ଉଦଳା, ୩/୬ : ସୋମବାର ବିଳମ୍ଵିତ ରାତିରେ ମୟୂରଭଞ୍ଜ ଜିଲ୍ଲା ଉଦଳା କୁଆମରା ଅଞ୍ଚଳରୁ ଏକ ନିମ୍ବ କାଠ ବୋଝେଇ ପିକଅପ୍ ଭ୍ୟାନ୍ ଜବତ ହୋଇଛି। ବନ ବିଭାଗକୁ ଦେଖି ଗାଡି ଛାଡ଼ି ଡ୍ରାଇଭର୍ ଫେରାର୍ ହୋଇଯାଇଛି। ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।
କାଠ ମାଫିଆମାନେ ଶିମିଳିପାଳ ପାଦଦେଶରୁ ଦାମୀ ଗଛ କାଟି ଅଭିନବ ଉପାୟରେ ବିଭିନ୍ନ ଗଳାବାଟ ଦେଇ ପଡୋଶୀ ରାଜ୍ୟକୁ ଚାଲାଣ କରି ମାଲେମାଲ ହେଉଛନ୍ତି। ଏନେଇ ଖବର ପାଇବା ପରେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ଏହାରି ଭିତରେ ଦାମାସାହି ବିଟ୍ ଅଞ୍ଚଳ ଦେଇ କାଠ ଚାଲାଣ ହେଉଥିବା ନେଇ ଉଦଳା ବନ ବିଭାଗକୁ ଖବର ମିଳିଥିଲା। ଉଦଳା ବନଖଣ୍ଡ ଅଧିକାରୀ ଜଗଦୀଶ ଦାସଙ୍କ ନିର୍ଦ୍ଦେଶ କ୍ରମେ କାଠ ମାଫିଆଙ୍କୁ ଧରିବା ପାଇଁ ଏକ ମିଳିତ ଟିମ୍ ଗଠନ ହୋଇଥିଲା। ବାଲେଶ୍ୱର-ମୟୂରଭଞ୍ଜ ସୀମାନ୍ତ କୁଆମରା ଅଙ୍ଗାର ଗଡିଆ ଗ୍ରାମ ରାସ୍ତାରେ ବିଳମ୍ବିତ ରାତ୍ରିରେ ପାଟ୍ରୋଲିଂ କଡ଼ାକଡ଼ି କରିଥିଲେ।
ବନ ବିଭାଗର ଏହି ମିଳିତ ଚଢ଼ାଉରେ ଉଦଳା ଫରେଷ୍ଟର ଅଙ୍କୁର ମହାଳିକଙ୍କ ସମେତ ଫରେଷ୍ଟ ଗାର୍ଡ ଅଞ୍ଜନ ଲେଙ୍କା, ଅନ୍ତନାରୟଣ ଚୌଧୁରୀ, ଅଜୟ ସାହୁ, ପପୁ ମହାକୁଡ଼, ରଶ୍ମି ମହାନ୍ତ, ଆଶିଷ ଖିଲାର, କୁଆମରା ଫରେଷ୍ଟର ଆତ୍ମାରମ ସୋରେନ, ଫରେଷ୍ଟ ଗାର୍ଡ ମାଧବ ସିଂ, ଖୁଣ୍ଟା ଫରେଷ୍ଟ ଗାର୍ଡ କ୍ଷିତୀଶ ଆଚାର୍ଯ୍ୟ ଏବଂ ଖୁଣ୍ଟାର ସମସ୍ତ କାର୍ଯ୍ୟରତ ଷ୍ଟାଫ ପ୍ରମୁଖ ସାମିଲ ଥିଲେ। ବନ ବିଭାଗ ଜଗି ବସିଥିବା ବେଳେ ସେହି ରାସ୍ତା ଦେଇ ଏକ କାଠ ବୋଝେଇ ପିକଅପ୍ ଭ୍ୟାନ୍ ଦ୍ରୁତ ଗତିରେ ବାଲେଶ୍ୱର ଆଡକୁ ଯାଉଥିବା ବେଳେ ମିଳିତ ଟିମ୍ ପିଛା କରିଥିଲେ। ବନବିଭାଗକୁ ଦେଖି ଡ୍ରାଇଭର ଗାଡିଛାଡି ଫେରାର ମାରିଥିଲା। ଘଟଣାସ୍ଥଳରୁ କାଠ ବୋଝେଇ ଗାଡି ଜବତ କରି ଉଦଳା କାର୍ଯ୍ୟାଳୟକୁ ଆଣି ତଦନ୍ତ ଜାରି ରଖିଛି। ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କା ହେବା ନେଇ ବନବିଭାଗ ପକ୍ଷରୁ ସୂଚନା ମିଳିଛି।