ମ.ରାମପୁର, ୩/୬: କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରୀ ଅଞ୍ଚଳରେ ବିଜୁଳି ବିଭ୍ରାଟକୁ ନେଇ ତାତିଲେ ଅଞ୍ଚଳବାସୀ। ଗ୍ରୀଷ୍ମପ୍ରବାହ ବେଳେ ବାରମ୍ବାର ବିଦ୍ୟୁତ୍ କାଟ୍ ଯୋଗୁଁ ସନ୍ତୁଳି ହେଉଛନ୍ତି ଗ୍ରାମବାସୀ। ଯେଉଁଥିପାଇଁ ଆଜି ଗ୍ରାମବାସୀମାନେ ମଦନପୁର ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଏନେଇ ପୂର୍ବରୁ ମୋହନଗିରୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ସୁରେନ୍ଦ୍ର ଧରୁଆଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଥିଲା। ଆଜି କାର୍ଯ୍ୟାଳୟ ଘେରାଉ ନିଷ୍ପତ୍ତି ପରେ ମୋହନଗିରୀ, ସିଂହପୁର, ମାଣିକେରା, ଦେଢଶୂଳୀ ଗ୍ରାମ ପଞ୍ଚାୟତର ଶତାଧିକ ବିଦ୍ୟୁତ୍ ଉପଭୋକ୍ତା ଧାରଣାରେ ବସିଛନ୍ତି ।
ମୋହନଗିରୀ ସରପଞ୍ଚଙ୍କ ସମେତ ମୋହନଗିରୀ ସମିତିସଭ୍ୟ ଗୋକୁଳାନନ୍ଦ ବିଶ୍ୱାଳ, ସିଂହପୁର ସରପଞ୍ଚ ଉଚ୍ଛବ ପଧାନ, ସାମାଜିକ କର୍ମୀ ଶୁକଦେବ ସାହୁ, ମୀନକେତନ ପାତ୍ର, ତୁମେଶ୍ୱର ବିଶ୍ୱାଳ, ମଧୁସୂଦନ ବିଶ୍ୱାଳ, ସୂର୍ଯ୍ୟକାନ୍ତ ଧରୁଆ ପ୍ରମୁଖ ବିଦ୍ୟୁତ୍ ସରବରାହରେ ସ୍ଥିରତା, ମୋହନଗିରୀ ଅଞ୍ଚଳ ପାଇଁ ସ୍ୱତନ୍ତ୍ର କର୍ମଚାରୀ ନିଯୁକ୍ତି ଆଦି ଦାବି ରଖିଥିବା ପ୍ରକାଶ କରିଛନ୍ତି । ତେବେ ବର୍ଷର ସବୁ ସମୟରେ ମ.ରାମପୁର ବ୍ଲକର ଏହି ଉପାନ୍ତ ଅଞ୍ଚଳରେ ବିଦ୍ୟୁତ୍ ସେବାରେ ବାରମ୍ବାର ବ୍ୟାଘାତ ହେବା ଫଳରେ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମସ୍ତ ସରକାରୀ କାମ ଏବେ ଅନଲାଇନ୍ ମାଧ୍ୟମରେ ହେଉଥିବାରୁ ବର୍ଷ ଯାକ ବିଦ୍ୟୁତ୍ ସେବା ବ୍ୟାହତ କାରଣରୁ ଏମାନଙ୍କୁ ହନ୍ତସନ୍ତ ହେବାକୁ ପଡ଼ୁଛି ବୋଲି କହିଛନ୍ତି।