ଭୁବନେଶ୍ୱର,୧୨/୦୬: ଓଡ଼ିଶା ବିମାନ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ଅଧ୍ୟାୟ । ଭୁବନେଶ୍ୱର ବିମାନବନ୍ଦରରୁ ସିଧା ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ର ରାଜଧାନୀ ଆବୁଧାବିକୁ ବିମାନ ଉଡ଼ିଲା ବିମାନ । ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପତାକା ଦେଖାଇ ଭୁବନେଶ୍ୱର- ଆବୁଧାବି ସିଧା ବିମାନସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ରାଜ୍ୟରେ ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଏହି ବିମାନଯାତ୍ରାର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ନୂଆ ଡେଷ୍ଟିନେସନ୍ ପଲିସି (ଏନ୍ଡିପି) ୨୦୨୪ ଆଧାରରେ ରାଜ୍ୟର ପର୍ଯ୍ୟଟନ ଓ ବ୍ୟବସାୟ ଉନ୍ନତିକରଣକୁ ଗୁରୁତ୍ୱ ଦିଆଯାଉଛି । ଏହି ନୂଆ ଉଡ଼ାଣ ଦ୍ୱାରା ଅର୍ଥନୈତିକ ବିକାଶ ହେବା ସହ ସଂସ୍କୃତିର ଆଦାନପ୍ରଦାନ ବଢ଼ିବ । ବିକଶିତ ଓଡ଼ିଶା ଅଭିଯାନରେ ରାଜ୍ୟ ଆଉ ପାଦେ ଆଗେଇବ ବୋଲି ସରକାର ସୂଚାଇଛନ୍ତି ।
ସୂଚନାଯୋଗ୍ୟ ଯେ, ସପ୍ତାହରେ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର ଓ ଶନିବାର ଏହି ବିମାନସେବା ଉପଲବ୍ଧ ହେବ। ୧୮୦ ଜଣ ଯାତ୍ରୀ ଏଥିରେ ଯାତ୍ରା କରିପାରିବେ। ଭୁବନେଶ୍ୱରରୁ ମାତ୍ର ୪ ଘଣ୍ଟା ମଧ୍ୟରେ ଯାତ୍ରୀମାନେ ଆବୁଧାବିରେ ପହଞ୍ଚିବେ। ଏହି ବିମାନ ଚଳାଚଳ ଆରମ୍ଭ ଦ୍ୱାରା ଓଡିଶାରୁ ଆବୁଧାବି ଯାଉଥିବା ଯାତ୍ରୀମାନେ, ଉଭୟ ସମୟ ଓ ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ।
ଏଥି ସହିତ ଆଜି ଭୁବନେଶ୍ୱରରୁ ବିଶାଖାପାଟଣାକୁ ମଧ୍ୟ ବିମାନସେବା ଆରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେତେକ ଯାତ୍ରୀଙ୍କୁ ବୋର୍ଡିଙ୍ଗ୍ ପାସ୍ ପ୍ରଦାନ କରିଥିଲେ।
ଅନ୍ତର୍ଜାତୀୟ ବିମାନସେବା ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ମାର୍ଗଦର୍ଶନ ଓ କେନ୍ଦ୍ର ସରକାରଙ୍କ ସମର୍ଥନରେ ରାଜ୍ୟ ସରକାରଙ୍କ ନୂଆ ଡେଷ୍ଟିନେସନ୍ ପଲିସି (ଏନ୍ଡିପି) ଅଧିନରେ ଏହି ସେବା ଆରମ୍ଭ କରାଯାଇଛି । ଏହି ସେବା ଦ୍ୱାରା ମିଡିଲ୍ ଇଷ୍ଟ୍ ଦେଶଗୁଡିକ ସହିତ ଓଡିଶାର ଯୋଗାଯୋଗ ଆହୁରି ବ୍ୟାପକ ହେବ। ବାଣିଜ୍ୟ, ପର୍ଯ୍ୟଟନ, ପୁଞ୍ଜିନିବେଶ ଓ ସାଂସ୍କୃତିକ ବିନିମୟ କ୍ଷେତ୍ରରେ ମଧ୍ୟ ଆମର ସମ୍ପର୍କ ଆହୁରି ସୁଦୃଢ ହେବ। ଏହି ବିମାନର କାର୍ଗୋ ସେବାରେ ଆଜି ବିଭିନ୍ନ ପନିପରିବା ସହିତ ୫୦ ଟନ ଆମ୍ରପଲ୍ଲି ଆମ୍ବ ରପ୍ତାନୀ କରାଯାଇଛି।
ସେ ପୁଣି କହିଥଲେ ଆମ ସରକାର ସଡ଼କ ପଥ ଓ ରେଳ ପଥ ସହିତ ଆକାଶ ପଥରେ ମଧ୍ୟ ଯୋଗାଯୋଗ ପାଇଁ ପଦକ୍ଷେପ ନେଇଛନ୍ତି। ଓଡଶାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଯୋଡିବା ପାଇଁ ଉଦ୍ୟମ ଜାରି ରହିଛି। ଭୁବନେଶ୍ୱରରୁ ଡେରାଡୁନ, ଗାଜିଆବାଦ, ଗୋଆ, ଇନ୍ଦୋର, କୋଚି, ଲକ୍ଷ୍ନୌ ଓ ପୋର୍ଟବ୍ଲେୟାରକୁ ବିମାନ ସେବା ଆରମ୍ଭ ହୋଇଥିବା ବେଳେ, ଝାରସୁଗୁଡାରୁ ହାଇଦ୍ରାବାଦ, ଲକ୍ଷ୍ନୌ, ମୁମ୍ବାଇ ଓ ରାୟପୁରକୁ ମଧ୍ୟ ବିମାନ ସଂଯୋଗ କରାଯାଇଛି।