ଭୁବନେଶ୍ୱର,୧୨/୦୬: ରାଜଧାନୀରେ ମହାମାରୀ ଏଚ୍ଆଇଭି କାୟା ମେଲାଉଛି । ଯୌନ କର୍ମୀ (ରୂପଜୀବୀ/ସେକ୍ସ ୱାର୍କର) ସଂଖ୍ୟା ଯେତିକି ବଢ଼ିଛି ସେହି ଅନୁସାରେ ଏଚ୍ଆଇଭି ସଂକ୍ରମଣ ବି ବଢ଼ିଛି । ପୂର୍ବ ବର୍ଷ ତୁଳନାରେ ୩ ଗୁଣା ବଢ଼ିଛି ଏଚ୍ଆଇଭି ସଂକ୍ରମିତ ଯୌନକର୍ମୀଙ୍କ ସଂଖ୍ୟା । ୨୦୨୪ରେ ରାଜଧାନୀରେ ୨୨ ଜଣ ଯୌନ କର୍ମୀ ଏଚ୍ଆଇଭି ସଂକ୍ରମିତ ହୋଇଥିବା ଜଣାପଡିଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ସେମାନଙ୍କ ମଧ୍ୟରୁ ୮୦% ବଙ୍ଗାଳୀ । ତେବେ ଏମାନେ ସତରେ ପଶ୍ଚିମବଙ୍ଗର ନା ବାଂଲାଦେଶୀ ତାହା କେହି ଜାଣିନାହାନ୍ତି । ଏ କ୍ଷେତ୍ରରେ କାମ କରୁଥିବା ଏକ ସାମାଜିକ ଅନୁଷ୍ଠାନର ସର୍ଭେ ରିପୋର୍ଟରୁ ଏହି ବିପଦଜନକ ଖବର ପଦାକୁ ଆସିଛି । ଯାହା ରାଜଧାନୀରେ ଆଲୋଡନ ସୃଷ୍ଟି କରିଛି ।
ଯେଉଁ ରାଜ୍ୟରେ କେତେ ଯୌନକର୍ମୀ ଅଛନ୍ତି ଗତ କିଛି ଦିନ ତଳେ କେନ୍ଦ୍ରସରକାରଙ୍କ ପିଏମପିଏସଇ ରିପୋର୍ଟରେ ପ୍ରକାଶ ପାଇଥିଲା । ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ମହିଳା ଯୌନକର୍ମୀ, ପୁରୁଷଙ୍କ ସହ ସମ୍ପର୍କ ରଖୁଥିବା ପୁରୁଷ ଯୌନକର୍ମୀ, କିନ୍ନର ଓ ତୃତୀୟ ଲିଙ୍ଗୀଙ୍କୁ ଚିହ୍ନଟ କରାଯାଇଛି । ରାଜ୍ୟରେ ପାଖାପାଖି ୨୪ ହଜାର ମହିଳା ଯୌନକର୍ମୀ ଅଛନ୍ତି । ୨୦୧୯ରେର ରାଜ୍ୟ ସରକାର ବିଧାନସଭାରେ କହିଥିଲେ ୨୨ ଜିଲ୍ଳାରେ କାମ କରୁଛନ୍ତି ୧୧,୭୫୦ ଜଣ ଯୌନକର୍ମୀ । ଏମାନଙ୍କ ମଧ୍ୟରୁ ମଧ୍ୟରୁ ୧୩୮୦ ଜଣ ଏଚ୍ଆଇଭି ସଂକ୍ରମିତ ଥିବା ସେତେବେଳେ ଜଣାପଡ଼ିଥିଲା । ଏମାନଙ୍କ ମଧ୍ୟରୁ କିଛି ଚିକିତ୍ସିତ ଥିବା ବେଳେ କିଛି ନିଜ ପେଟପାଟଣା ପାଇଁ ଲୁଚିଛପି ବେପାର କରୁଥିବା ସର୍ଭେରୁ ଜଣାପଡିଥିଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶା ସମେତ ଦେଶର ୩୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୬୫୧ଟି ଜିଲ୍ଲାରେ ୨୦୨୦ ଜାନୁୟାରୀରୁ ୨୦୨୨ ନଭେମ୍ବର ମାସ ପର୍ଯ୍ୟନ୍ତ ସର୍ଭେ ହୋଇଥିଲା । ଏହି ସମୟରେ ମଧ୍ୟରେ ଓଡ଼ିଶାରେ ୨୪ ହଜାର ମହିଳା ଯୌନକର୍ମୀ କାମ କରୁଥିବା ଜଣାପଡ଼ିଥିଲା । ୩ ବର୍ଷ ମଧ୍ୟରେ ରାଜ୍ୟରେ ୨ଗୁଣା ବଢ଼ିଛି ଯୌନକର୍ମୀଙ୍କ ସଂଖ୍ୟା । ସେହି ତୁଳନାରେ ଏଚ୍ଆଇଭି ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।
୨୦୨୩ରେ ରାଜଧାନୀରୁ ୭ ଜଣ ଯୌନ କର୍ମୀ ଏଚ୍ଆଇଭି ସଂକ୍ରମିତ ଭାବେ ଚିହ୍ନଟ ହୋଇଥିଲେ । ୨୦୨୪ରେ ପୁଣି ୨୨ ଜଣ ଯୌନ କର୍ମୀ ଏଚ୍ଆଇଭି ସଂକ୍ରମିତ ହୋଇଥିବା ଏନ୍ଜିଓ ସଂସ୍ଥାର ରିପୋର୍ଟ କହୁଛି । ୨୨ ଜଣଙ୍କ ମଧ୍ୟରୁ ୧୭ ଜଣ ଯୁବତୀ ନିଜକୁ ପଶ୍ଚିମବଙ୍ଗର ବୋଲି ଦାବି କରିଥିଲେ । ହେଲେ ଏହାର ଯଦି ତଦନ୍ତ ହେବ ତା’ହେଲେ ଏମାନଙ୍କର ପ୍ରକୃତ ଘର ବାଂଲାଦେଶ ବୋଲି ପ୍ରମାଣ ମିଳିବ । ୨୦୧୮ ପୂର୍ବରୁ କମିଶନ୍ରେଟ୍ ପୁଲିସ୍ ରାଜଧାନୀ ଓ ତାର ଉପକଣ୍ଠର ବିଭିନ୍ନ ଆଡ଼େ ଧରପଗଡ଼ କରୁଥିଲା । ପ୍ରତି ଥାନା ଅଞ୍ଚଳରେ ମାସକୁ ୨ରୁ ୩ଟି ସେକ୍ସ ର୍ୟାକେଟ୍ ପୁଲିସ୍ ପଞ୍ଝାରେ ପଡୁଥିଲା । ତେବେ ଏହି ସମୟରେ ଯେଉଁମାନେ ଧରାଡୁଥିଲେ ପୁଲିସ୍ ସେମାନଙ୍କୁ ଉଦ୍ଧାର କରି ଡାକ୍ତରୀମାଇନା କରାଉଥିଲା । ଡାକ୍ତରୀ ମାଇନା ସମୟରେ ଏମାନଙ୍କର ଏଚ୍ଆଇଭି ଟେଷ୍ଟ ବି ହେଉଥିଲା । ଏବେ ପୁଲିସ୍ ବର୍ଷକୁ ୨/୩ଟି ସେକ୍ସ ର୍ୟାକେଟ୍ ଉପରେ ଚଢ଼ଉ କରୁଛି। ଚଢ଼ଉ ଧୀମା ହେତୁ ଦଲାଲ୍ମାନେ ଗଳିକନ୍ଦିରେ ସେକ୍ସ ର୍ୟାକେଟ୍ ଚଳାଉଛନ୍ତି । କେନ୍ଦ୍ର ସରକାରଙ୍କ ତଥ୍ୟ ଠାରୁ ୧୦ ଗୁଣା ଅଧିକ ଦେହଜୀବୀ ରାଜ୍ୟରେ ଅଛନ୍ତି ବୋଲି ବିଭିନ୍ନ ଏନ୍ଜିଓ ସଂସ୍ଥାର ସର୍ଭେ ରିପୋର୍ଟ କରୁଛି ।
ଏନ୍ଜିଓ ସଂସ୍ଥାର କହିବା କଥା, ରାଜ୍ୟରେ ୫୦ ହଜାରରୁ ଅଧିକ ଦେହଜୀବୀ ଅଛନ୍ତି । କାରଣ କରୋନା ସମୟରେ ଭୁବନେଶ୍ୱରରେ ୩ ହଜାର ମହିଳା ଯୌନକର୍ମୀ ସରକାରୀ ସହାୟତା ନେଇଥିଲେ । କେନ୍ଦ୍ର ସରକାରଙ୍କ ତଥ୍ୟରେ ଉଲ୍ଲେଖ ରହିଛି ଖୋର୍ଦ୍ଧା ଜିଲ୍ଳାରେ ୯୮୭ ଜଣ ଦେହଜୀବୀ ଅଛନ୍ତି । ହେଲେ ପ୍ରକୃତ ସ୍ଥିତି କିଛି ଅଲଗା । କେବଳ ମାଳିସାହିରେ ୧୧ ଶହରୁ ଅଧିକ ଦେହଜୀବୀ କାମ କରୁଛନ୍ତି । ଏହାର ପ୍ରମାଣ ହେଲା ଗତ କରୋନା ସମୟରେ ସରକାର ୧୧୦୦ ଦେହଜୀବୀଙ୍କୁ ଡାଲି, ଚାଉଳ ଓ ଆର୍ଥିକ ସହାୟତା ଦେଇଥିଲେ । ତା’ଛଡା ଭୁବନେଶ୍ୱର ବିଭିନ୍ନ ୱେବ୍ସାଇଟ୍ରେ ଶହ ଶହ ଯୁବତୀ କାମ କରୁଛନ୍ତି । ସରକାରଙ୍କ ପାଖରେ ଏହାର ଖବର ନାହିଁ ।