ନୂଆଦିଲ୍ଲୀ,୦୧/୧୦:ହସ୍ପିଟାଲରେ ଭର୍ତ୍ତି ହେଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ । ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି । ରଜନୀକାନ୍ତଙ୍କ ବୟସ ବର୍ତ୍ତମାନ ୭୩ ବର୍ଷ ।
ତେବେ ସାଉଥ ସୁପରଷ୍ଟାର ରଜନୀକାନ୍ତ ଅସୁସ୍ଥ ଥିବା ନେଇ ଖବର ପ୍ରସାରିତ ହେବା ପରେ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିଛନ୍ତି ଫ୍ୟାନ୍ସ । ରଜନୀକାନ୍ତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ସମସ୍ତେ କାମନା କରିଛନ୍ତି ।ରଜନୀକାନ୍ତଙ୍କର ହୃଦଘାତ ଜନିତ ସମସ୍ୟା ଥିବାରୁ ହୃଦ୍ରୋଗ ବିଶେଷଜ୍ଞଙ୍କଠାରୁ ଅନୁମତି ନିଆଯାଇଛି । ଆଜି ତାଙ୍କ ଡାକ୍ତରୀ ପରୀକ୍ଷା କରାଯିବ । ବର୍ତ୍ତମାନ ସୁଦ୍ଧା ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ତାଙ୍କ ପରିବାର ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । ସେହିପରି ଡିସେମ୍ବର ୨୦୨୦ରେ ରଜନୀକାନ୍ତ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରକାଶ ଥାଉକି,ଆସନ୍ତା ଅକ୍ଟୋବର ୧୦ ତାରିଖରେ ରଜନୀକନ୍ତଙ୍କ ଅଭିନୀତ ତାମିଲି ଫିଲ୍ମ 'ଭେଟ୍ଟିୟାନ'ପରଦାକୁ ଆସିବାକୁ ଯାଉଛି । ସୋମବାର ଦିନ 'ଭେଟ୍ଟିୟାନ'ଟ୍ରେଲର ରିଲିଜ୍ ତାରିଖ ଘୋଷଣା କରାଯାଇଥିଲା । ଅକ୍ଟୋବର 2 ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହେତୁ ଏହା ବିଳମ୍ବ ହେବା ନେଇ ଆଶା କରାଯାଉଛି । ଫିଲ୍ମ ରିଲିଜ ତାରିଖ ଘୁଞ୍ଚିବ ନା ନାହିଁ ସେନେଇ କିଛି ସ୍ପଷ୍ଟ ସୂଚନା ହସ୍ତଗତ ହୋଇ ନାହିଁ ।