ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା

Published By : Rasmita Pradhan | July 10, 2025 7:46 AM

ଭୁବନେଶ୍ୱର, ୧୦/୦୭ : ତୈଳ ଡିପୋରେ ପେଟ୍ରୋଲ, ଡିଜେଲ ଅଛି । ହେଲେ, ରାସ୍ତାରେ ତେଲ ଟ୍ୟାଙ୍କର ଗଡୁନି । ପେଟ୍ରୋଲ ସଙ୍କଟ ଭୟରେ ଛାନିଆ ଲୋକେ । ଆଜି ସୁଦ୍ଧା ଅଧିକାଂଶ ପେଟ୍ରୋଲ ପମ୍ପରୁ ତେଲ ସରିଯିବା ଆଶଙ୍କା ଉପୁଜିଲାଣି । ବାହାର ରାଜ୍ୟରୁ ଆଳୁ, ପିଆଜ, ଡାଲି, ତେଲ ଓ ଚିନି ଗୋଦାମକୁ ପହଞ୍ଚି ପାରୁନି । ହାଟରେ ଦୋକାନୀଙ୍କ ପରିବା ଡାଲା ଭର୍ତ୍ତି ହେଉନି । ଗ୍ରୋସରୀ ଦୋକାନରୁ ସଉଦା ଅଖା ଖାଲି ହୋଇଗଲାଣି । ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଭାଳେଣି ପଡ଼ିଲାଣି । ଆଉ ଦିନେ କି ଦୁଇ ଦିନରେ ରୋଷେଇଘରେ ଚଡ଼କ ପଡ଼ିବ ବୋଲି ଜଳଜଳ ଦିଶିଲାଣି । ଡ୍ରାଇଭରଙ୍କ ‘ଷ୍ଟିଅରିଂ ଛାଡ଼’ ଆନ୍ଦୋଳନରେ ପରିବହନ ବ୍ୟବସ୍ଥା ଠପ୍‌ ଯୋଗୁ ସାରା ରାଜ୍ୟରେ ଏଭଳି ଭୟଙ୍କର ସ୍ଥିତି ଉପୁଜିଲାଣି । ବାହାର ରାଜ୍ୟର ଶହ ଶହ ମାଲ ବୋଝେଇ ଟ୍ରକ ଏନ୍‌ଏଚ୍‌ କଡ଼ରେ ଅଟକି ରହିଛି । ଓଡ଼ିଶା ସୀମା ଡେଇଁ ପାରୁନି । 

ଏହି ‘ଷ୍ଟିଅରିଂ ଛାଡ଼’କୁ ବଳ ଯୋଗାଇଛି ଟ୍ରେଡ ୟୁନିୟନ ଓ ବାମପନ୍ଥୀ ଦଳର ସର୍ବଭାରତୀୟ ଧର୍ମଘଟ । ଲଗାତାର ଦୁଇ ଦିନ ଧରି ଆନ୍ଦୋଳନରେ ପେଶି ହେଲେଣି ଓଡ଼ିଶାବାସୀ । ଜୀବନଯାତ୍ରା ସାଂଘାତିକ ଭାବେ ପ୍ରଭାବିତ ହେଲାଣି । ମଙ୍ଗଳବାର ସନ୍ଧ୍ୟାରୁ ଅଧ ରାତି ଯାଏଁ ଓଡ଼ିଶା ଡ୍ରାଇଭର ମହାସଂଘ ସହ ଆଲୋଚନା କଲେ ସରକାର । ବୈଠକ ପରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଲେ, ଡ୍ରାଇଭରଙ୍କ ଅଧିକାଂଶ ଦାବି ମାନିଲୁ । ଆଲୋଚନା ସଫଳ ହେଲା । କିନ୍ତୁ ଅନ୍ୟପଟେ ‘ଷ୍ଟିଅରିଂ ଛାଡ଼’ ଆନ୍ଦୋଳନରୁ ହଟିବାର ନାଁ ଧରୁନାହାନ୍ତି ଡ୍ରାଇଭର । ପ୍ରାୟ ସବୁ ଜିଲ୍ଲାରେ ଡ୍ରାଇଭରମାନେ ଧାରଣାରେ ବସିଛନ୍ତି । ଆନ୍ଦୋଳନ ମଇଦାନ ଛାଡ଼ି ନାହାନ୍ତି । ବୁଧବାର ଦିନତମାମ ଗୋଟିଏ ବି ଯାତ୍ରୀବାହୀ ବସ୍‌ କି ଟ୍ରକ ରାସ୍ତାରେ ଗଡ଼ିପାରିନି । ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି, ସାଧାରଣ ଜନତାଙ୍କ ସମସ୍ୟା ପାଇଁ ଆମେ ଦୁଃଖିତ । କିନ୍ତୁ ଦେଢ଼ ମାସ ପୂର୍ବରୁ ଆମେ ଆନ୍ଦୋଳନ ପାଇଁ ସଜବାଜ ହେଉଛୁ । ବାରମ୍ବାର ସରକାରଙ୍କୁ ଅବଗତ କରାଇଛୁ । ବୈଠକରେ କିଛି ନିର୍ଯ୍ୟାସ ବାହାରିଲାନି । ସରକାର ଖାଲି ମୁହଁରେ ଘୋଷଣା କଲେ ହେବନି, ଲିଖିତ ପ୍ରତିଶ୍ରୁତି ଦିଅନ୍ତୁ । ନହେଲେ, ଡ୍ରାଇଭରମାନେ କୌଣସିମତେ ଆନ୍ଦୋଳନରୁ ହଟିବେନି । 

ଉତ୍କଳ ପେଟ୍ରୋଲିୟମ ଡିଲରର୍ସ ଆସୋସିସଏସନ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି, ଦିନକରେ ପ୍ରାୟ ୩୬ ଲକ୍ଷ ଲିଟର ପେଟ୍ରୋଲ ଓ ୮୫ ଲକ୍ଷ ଲିଟର ଡିଜେଲ ସାରି ଦେଉଛନ୍ତି ଓଡ଼ିଶାବାସୀ । ରାଜ୍ୟରେ ବର୍ତ୍ତମାନ ପାଖାପାଖି ୩୧୦୦ ପେଟ୍ରୋଲ ପମ୍ପ ଅଛି । ଜଟଣୀ, ପାରାଦୀପ, ବାଲେଶ୍ୱର ଓ ଝାରସୁଗୁଡ଼ାରେ ଥିବା ତୈଳ ଡିପୋ ଉପରେ ଏସବୁ ପେଟ୍ରୋଲ ପମ୍ପ ନିର୍ଭରଶୀଳ । ଏହି ୪ଟି ଡିପୋରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ୍‌ ଓ ଡିଜେଲ ମହଜୁଦ ରହିଛି । ପ୍ରାୟ ମାସେ ଯାଏଁ ଓଡ଼ିଶାରେ ତେଲ ଅଭାବ ଦେଖାଯିବନି । କିନ୍ତୁ ଗୋଟିଏ ପେଟ୍ରୋଲ ପମ୍ପରେ ସାଧାରଣତଃ ୩-୪ ଦିନ ପାଇଁ ତୈଳ ମହଜୁଦ ରହିଥାଏ । ଅର୍ଥାତ୍‌, ଆସନ୍ତା ଶୁକ୍ରବାର ବେଳକୁ ତୈଳ ସଙ୍କଟ ଉପୁଜିବା କଥା । କିନ୍ତୁ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ୨ଦିନରେ ପହଞ୍ଚିଲାଣି । ତୈଳ ଡିପୋରୁ ଗୋଟିଏ ବି ଟ୍ୟାଙ୍କର ପେଟ୍ରୋଲ ପମ୍ପ ଯାଏଁ ପହଞ୍ଚିପାରୁନି । ପମ୍ପଗୁଡ଼ିକରେ ତେଲ ସରି ସରି ଆସୁଛି । ଗାଡ଼ିଚାଳକମାନେ ଛାନିଆ ହୋଇଗଲେଣି । ଯଦି ଗାଡ଼ିରେ ଟାଙ୍କି ଫୁଲ୍‌ କରିବା ପେଟ୍ରୋଲ ପମ୍ପରେ ଧାଁ ଦୌଡ଼ ଲାଗି ରହିଲା । ତା’ହେଲେ ଆଜି ଦ୍ୱିପହର ବେଳକୁ ରାଜ୍ୟର ଅଧା ପେଟ୍ରୋଲ ପମ୍ପରେ ତେଲ ସଙ୍କଟ ଉପୁଜିବ । ରାତି ବେଳକୁ ପ୍ରାୟ ସବୁ ଟାଙ୍କିରେ ସମାନ ଅବସ୍ଥା ଦେଖିବାକୁ ମିଳିପାରେ । ଡ୍ରାଇଭରମାନେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନରୁ ହଟିଲେ, ସ୍ଥିତି ସ୍ୱାଭାବିକ ହୋଇଯିବ ।  

ଓଡ଼ିଶା ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡାଙ୍କ କହିବା ମୁତାବକ, କଟକ ମାଲଗୋଦାମ, ଭୁବନେଶ୍ୱର ଆଇଗିଣିଆ କୁବେରପୁରୀ ସମେତ ରାଜ୍ୟର ପ୍ରାୟ ସବୁ ଗୋଦାମରେ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ (ପିଆଜ, ଆଳୁ, ଖାଇବା ତେଲ, ଚିନି, ଡାଲି) ମହଜୁଦ ଅଛି । ବଜାରରେ ଏପର୍ଯ୍ୟନ୍ତ କୌଣସି ସାମଗ୍ରୀର ଦରଦାମ ବଢିନାହିଁ । କିନ୍ତୁ ଡ୍ରାଇଭରମାନେ ଧାରଣାରୁ ନ ହଟିଲେ, ଆଗକୁ ସ୍ଥିତି ବିଗିଡ଼ିପାରେ । ନିଶ୍ଚିତ ଭାବେ ଓଡ଼ିଶାବାସୀଙ୍କ ରୋଷଇ ଘରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଚଡ଼କ ପଡ଼ିବ ।  କାହିଁକି ନା, ସାରା ରାଜ୍ୟରେ ଅଧାରୁ ଅଧିକ ଡାଲି ପାଇଁ ଆମେ ଛତିଶଗଡ଼ ଓ ମଧ୍ୟପ୍ରଦେଶ ଉପରେ ଭରସା କରୁଛୁ । ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ହଳଦିଆରୁ ଖାଇବା ତେଲ(ସୂର୍ଯ୍ୟମୁଖୀ, ପାମୋଲିନ୍‌, ରିଫାଇନ୍‌) ଆସୁଛି । ରାଜସ୍ଥାନରୁ ୨ ଡଜନରୁ ଅଧିକ ସୋରିଷ ତେଲ ବୋଝେଇ ଟ୍ରକ ଓଡ଼ିଶାରେ ପହଞ୍ଚୁଥିଲା । ଆଳୁ ପାଇଁ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ଭରସା ।  ଆନ୍ଧ୍ରପ୍ରଦେଶରୁ କଦଳୀ, ଭଣ୍ଡା, ସଜନା ଛୁଇଁ ଆସିପାରୁନି । ତାମିଲନାଡୁରୁ କଖାରୁ, ମଧ୍ୟପ୍ରଦେଶ ଇନ୍ଦୋରରୁ ଗାଜର, ପଶ୍ଚିମବଙ୍ଗରୁ (ପୋଟଳ, କାଙ୍କଣ, କଲରା, ଭେଣ୍ଡି ଓ କାକୁଡି) ବୋଝେଇ ଟ୍ରକ ଓଡ଼ିଶା ଛୁଉଁନି । କୋବି, କ୍ୟାପସିକମ୍‌ ପାଇଁ ବେଙ୍ଗାଲୁରୁ ଭରସା । ହେଲେ, ପରିବା ବେପାରୀମାନେ ମୁଣ୍ଡରେ ହାତ ଦେଲେଣି । ମହାରାଷ୍ଟ୍ର ନାସିକରୁ ଆଉ ୨ ଦିନ ଯାଏଁ ପିଆଜ ନ ପହଞ୍ଚିଲେ, ପରିବା ଦୋକାନରେ ପିଆଜ ଡାଲା ଖାଲି ହୋଇଯିବ ।  

ନିଖିଳ ଓଡ଼ିଶା ଆମିଷ ମହାସଂଘ ସଭାପତି ସେକ୍‌ ମୁନ୍ତାକିମ୍‌ ବକ୍ସ କହିଲେଣି, କେବଳ ଆନ୍ଧ୍ରପ୍ରଦେଶରୁ ମାଛ, ଚୁଙ୍ଗୁଡ଼ି, କଙ୍କଡ଼ା ବୋଝେଇ ୧୨ଟି ବଡ଼ ଟ୍ରକ ଆସୁଛି । ଏବେ ୩-୪ଟି ଟ୍ରକ କଷ୍ଟେମଷ୍ଟେ ରାଜଧାନୀରେ ପହଞ୍ଚି ପାରୁଛି । ସେହିପରି ସମଗ୍ର ପଶ୍ଚିମାଞ୍ଚଳର ଆମିଷ ବେପାର (ମାଂସକୁ ଛାଡ଼ି) ଛତିଶଗଡ଼, ଝାଡ଼ଖଣ୍ଡ ଉପରେ ନିର୍ଭର କରୁଛି । ଉତ୍ତର ଓଡ଼ିଶାବାସୀଙ୍କ ଆମିଷ ଥାଳିକୁ ପଶ୍ଚିମବଙ୍ଗ ଭରସା । ଅଧିକାଂଶ ଟ୍ରକଗୁଡ଼ିକୁ ଅଧାବାଟରେ ଚାଳକମାନେ ଅଟକାଇ ଦେଉଛନ୍ତି । ଦିନେ କି ଦୁଇଦିନ ପରେ ଓଡ଼ିଶାବାସୀଙ୍କ ପାଟିରେ ଆମିଷ ବାଜିବା ମୁସ୍କିଲ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.