର୍ତ୍ତନକୁ "ଅପାର’ ପ୍ରୋତ୍ସାହିତ କରିବ । ଶିକ୍ଷା ଠାରୁ ଆରମ୍ଭ କରି କଳା ଏବଂ କ୍ରୀଡ଼ା ପର୍ଯ୍ୟନ୍ତ ବିବିଧ ପ୍ରତିଭାକୁ ସ୍ୱୀକୃତି ଏବଂ ପୋଷଣ କରିବା ଦ୍ୱାରା ସମାଜକୁ ଅଭିନବ ଯୋଗଦାନ ଦେବାରେ ଏହା ସକ୍ଷମ ହୋଇପାରିବ । (୪) ତଥ୍ୟ ପରିଚାଳିତ ନୀତି ନିର୍ଦ୍ଧାରଣ: "ଅପାର’ ବ୍ୟବସ୍ଥାରୁ ସଂଗୃହୀତ ତଥ୍ୟ ସହିତ ସରକାର, ଶିକ୍ଷା ସଂସ୍କାର, ସମ୍ବଳ ଆବଣ୍ଟନ ଏବଂ ବିକାଶ କାର୍ଯ୍ୟକ୍ରମ ଉପରେ ସୂଚିତ ନିଷ୍ପତ୍ତି ନେଇପାରିବେ । ଏହି ତଥ୍ୟ ପରିଚାଳିତ ଆଭିମୁଖ୍ୟ ଜାତୀୟ ଶିକ୍ଷାଗତ ଆହ୍ୱାନର ମୁକାବିଲା କରିବାରେ ଦକ୍ଷତା ଏବଂ ପ୍ରଭାବଶୀଳତାକୁ ବୃଦ୍ଧି କରିଥାଏ । (୫) ଦାୟିତ୍ୱବାନ ନାଗରିକତ୍ୱକୁ ପ୍ରୋତ୍ସାହନ: ବ୍ୟାବହାରିକ ଏବଂ ସାମାଜିକ-ଆବେଗିକ ଗୁଣାବଳୀ ଉପରେ ନଜର ରଖିବା ଦ୍ୱାରା ଛାତ୍ରମାନଙ୍କ ମଧ୍ୟରେ ସହାନୁଭୂତି, ଦଳଗତ କାର୍ଯ୍ୟ ଏବଂ ନାଗରିକ ଦାୟିତ୍ୱ ଭଳି ମୂଲ୍ୟବୋଧକୁ ବିକଶିତ କରିବାରେ ସହାୟତା ମିଳିପାରିବ । ଦାୟିତ୍ୱବାନ ଏବଂ ସାମାଜିକ ସଚେତନ ନାଗରିକଙ୍କ ପିଢ଼ି, ସ୍ଥାୟୀ ରାଷ୍ଟ୍ର ନିର୍ମାଣ ପାଇଁ ଅବିଚ୍ଛେଦ୍ୟ ।
"ଅପାର’ ଶିକ୍ଷା ବ୍ୟବସ୍ଥାର ଚୌକିଦାର ବା କେବଳ ତଦାରଖ ପାଇଁ ଏକ ଉପକରଣ ନୁହେଁ, ବରଂ ଏହା ଭାରତର ପିଲାମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଏକ ପ୍ରତିବଦ୍ଧତାର ପ୍ରତିନିଧିତ୍ୱ କରେ । ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଞ୍ଚଳରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅଧାରୁ ପାଠ ଛାଡୁଥିବା ବା ସ୍କୁଲ ଆସିବାରେ ଅବହେଳା, ପାଠପଢ଼ାରେ ମନ ନଲାଗିବା, ପାଠ ବୁଝି ପାରୁନଥିବା ବା ପାଠ ମନେ ନରଖିପାରୁଥିବା ସମସ୍ୟା ବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବଢ଼ୁଥିବା ଆତ୍ମହତ୍ୟା ସମସ୍ୟା ଭଳି ପ୍ରାରମ୍ଭିକ ଚେତାବନୀ ସଙ୍କେତ ଚିହ୍ନଟ କରି, ସହାୟତା ଯୋଗାଇ ଦେବା ଦିଗରେ "ଅପାର’ ସହାୟକ ହୋଇପାରିବ ।
"ଅପାର’ ପିଲାମାନଙ୍କୁ ସେମାନଙ୍କ ଶିକ୍ଷା ଏବଂ କ୍ୟାରିଅର ଚୟନରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ସଶକ୍ତ କରିପାରିବ । ଭାରତର ଯୁବକମାନଙ୍କ ପ୍ରତିଭା ଏବଂ ସାମର୍ଥ୍ୟ ବିକାଶ ପାଇଁ "ଅପାର’ ଏକ ବ୍ୟବସ୍ଥିତ ଆଭିମୁଖ୍ୟ ମାଧ୍ୟମରେ ସର୍ବୋତ୍ତମ ଭାବରେ ଉପଯୋଗ କରାଯାଇପାରିବ । ଏଥିସହିତ "ଅପାର’ ପରିଚୟ ପତ୍ର କେବଳ ଏକ ପ୍ରଶାସନିକ ଉପକରଣ ନୁହେଁ, ବରଂ ଏହା ଭାରତର ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ଏକ ପରିବର୍ତ୍ତନକାରୀ ପଦକ୍ଷେପ । ବ୍ୟକ୍ତିଗତ ଶିକ୍ଷଣ, ନ୍ୟାୟସଂଗତ ସୁଯୋଗ ଏବଂ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରି ଏକ ସୁବ୍ୟବସ୍ଥିତ, ସକ୍ଷମ ଏବଂ ଦାୟିତ୍ୱବାନ ନାଗରିକ ଗଠନ କରିବାର ଏହା ଏକ ପ୍ରତିଶ୍ରୁତି । "ଅପାର’ ସମୃଦ୍ଧ ଏବଂ ସମାବେଶୀ ଭାରତ ପାଇଁ ଏକ ଆଧାରଶିଳା ଭାବେ ଉଭା ହୋଇଛି, ଯାହା କେବଳ ଭାରତର ପିଲାମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବ ନାହିଁ ବରଂ ବିଶ୍ୱ ପରିଦୃଶ୍ୟରେ ରାଷ୍ଟ୍ରର ସ୍ଥାନ ମଧ୍ୟ ସୁରକ୍ଷିତ କରିବ ।
ଏହାକୁ ଶିକ୍ଷା ପାଇଁ ଏକ ଆଜୀବନ ପାସ୍ପୋର୍ଟ ଭାବରେ ଚିନ୍ତା କରାଯାଇପାରିବ, ଯାହା ପ୍ରତ୍ୟେକ ଶିଶୁ ପାଇଁ ଏକ ସ୍ଥାୟୀ ଶୈକ୍ଷଣିକ ପ୍ରୋଫାଇଲ୍ ସୃଷ୍ଟି କରି ସ୍କୁଲର ପ୍ରଥମ ଦିନରୁ ଆରମ୍ଭ କରି ସେମାନଙ୍କର ବୃତ୍ତିଗତ କାର୍ଯ୍ୟ ପର୍ଯ୍ୟନ୍ତ ସହାୟକ ହୋଇପାରିବ । ଏହା ପିଲାଙ୍କର ଶୈକ୍ଷଣିକ ସଫଳତା, ଅତିରିକ୍ତ ପାଠ୍ୟକ୍ରମ କାର୍ଯ୍ୟକଳାପ ଏବଂ ବ୍ୟାବହାରିକ ଅନ୍ତର୍ଦୃଷ୍ଟିର ଏକ ବିସ୍ତୃତ ରେକଡ ଭାବେ ସାବ୍ୟସ୍ତ ହେବ ।