ଭୁବନେଶ୍ୱର,୧୫/୦୨: ସମାଜରେ ମହିଳାଙ୍କ ସଂଘର୍ଷ ଓ ସାମାଜିକ ନୀତିକୁ ନେଇ ୨୦୨୪ ମାର୍ଚ୍ଚ ୮ ତାରିଖରେ ରିଲିଜ୍ ହୋଇଥିଲା ବାସ୍ତବବାଦୀ ଓଡ଼ିଆ ଚଳଚ୍ଚିତ୍ର "ତ୍ରିକନ୍ୟା' । ଯାହା ଖୁବ୍ ଚର୍ଚ୍ଚା ସାଉଁଟିଥିଲା । ଫିଲ୍ମରେ ଥିବା କାହାଣୀ ସିନେପ୍ରେମୀଙ୍କ ମନକୁ ଛୁଇଁବା ସହିତ ଏଥିରେ ଥିବା ସାମାଜିକ ବାର୍ତ୍ତାକୁ ସିନେପ୍ରେମୀ ଠିକ୍ ଭାବେ ବୁଝିପାରିଥିଲେ ।
ଫିଲ୍ମରେ ସିଜନ ମହାପାତ୍ର, ନିଶାନ୍ତ ମାଜିଥିଆ, ମନୋଜ ମିଶ୍ର, ବର୍ଷା ପଟ୍ଟନାୟକ, ଶ୍ରଦ୍ଧା ପାଣିଗ୍ରାହୀ, ସୁକାନ୍ତ ରଥ, ପାର୍ଥସାରଥୀ ରାୟ ଭଳି କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ଯୁବ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ତ୍ରିକନ୍ୟା’ର ପ୍ରଯୋଜନା କରିଥିଲେ ବର୍ଷା ପଟ୍ଟନାୟକ ଏବଂ ଅନୁପମ । ତେବେ ଚଳଚ୍ଚିତ୍ର ରିଲିଜ୍ ହେବାର ଗୋଟିଏ ବର୍ଷ ପୂରି ଯାଇଥିଲେ ମଧ୍ୟ ଫିଲ୍ମକୁ ମିଳୁଛି ଅଶେଷ ଭଲପାଇବା । ଏହି ଭଲପାଇବାକୁ ଦୃଷ୍ଟିରେ ରଖି ସିଙ୍ଗାପୁର ଶା’ ଥିଏଟର, ପାୟା ଲେବର କ୍ୱାର୍ଟର୍ରେ ଫେବୃଆରୀ ୨୨ ତାରିଖରେ ଏକ ବିଶେଷ ସ୍କ୍ରିନିଂର ଆୟୋଜନ କରାଯାଇଛି । ଏତେ ମାତ୍ରାରେ ଭଲ ପାଇବା ଦେବା ସହିତ ଫିଲ୍ମର ଯାତ୍ରାରେ ଦୀର୍ଘ ଦିନ ହୋଇ ଯୋଡ଼ିହୋଇ ରହିଥିବାରୁ ଓଡ଼ିଆ ସିନେପ୍ରେମୀଙ୍କୁ ସିନେ ନିର୍ମାତା ଧନ୍ୟବାଦ ଜଣାଇଛନ୍ତି।